ମାଲକାନଗିରିରେ ଡ୍ରାଗନ ଚାଷ, ବିଦେଶୀ ଫଳ ଚାଷ କରି ସଫଳତା ହାସଲ କରିଛନ୍ତି ଜିତେନ

ମାଲକାନଗିରି: ଜିତେନ ବାଲା। ଘର ମାଲକାନଗିରି ଜିଲ୍ଲାର କୋରକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୩୮ ଗ୍ରାମରେ। ଜିତେନଙ୍କର ଚାଷ ପ୍ରତି ଦୁର୍ବଳତା ରହିଥିବାରୁ ସେ ନିଜର ଜମିରେ ବିଭିନ୍ନ ପ୍ରକାର ପନିପରିବା ସହ ଦୁର୍ଲ୍ଲଭ ଫଳ ଚାଷ ମଧ୍ୟ କରି ସଫଳତା ହାସଲ କରି ପାରିଛନ୍ତି। ଏହି କ୍ରମରେ ଜିତେନ ଏଥର ବିଦେଶୀ ଡ୍ରାଗନ ଫଳକୁ ଚାଷ କରି ସଫଳତା ହାସଲ କରି ପାରିଛନ୍ତି। ଯେଉଁ ଫଳ ବିଶେଷକରି ଚାଇନା, ବାଂଲାଦେଶ, ଥାଇଲାଣ୍ଡ, ଭିଏତନାମ ଭଳି ଦେଶରେ ପ୍ରଚୁର ପରିମାଣରେ ହେଉଛି। ଭାରତର ଉତ୍ତର ପ୍ରଦେଶ ବିହାର, ସହ ଦକ୍ଷିଣ ଭାରତ କିଛି ଅଂଚଳରେ ମଧ୍ୟ ଏହି ଡ୍ରାଗନ ଫଳ ଚାଷ ପ୍ରଚୁର କରାଯାଉଛି। ଓଡିଶାରେ ଏହାକୁ ଚଳିତ ବର୍ଷ ଆରମ୍ଭ କରାଯାଇଛି। ତେବେ ଜିତେନ କିନ୍ତୁ ନିଜ ମୋବାଇଲରେ ୟୁଟ୍ୟୁବ ଦେଖୁଥିବା ବେଳେ ଏହି ଡ୍ରାଗନ ଫସଲ ସଂପର୍କରେ ଜାଣିବାକୁ ପାଇଥିଲେ। ଏହି ଫଳର ଦାମ ବଜାରରେ ସବୁଠାରୁ ବେଶି ରହିଥିବାରୁ ଏହାକୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରିହେବ ବୋଲି ଜିତେନ ଏହାକୁ ନିଜ ବାଡିରେ ଚାଷ କରିବା ପାଇଁ ମନସ୍ଥ କଲେ। ୟୁଟ୍ୟୁବରୁ କିପରି ଡ୍ରାଗନ ଫଳ ଗଛ ଲଗାଯିବ, କିପରି ଏହାର ଯତ୍ନ ନିଆଯିବ ଇତ୍ୟାଦି ଶିକ୍ଷା ଲାଭ କରି ନିଜର ୫୦ ସେଣ୍ଟ ଜାଗାରେ ଏହି ଗଛ ଲଗାଇଲେ। ଏହି ୫୦ ସେଣ୍ଟ ଜାଗାରେ ମୋଟ ୧୦୦୦ ଗଛ ଲଗାଇଥିବା ଜିତେନ କହନ୍ତି। ନିଜ ବାଡିରେ ଗଛ ଲଗାଇବା ଇତି ମଧ୍ୟରେ ୯ ମାସ ବିତିଗଲାଣି। ଏବେ ଗଛରେ ଫଳ ଧରିବା ସହ ପାକଳ ମଧ୍ୟ ହେଲାଣି। ବଜାରେ ଗୋଟିଏ ଡ୍ରାଗନ ଫଳକୁ ଶହେରୁ ଶହେ ପଚାଶ ଟଂକା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଜିତେନ କିନ୍ତୁ କିଲୋ ପିଛା ୩୦୦ ରୁ ୪୦୦ ଟଂକା ପର୍ଯ୍ୟନ୍ତ ବିକ୍ରି କରୁଥିବା କହନ୍ତି। ମାଲକାନଗିରି ଜିଲ୍ଲା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଚାଷୀ ଧାନ କିମ୍ବା ମାଣ୍ଡିଆ ଚାଷ ପଛରେ ଦୌଡୁଥିବା ବେଳେ ଜିତେନ ଭଳି ଦୁର୍ଗମ ଅଂଚଳର ଜଣେ ଚାଷୀ ଏଭଳି ମହଙ୍ଗା ଫଳ ଚାଷ କରି ବେଶ ସଫଳତା ପାଇଥିବାରୁ ଏହି ଅଂଚଳରେ ଏବେ ଏହି ଫଳ ପ୍ରତି ଆଗ୍ରହ ଦେଖାଉଥିବା ଦେଖିବାକୁ ମିଳିଛି। ବିଦେଶୀ ଫଳ ଚାଷ କରି ଜିତେନ ଏବେ ମାଲକାନଗିରିରେ ବେଶ ଚର୍ଚ୍ଚିତ ଚେହେରା।

