ଭୁବନେଶ୍ବର: ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ପ୍ରେରଣା ପାଇଁ ଧର୍ମଗଡର ମହିଳା ସ୍ଵାସ୍ଥ୍ୟକର୍ମୀ ଦିବ୍ୟଲତା ଦୀପଙ୍କୁ ରାଜ୍ୟର ପ୍ରଥମ ଓ ବୋର୍ଡ ସ୍ଵାସ୍ଥ୍ୟକେନ୍ଦ୍ରର ସ୍ଵାସ୍ଥ୍ୟକର୍ମୀ ଲିନା ସାହୁଙ୍କୁ ଦ୍ଵିତୀୟ ପୁରସ୍କାର। ମଙ୍ଗଳବାର ବିଶ୍ଵ ଜନସଂଖ୍ୟା ଦିବସ ପାଳନ ଅବସରରେ ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀଙ୍କୁ କ୍ରମାଗତ ଅଷ୍ଟମଥର ପାଇଁ ସମ୍ବର୍ଦ୍ଧିତ କରାଯାଇଛି। ଆଜି ଭୁବନେଶ୍ୱର ସ୍ଵାସ୍ଥ୍ୟ ନିର୍ଦ୍ଦେଶକଙ୍କ ସମ୍ମିଳନୀକକ୍ଷରେ ଆୟୋଜିତ ଏକ ସଭାରେ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଡାକ୍ତର ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଏହି ଅବସରରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ କୁମାର ପାଣିଗ୍ରାହୀ ଓ ଅନ୍ୟାନ୍ୟ ନିର୍ଦ୍ଦେଶକ ମାନେ ଉପସ୍ଥିତ ଥିଲେ। ମହିଳା ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଦମ୍ପତିଙ୍କୁ ପ୍ରେରଣା ପାଇଁ ଧର୍ମଗଡର ମହିଳା ସ୍ଵାସ୍ଥ୍ୟକର୍ମୀ ଶ୍ରୀମତୀ ଦିବ୍ୟଲତା ଦୀପଙ୍କୁ ପ୍ରଥମ ଓ ବୋର୍ଡ ସ୍ଵାସ୍ଥ୍ୟକେନ୍ଦ୍ରର ସ୍ଵାସ୍ଥ୍ୟକର୍ମୀ ଲିନା ସାହୁଙ୍କୁ ଦ୍ଵିତୀୟ ପୁରସ୍କାର ମିଳିଛି। ଡାକ୍ତର ପାଣିଗ୍ରାହୀ ୧୯୯୭ ମସିହାରୁ ଏପର୍ଯ୍ୟନ୍ତ ୩୩ ହଜାର ୧୪୮ ଜଣ ମହିଳାଙ୍କୁ ସଫଳ ଭାବେ ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ରାଜ୍ୟରେ ଚଳିତବର୍ଷ ଦ୍ଵିତୀୟ ସ୍ଥାନ ଅଧିକାର କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ସେବା କାର୍ଯ୍ୟରେ ସଫଳତା ପାଇଁ ସେ ଥରେ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ରାଜ୍ୟସ୍ତରରେ ସାତଥର ଓ ଜିଲ୍ଲାସ୍ତରରେ ନଅଥର ସମ୍ବର୍ଦ୍ଧିତ ହୋଇଛନ୍ତି।
ତାଙ୍କର ଏହି ସେବା କାର୍ଯ୍ୟ ପାଇଁ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଥିଲେ। ଡ଼ାକ୍ତର ପାଣିଗ୍ରାହୀଙ୍କୁ ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନେସନାଲ ଫ୍ରେଣ୍ଡସିପ୍ ସୋସାଇଟି ପକ୍ଷରୁ ଭାରତ ଜ୍ୟୋତି ସମ୍ମାନ ପ୍ରଦାନ କରାଯାଇଥିଲା। ମହାବୀର ସାଂସ୍କୃତିକ ଅନୁଷ୍ଠାନର ଭବାନୀପାଟଣାର ମହାବୀର ମହୋତ୍ସବରେ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ କୃତୀ ସନ୍ତାନ ଭାବେ ସମ୍ବର୍ଦ୍ଧିତ ହୋଇଥିଲେ। ଏଠାରେ ସୁଚନା ଯୋଗ୍ୟ ଯେ, ଦୁଇଥର ତାଙ୍କ ନାମ ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ସ୍ଥାନିତ ହୋଇ ସାରିଛି। କିଛିଦିନ ତଳେ ଡାକ୍ତର ପାଣିଗ୍ରାହୀ ନିଜେ ୨୪୬ ଗୋଟି ଦେଶର ୨୨୩୯ ଗୋଟି ମୁଦ୍ରା ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ତାଙ୍କ ନାମ ସ୍ଥାନିତ ହୋଇଅଛି। ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ନିଜର ୨୬ ବର୍ଷ ଚାକିରି କାଳ ମଧ୍ୟରେ ୩୦ ହଜାର ମହିଳାଙ୍କୁ ସଫଳ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରି ଏକ ଇତିହାସ ସୃଷ୍ଟି କରି ଥିବାରୁ ପୂର୍ବରୁ ତାଙ୍କ ନାମ ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ଦର୍ଜ ହୋଇଛି। ଡ଼ାକ୍ତର ସଦାନନ୍ଦ ପାଣିଗ୍ରାହି ଏବେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସରକାରୀ ଚିକିତ୍ସାଳୟରେ ମେଡିକାଲ ଅଧିକାରୀ ଭାବରେ ଅବସ୍ଥାପିତ ଅଛନ୍ତି। ଡାକ୍ତର ପାଣିଗ୍ରାହୀଙ୍କ ଏଭଳି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/WhatsApp-Image-2023-07-11-at-3.23.19-PM.jpeg)