କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡା.ପୂର୍ଣ୍ଣଚନ୍ଦ୍ର ପଣ୍ଡା ସମ୍ମାନିତ

ଭବାନୀପାଟଣା: କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଠାରେ ଵନମହୋତ୍ସବର ଉଦଯାପନୀ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ରାସ ବିହାରୀ ବେହେରା, ପୂର୍ଵ ଅଧ୍ୟାପକ ଡ଼ଃ. ଅଜୟ ମିଶ୍ର, ରେଜିଷ୍ଟାର ଡ଼ଃ ପିତାମ୍ବର ଭୋଇ ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି ଉପଲକ୍ଷେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପକ୍ଷରୁ ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କୁ ସମ୍ମାନିତ କରାଯାଇଥିଲା।
କରୋନା ମହାମାରୀ ଆରମ୍ଭରୁ ହିଁ କରୋନା ରୋଗୀଙ୍କୁ ଉତ୍କୃଷ୍ଟ ସେବା କରିବା ସହ ହଜାର ହଜାର ଲୋକଙ୍କୁ ଉଚିତ ପରାମର୍ଶ ଓ ଚିକିତ୍ସା ଯୋଗାଇ କଳାହାଣ୍ଡି ତଥା ଓଡିଶାର ଏକ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି ଡା. ପୂର୍ଣ୍ଣଚନ୍ଦ୍ର ପଣ୍ଡା । ଡା. ପଣ୍ଡା ୮୫୦୦ରୁ ଊର୍ଦ୍ଧ୍ବ ରୋଗୀଙ୍କୁ ସ୍କ୍ରିନିଂ ଓ ଚିକିତ୍ସା କରିଥିବା ବେଳେ ଲକଡାଉନ ସମୟରେ ବାହାର ରାଜ୍ୟରୁ ଆସୁଥିବା ଦାଦନ ଶ୍ରମିକଙ୍କୁ ଚିକିତ୍ସା, ଭବାନୀପାଟଣାରେ ଥିବା ସମସ୍ତ ଟିଏମସି ଓ ସଙ୍ଗରୋଧ କେନ୍ଦ୍ରରେ ଥିବା ରୋଗୀଙ୍କ ଚିକିତ୍ସା, ଆକାଶବାଣୀ, ଦୂରଦର୍ଶନ ତଥା ବିଭିନ୍ନ ଗଣମାଧ୍ୟମରେ ସଚେତନ ବାର୍ତ୍ତା ଦେଇ ଜିଲ୍ଲାବାସୀଙ୍କ ପ୍ରିୟ ଭାଜନ ହୋଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏନସିସି ଅଫିସର ଜୟଦେବ ସାହୁ, ଡ଼ଃ ଚିତରଞ୍ଜନ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ସମ୍ବନ୍ଧିତ ଖବର