ବିପର୍ଯ୍ୟସ୍ତ ଅବସ୍ଥାରେ ଭଦ୍ରକ ମେଡିକାଲ ଡ୍ରେନ

ଭଦ୍ରକ: ଆଗକୁ ଆସୁଛି ପୌର ନିର୍ବାଚନ। ଭଦ୍ରକରେ ବାଜିଲାଣି ନିର୍ବାଚନର ବିଗୁଲ୍। ଭଦ୍ରକ ସହରର ନେତା ଆଗାମୀ ନିର୍ବାଚନକୁ ସାମ୍ମନା କରିବାକୁ ଯାଉଥିବା ବେଳେ ଲୋକେ କିନ୍ତୁ ଭଦ୍ରକ ସହର ବିକାଶର ଗୋଲାପୀ ଚିତ୍ରକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଭଦ୍ରକ ଅମୃତ ସହର ଯୋଜନାରେ ସାମିଲ ହୋଇଥିବା ବେଳେ ଏ ସହରର ବିକାଶ ପାଇଁ କୋଟି କୋଟି ଟଙ୍କାର ଅନୁଦାନ ଆସୁଛି। ଏଇ ଅନୁଦାନକୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଆଳରେ ଚଳୁ କରାଯାଉଛି। ବିକାଶ ପାଇଁ ଆସୁଥିବା ଟଙ୍କାକୁ ଲୁଟି ନେଇଛନ୍ତି କିଛି ଯନ୍ତ୍ରୀ ଆଉ ଠିକାଦାର। ଭଦ୍ରକରେ ବିକାଶ ନାହିଁ , ବରଂ ଏକ ବିକଳାଙ୍ଗ ସହର ହୋଇଛି। ଭଦ୍ରକକୁ ଯିଏ ଆସିଲା ଲୁଟି ଖାଇ ଚାଲିଗଲା। ସବୁକ୍ଷେତ୍ରରେ ଅଧୀକାରୀମାନେ ଭଦ୍ରକ ସହରବାସୀଙ୍କୁ ଭକୁଆ ବନାଇ ଚାଲି ଯାଉଛନ୍ତି। ଭଦ୍ରକ ସହରର ଡ୍ରେନେଜ୍ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥା ପ୍ରତି କେହି ଗୁରୁତ୍ବ ଦେଉ ନାହାଁନ୍ତି। ସହର ଭିତରେ ଥିବା ବିଭିନ୍ନ ଡ୍ରେନର ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହେଉ ନଥିବା ବେଳେ ଡ୍ରେନରେ ଭର୍ତ୍ତି ହୋଇ ରହୁଥିବା ଅଳିଆ ମଧ୍ୟ ସଫା କରାଯାଉ ନାହିଁ। ପ୍ରକାଶ ଥାଉକି, ଭଦ୍ରକ ସହରର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତା ଦେଇ ଯାଇଥିବା ଡ୍ରେନ ଭଦ୍ରକର ଆରଆଣ୍ଡବି ବିଭାଗ ଅଧୀନରେ ରହିଥି‌ବା ବେଳେ ଏହି ବିଭାଗ ଭଦ୍ରକ ସହରରେ ଥିବା ଡ୍ରେନ ଗୁଡିକର ସୁଧାର ନିମନ୍ତେ ଗୁରୁତ୍ବ ଦେଉ ନଥିବା ଅଭିଯୋଗ ହୋଇଛି। ଭଦ୍ରକ ମେଡିକାଲ ସମ୍ମୁଖ ଡ୍ରେନ ପୋତିହୋଇ ଯାଇଥିବା ବେଳେ ଏଇ ଡ୍ରେନ ଭିତରେ ଭର୍ତ୍ତି ହୋଇଥିବା ଅଳିଆ ବର୍ଷବର୍ଷ ଧରି ଖୋଲା ଯାଉ ନାହିଁ। ଅଳିଆ ଭର୍ତ୍ତି ଡ୍ରେନ ଭିତରେ ମଇଳା ଜଳ ନିଷ୍କାସିତ ହେଉନାହିଁ। ମଇଳା ପାଣି ଡ୍ରେନ ଭିତରେ ଜମି ରହି ପୋତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି।

