ରାୟଗଡ଼ା: ଶିକ୍ଷାଭିତ୍ତିକ ଦୁବାଇ ଗସ୍ତରେ ରାୟଗଡ଼ାର ଶିକ୍ଷକ ଡ଼ ଦ୍ବିତୀଚନ୍ଦ୍ର ସାହୁ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ପରିଚାଳିତ ବିଲେଷୁ ଉଚ୍ଚ ବିଦ୍ୟାଳୟର କଳା ଶିକ୍ଷକ ଭାବେ କାର୍ଯ୍ୟରତ ଡ଼ ସାହୁ ଫେବ୍ରୁଆରି ୨୧ରୁ ୨୩ ଯାଏଁ ତିନି ଦିନିଆ ଦୁବାଇ ଗସ୍ତ କରିଛନ୍ତି। ବିଭାଗ ପକ୍ଷରୁ ତାଙ୍କୁ ଚୟନ କରାଯାଇଛି। ୨୧ ଜଣିଆ ଶିଷ୍ଟ ମଣ୍ଡଳୀରେ ବିଭାଗୀୟ ଅଧିକାରୀଗଣ, ପିଏଆଇଟିଡିଏ,ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ରାୟଗଡାରୁ ଡ଼ ସାହୁଙ୍କୁ ବିଭାଗ ଚୟନ କରିଛି।

Advertisment

ଦୀର୍ଘ ୨୩ ବର୍ଷ ଧରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ପିଲାଙ୍କ ଶିକ୍ଷାଦାନରେ ନିୟୋଜିତ ହେବା ସହ ଶିକ୍ଷାଦାନରେ ଅଭିନବ କୌଶଳ ପ୍ରୟୋଗ, ପିଲାଙ୍କ ଦକ୍ଷତା ଅଭିବୃଦ୍ଧି ଲାଗି ବିବିଧ ନିଆରା କାର୍ଯ୍ୟକ୍ରମର ପରିକଳ୍ପନା କରିବାରେ ରାଜ୍ୟରେ ତାଙ୍କର ସୁନାମ ରହିଛି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ରାଜ୍ୟସ୍ତରୀୟ ସାଧନକର୍ମୀ ସହ ଦୀର୍ଘ ବର୍ଷ ଧରି ୟୁନିସେଫ, ୟୁଏନଏଫପିଏ, ଗଣଶିକ୍ଷା ବିଭାଗ ଏବଂ ଅନ୍ୟାନ୍ୟ ଶିକ୍ଷା, ସ୍ଵାସ୍ଥ୍ୟ ଓ ପରିମଳ ସମ୍ପର୍କିତ ବହୁ ବେସରକାରୀ ଅନୁଷ୍ଠାନ ପାଇଁ ରାଜ୍ୟ ସାଧନକର୍ମୀ ଭାବେ ଯୋଗଦାନ କରି ରାଜ୍ୟର ଶିକ୍ଷାର ବିକାଶରେ ସେ ଉଲ୍ଲେଖନୀୟ କାର୍ଯ୍ୟ କରି ଆସିଛନ୍ତି। ଏଥିସହ ସୁସାହିତ୍ୟିକ ଭାବେ ରାଜ୍ୟ ସାହିତ୍ୟ ଜଗତରେ ସେ ଜଣେ ପରିଚିତ ଚେହେରା।

ଶିକ୍ଷା ପ୍ରତି ସଦା ସମର୍ପିତ ଶିକ୍ଷକ ଭାବେ ଡ଼ .ସାହୁଙ୍କୁ ଦୁବାଇ ଗସ୍ତ ପାଇଁ ଚୟନ କରାଯାଇଥିବା ଜଣାପଡିଛି। ବିଭାଗୀୟ ନିର୍ଦ୍ଦେଶକ ଲକ୍ଷ୍ମଣ ମଲ୍ଲିକ, ଯୁଗ୍ମ ନିର୍ଦ୍ଦେଶକ ଟୁକୁ ବାରିକଙ୍କ ନେତୃତ୍ବରେ ଏହି ଦଳ ଦୁବାଇ ଗସ୍ତ କରିଛନ୍ତି। ଏଥିପାଇଁ ଡ଼ ସାହୁଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଏଇ ଗସ୍ତକ୍ରମରେ ଯାହା କିଛି ଅନୁଧ୍ୟାନ ଓ ଶିକ୍ଷଣ କରିବେ ବିଭାଗୀୟ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ବିକାଶ ଦିଗରେ ତାକୁ ପ୍ରୟୋଗ କରିବାକୁ ଚେଷ୍ଟା କରିବେ ବୋଲି କହିବା ସହ ବିଭାଗ ଏଭଳି ସୁଯୋଗ ପ୍ରଦାନ କରିଥିବାରୁ ସେ ବିଭାଗ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।