ନୂଆ ସମ୍ଭାବନା: ‘ଡ୍ରାଗନ୍‌ ଫ୍ରୁଟ୍‌ସ’ ଚାଷ, ଆଠଗଡ଼ ଫାର୍ମରେ ଓଡ଼ିଆ ଯୁବକଙ୍କ ପରୀକ୍ଷା

କଟକ: ୩୫ରୁ ୩୭ ଦିନ ଭିତରେ ଉତ୍ପାଦନ ହେଉଥିବା ୩୭ କ୍ବିଣ୍ଟାଲ ଡ୍ରାଗନ୍‌ ଫ୍ରୁଟ୍‌ସ ବିକ୍ରି କରି ୧୦ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ଜଣେ ଯୁବ ଚାଷୀ। ଓଡିଶାର ଜଳବାୟୁ ଏହି ଡ୍ରାଗନ୍ ଫ୍ରୁଟ୍‌ସ ଚାଷକୁ ସୁହାଉ ଥିବା ବେଳେ ଏଭଳି ନୂଆ ଯୋଜନା ନେଇ ମୁମ୍ବାଇରୁ ଉଚ୍ଚ ଦରମାର କର୍ପୋ‌ରେଟ ଚାକିରି ଛାଡ଼ି ଓଡ଼ିଶାକୁ ନିଜର କର୍ମକ୍ଷେତ୍ର ଭାବେ ବାଛି ନେଇଛନ୍ତି ଯୁବ ଉଦ୍ୟାନ୍‌ କୃଷି ପରାମର୍ଶଦାତା ବାଲେଶ୍ବର ଜିଲ୍ଲା ମାର୍କୋଣାର ଅକ୍ଷୟ କୁମାର ସେଠୀ। ଅକ୍ଷୟ ଏବେ ଭୁବନେଶ୍ବରରେ ରହୁଥିଲେ ବି କଟକ ଜିଲ୍ଲା ଆଠଗଡ଼ର ଏକ ଫାର୍ମରେ ଫଳାଇଛନ୍ତି ୩୭ କ୍ବିଣ୍ଟାଲ ଡ୍ରାଗନ୍‌ ଫଳ। ନୟାଗଡ଼ ଓ ଓଡଗାଁରେ ମଧ୍ୟ ତାଙ୍କ ପରାମର୍ଶ‌ରେ ଆରମ୍ଭ ହୋଇଛି ଡ୍ରାଗନ୍‌ ଚାଷ। ପ୍ରଥମ ପର୍ଯ୍ୟାୟରେ ଆଠଗଡ଼ରୁ ଫଳ ଫଳିବା ଆରମ୍ଭ ହୋଇଥିବା ବେଳେ ଢେଙ୍କାନାଳ ଜିଲ୍ଲାର ଗଁଦିଆଠାରେ ଭାରତର ସବୁଠାରୁ ବଡ ଡ୍ରାଗନ୍‌ ଚାଷ ଏବେ ୩୦ ଏକର ଜମିରେ ଆରମ୍ଭ ହୋଇଛି। କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍‌ ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତର ବଉଦା ଗ୍ରାମରେ ରହିଛି ସଚ୍ଚିନ ଶର୍ମାଙ୍କ ଫାର୍ମ। ସେଠି ଅକ୍ଷୟଙ୍କ ପରାମର୍ଶ ଓ ତତ୍ବାବଧାନରେ ଆରମ୍ଭ ହୋଇଥିଲା ଡ୍ରାଗନ୍‌ ଫ୍ରୁଟ୍ ଚାଷ। ୨୦୧୯ ସେପ୍ଟେମ୍ବରରେ ଚାଷ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୨୫ଟି ପୋଲରେ ‌ଅଢେଇ ହଜାର ଡ୍ରାଗନ୍‌ ଫ୍ରୁଟ୍‌ସ୍ ଗଛ ଲଗାଯାଇଥିଲା। ଯେଉଁଥିରୁ ପ୍ରଥମ ବର୍ଷ ଅର୍ଥାତ୍‌ ଗତ ବର୍ଷ ୫ କ୍ବିଣ୍ଟାଲ ଡ୍ରାଗନ୍‌ ଫ୍ରୁଟ୍‌ସ୍ ବାହାରିଥିଲା। ତାହାକୁ କେଜି ପ୍ରତି ୫ଶହରୁ ସାଢେ ୫ଶହ ଟଙ୍କାରେ ବିକ୍ରି କରାଯାଇଥିଲା। କିନ୍ତୁ ଚଳିତବର୍ଷ ସେହି ଫାର୍ମରୁ ୩୭ କ୍ବିଣ୍ଟାଲ ଉତ୍ପାଦନ ହୋଇଛି। ତାହାକୁ କିଲୋ ପିଛା ୪ଶହରୁ ୪୫୦ ଟଙ୍କାରେ ବିକ୍ରି କରାଯାଇଛି। ଭୁବନେଶ୍ବର ବଜାରରେ ଏହା ବେଶ୍‌ ଭଲ ବିକ୍ରି ହୋଇଥିବା ବେଳେ କଟକ, ରାଉରକେଲା, ବାଲେଶ୍ବରରେ ବି ଏହାର ଚାହିଦା ରହିଛି।