Sambad

ମେଡିକାଲକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଏହି ମଇଳା ଓ ପଚା ପାଣି ଆଉ ଅଳିଆର ଗନ୍ଧ ଶୁଂଘୁଛନ୍ତି। ଯେଉଁ ଲକ୍ଷ୍ୟ ନେଇ ଡ୍ରେନ ନିର୍ମାଣ ହୋଇଥିଲା। ଡ୍ରେନ ଦ୍ବାରା ସେଇ ଲକ୍ଷ୍ୟ ପୂରଣ ହେଉ ନାହିଁ। ବର୍ଷା ଜଳ ଓ ସହରର ମଇଳା ଜଳ ବାହାରକୁ ନିଷ୍କାସିତ ହେବାର ଯୋଜନାକୁ ଆରଆଣ୍ତବି ବିଭାଗ ଜାଣି ଶୁଣି ଏଭଳି ପରିସ୍ଥିତି ସୃଷ୍ଟି କରିଛି। ଭଦ୍ରକର ମେଡିକାଲ ପାର୍ଶ୍ବ ଦେଇ ଯାଇଥିବା ଡ୍ରେନର ଯଦି ଏଲଳି ଅବସ୍ଥା। ତେବେ ଅନ୍ୟ ଡ୍ରେନ ଗୁଡକିର ଅବସ୍ଥା କିଭଳି ହୋଇଥିବ ତାହା ଏଥିରୁ ସ୍ବଷ୍ଟ ହୋଇଛି। ସହର ଦେଇ ଯାଇଥିବା ଅନ୍ୟ ଡ୍ରେନ ଗୁଡିକର ଅବସ୍ଥା ନକହିବା ଭଲ। ଡ୍ରେନେଜ ବିଭାଗ ଅଧୀନରେ ଥିବା ସହରର ୩ ଟି ପ୍ରମୁଖ ଡ୍ରେନ ଅବସ୍ଥାର ସୁଧାର ହୋଇ ପାରି ନାହିଁ। କଚେରୀ ଡ୍ରେନ, ବନ୍ତ ଛକ ଡ୍ରେନ ଓ ଡାହାଣି ଗଡିଆ ଡ୍ରେନ, ନେହେରୁ ଷ୍ଟାଡିୟମ ଡ୍ରେନର ଦୂରାବସ୍ଥା ଅବସ୍ଥା ପ୍ରତି ଲୋକେ ପ୍ରଶ୍ନ କରିଛନ୍ତି। ଏଇସବୁ ଡ୍ରେନ ନିର୍ମାଣ ପାଇଁ ଆସିଥିବା କୋଟି କୋଟି ଟଙ୍କାକୁ କିଭଳି ଖର୍ଚ୍ଚ କରାଯାଇଛି। ତାହାର ହିସାବ ଏବେ ମାଗୁଛନ୍ତି ସହରବାସୀ। ଆଗକୁ ଆସୁଛି ପୌର ନିର୍ବାଚନ। ପୌର ନିର୍ବାଚନ ପୂର୍ବରୁ ସହରର ଏଭଳି ବିପର୍ଯ୍ୟସ୍ତ ଡ୍ରେନେଜ ବ୍ୟବସ୍ଥାର ସୁଧାର କରା ନଗଲେ ପୁଣି ବର୍ଷା ଦିନେ ଲୋକଙ୍କୁ ସେଇ ଦଶା ଭୋଗିବାକୁ ପଡିବ। ସାମାନ୍ୟ ବର୍ଷା ହେଲେ ଲୋକଙ୍କ ଘରେ ମଇଳା ପାଣି ପଶିବ। ଏଭଳି ଭଦ୍ରକବାସୀ କେତେଦିନ ଦୁର୍ଦ୍ଦଶା ଭୋଗୁଥିବେ। ଲୋକେ କାହାକୁ ଗୁହାରୀ କରିବେ। କିଏ ଶୁଣିବ ସେମାନଙ୍କ କଥା।

ସମ୍ବନ୍ଧିତ ଖବର