ନିଜର ପାରଂପାରିକ ଧାନ ଚାଷ କରୁଥିଲେ ମଧ୍ୟ କିଛି ଅଲଗା କରି ଦେଖାଇବାର ଇଛା ତାଂକର ମନରେ ସବୁବେଳେ ଥିବା ସେ କହନ୍ତି। ଏହି ଗଛ ଏବଂ ଫଳ ଦେଖିବାକୁ ବିଭିନ୍ନ ଅଂଚଳର ଲୋକଙ୍କ ସୁଅ ଛୁଟୁଥିବା ସେ କହିଛନ୍ତି। ସେ ଏହି ଚାଷ ପାଇଁ ମନ ବଳାଇଥିଲେ ମଧ୍ୟ ତାଂକୁ ଗଛ ମିଳି ନଥିଲା। ପରେ ସେ ବାଂଲାଦେଶରୁ ଏହି ଗଛକୁ କିଣି ଆଣିଥିଲେ। ୧୦୦୦ ଗଛର ଦାମ ପ୍ରାୟ ଏକ ଲକ୍ଷ ଟଂକା ହେବ ବୋଲି ଜଣାପଡିଛି। ଗଛ ଗୁଡିକର ପ୍ରତିଦିନ ଯତ୍ନ ନିଆଯାଉଛି। ଏବେ ଗଛରେ ଫଳ ଫଳିବା ଆରମ୍ଭ ହୋଇ ସାରିଲାଣି। ଆଗାମୀ କିଛି ଦିନ ମଧ୍ୟରେ କ୍ବିଣ୍ଟାଲ କ୍ବିଣ୍ଟାଲ ଫଳ ହେବ ବୋଲି ଜିତେନ କହନ୍ତି। ଏହି ଫଳ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସହାୟକ ହେଉଥିବାରୁ ଏହାକୁ ଲୋକେ ଯେତେ ଦାମ ହେଲେ ମଧ୍ୟ କିଣି ନେଉଥିବା ଦେଖିବାକୁ ମିଳିଛି। ତେବେ ଜିତେନ ଏହି ଫଳକୁ ମାଲକାନଗିରି ବଜାରରେ ବିକ୍ରି ପରେ ବାହାରକୁ ମଧ୍ୟ ପଠାଇବେ ବୋଲି କହଛନ୍ତି। ଆଜିକା ଦିନରେ ଜଣେ ଚାଷ ବିଷୟରେ କିଛି ନ ଜାଣିଥିଲେ ମଧ୍ୟ ୟୁଟ୍ୟୁବ ଏକ ଶିକ୍ଷଣୀୟ ମଧ୍ୟମ ପାଲଟିଗଲାଣି। ବିଭିନ୍ନ ଚାଷୀ ୟୁଟ୍ୟୁବରୁ ବିଭିନ୍ନ ଚାଷ ପଦ୍ଧତି ଶିକ୍ଷା ଲାଭ କରି ନିଜର ଜମିରେ ଏବଂ ପଖୋରୀରେ ଚାଷ କରି ସଫଳ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜିତେନ ଅନ୍ୟତମ। ଜିତେନ ଏବେ ସମସ୍ତ ଚାଷୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ଚାଷ ପ୍ରାୟତଃ ରଂଗ ମାଟି ଥିବା ସ୍ଥାନରେ ପ୍ରଚୁର ହୁଏ। କିନ୍ତୁ ଏହି ଡ୍ରାଗନ ଫଳ ଚାଷ ପାଇଁ ମାଲକାନଗିରି ମାଟିରେ ମଧ୍ୟ ହୋଇପାରିବ ତାହା ଜିତେନ ପ୍ରମାଣ କରି ଦେଖାଇଛନ୍ତି।

ସମ୍ବନ୍ଧିତ ଖବର