ଏକର ପିଛା ଏହି ଚାଷ ପାଇଁ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଥରେ ଗଛ ଲେଗାଇଲେ ୨୦ ବର୍ଷ ପର୍ଯ୍ୟନ୍ତ ସେଥିରୁ ଅମଳ ହେବ। ଏକରରେ ୫ଶହ ପୋଲ୍‌ ଲାଗିବ ଓ ୨ ହଜାର ଗଛ ଲଗାଯିବ। ସେଥିରୁ ୮ମାସ ଭିତରେ ପ୍ରଥମ ଫଳ ବାହାରିବ। ପ୍ରଥମ ବର୍ଷ ଗଛର ଯତ୍ନ ନେବା ଅଧିକ ସମସ୍ୟା କରିଥାଏ। କିନ୍ତୁ ପରବର୍ତ୍ତୀ ବର୍ଷ ମାନଙ୍କରେ ତାହା ସହଜ ହୋଇଯାଏ। ଡ୍ରାଗନ୍‌ ଫ୍ରୁଟ୍‌ସ୍ ଚାଷ ପାଇଁ ଓଡିଶା ପାଣିପାଗ ବେଶ୍‌ ଅନୁକୂଳ। ସାଧାରଣତଃ ବାହାର ଦେଶରେ ମେ’ରୁ ଜୁନ୍‌ ଭିତରେ ଫୁଲ ଧରିଥାଏ। କିନ୍ତୁ ଆମ ରାଜ୍ୟରେ ଜୁନ୍‌ ପ୍ରଥମ ସପ୍ତାହରୁ ଫୁଲ ଧରିଥାଏ ଓ ୪୦ଦିନ ଭିତରେ ଅମଳ ହୁଏ। ଆଠଗଡ଼ରେ କିନ୍ତୁ ୩୫ରୁ ୩୭ ଦିନ ଭିତରେ ଫଳ ଅମଳ ଅବସ୍ଥାକୁ ଆସିଯାଇ ନଭେମ୍ବର ମାସରେ ଅମଳ ହୋଇଛି। ପ୍ରଥମ ବର୍ଷ ପ୍ରତ୍ୟେକ ଗଛରେ ଗୋଟିଏ ବା ଦୁଇଟି ଅଧ କେଜିର ଫଳ ଫଳିଥାଏ। ୨ୟ ବର୍ଷ ଗୋଟିଏ ଗଛରୁ ଅଢେଇ କେଜି/୩ କେଜି ଫଳ ବାହାରି ଥିବା ଅକ୍ଷୟ କହିଛନ୍ତି। ଅକ୍ଷୟଙ୍କ ବାପା କହ୍ନେଇ ଚରଣ ସେଠୀ ଜଣେ ସରକାରୀ କର୍ମଚାରୀ। ଅକ୍ଷୟ ରେଭେନ୍ସା ବାଣିଜ୍ୟରେ ଗ୍ରାଜୁଏଟ୍‌ ପାଠ ଶେଷ କରି ୨୦୦୧ରେ ଭାରତୀ ବିଦ୍ୟାପୀଠ ମୁମ୍ବାଇରେ ଏମ୍‌ବିଏ କରିଥିଲେ। ତାପରେ କ୍ୟାମ୍ପସରୁ ଚୟନ ହୋଇ କର୍ପୋରେଟ ସଂସ୍ଥାରେ ଚାକିରି କଲେ। ତାଙ୍କର ବାର୍ଷିକ ଦରମା ୧୫ଲକ୍ଷ ଟଙ୍କା ଥିଲା। ୨୦୦୮/୦୯ରୁ ଟେକ୍ନୋଲୋଜି ବେସ୍‌ଡ କୃଷି ଉପରେ ତାଙ୍କର ଆଗ୍ରହ ବଢିଥିଲା। ୨୦୧୧ରେ ସେ ପ୍ରଥମେ ଗୋଲାପ ଫୁଲ ଚାଷ ଆରମ୍ଭ କରିଥିଲେ। ତେବେ ୨୦୧୮ରୁ ଚାକିରି ଛାଡି ଓଡିଶା ଫେରି ଆସିଥିଲେ। ଆଠଗଡ଼ ସହକାରୀ ଉଦ୍ୟାନ କୃଷି ଅଧିକାରୀ ବିଷ୍ଣୁପ୍ରସା‌ଦ ସିଂହଙ୍କ କହିବା ଅନୁସାରେ ଆଠଗଡ଼ର ଦୁଇଟି ସ୍ଥାନରେ ଏବେ ଡ୍ରାଗନ୍‌ ଫ୍ରୁଟ୍‌ସ୍ ଚାଷ ହୋଇଛି ଓ ଭଲ ଫଳ ବି ଫଳିଛି।

ସମ୍ବନ୍ଧିତ ଖବର