ଖୋର୍ଦ୍ଧା ସହରରେ ନାଳ ନାହିଁ; କିନ୍ତୁ ଆଦାୟ ହେଉଛି ନର୍ଦ୍ଦମା ନିଷ୍କାସନ ଟିକସ

ଖୋର୍ଦ୍ଧା: ରାଜ୍ୟ ରାଜଧାନୀର ଜିଲ୍ଲାର ସଦର ମହକୁମାରେ ଆବର୍ଜନା ଜଳ କିମ୍ବା ବର୍ଷା ଜଳ ନିଷ୍କାସନ ହେବା ପାଇଁ ନାଳ ନାହିଁ। ଶୁଣିଲେ ଯେ କେହି ମଧ୍ୟ ଆଶ୍ଚର୍ଯ୍ୟ ନହୋଇ ରହିପାରିବ ନାହିଁ। ଖୋର୍ଦ୍ଧା ସହର ବିଜ୍ଞପିତ ଅଂଚଳ ପରିଷଦରୁ ପୌର ପରିଷଦରେ ଉତ୍ତୀର୍ଣ୍ଣ ହେବା ଦିନଠାରୁ ଆଜି ମଧ୍ୟରେ ଦୀର୍ଘ ୩ ଦଶନ୍ଧୀ ବିତିଯାଇଥିଲେ ମଧ୍ୟ ସହରର ନାଳ ସମସ୍ୟା ସମାଧାନ ହୋଇପାରିନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବର୍ଷ ବର୍ଷ ଧରି ବାସିନ୍ଦାଙ୍କ ଠାରୁ ପ୍ରତିବର୍ଷ ନର୍ଦ୍ଦମା ନିଷ୍କାସନ ବାବଦକୁ ପୌର ପରିଷଦର ଲକ୍ଷାଧିକ ଟଙ୍କା ଆୟ କରୁଥିଲେ ମଧ୍ୟ ଏହାର ଉନ୍ନତି ପାଇଁ କାଣିଚାଏ ଖର୍ଚ୍ଚ କରୁନାହିଁ। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧୀନରେ ଖୋର୍ଦ୍ଧା ସହରର ଅର୍ଦ୍ଧାଧିକ ଅଂଚଳ ରହିଛି।

୨୦୧୭ରେ ଭୁବନେଶ୍ୱର ମହାନଗର ନିଗମ, ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦ ସମେତ ରାଜ୍ୟର ଗଂଜାମ, କଟକ ଓ ସୁନ୍ଦରଗଡ଼ ସହରର ନର୍ଦ୍ଦମା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ ଓଡ଼ିଶା ସହରାଂଚଳ ପରିମଳ ନୀତି ପ୍ରସ୍ତୁତ କରିଥିଲେ। ଏହି ନୀତି ଅନୁସାରେ, ଖୋର୍ଦ୍ଧା ସହରର ପରିବର୍ଦ୍ଧିତ ଜନସଂଖ୍ୟା ଓ ଆବଶ୍ୟକତାକୁ ନେଇ ଏକ ବ୍ୟବସ୍ଥିତ ନର୍ଦ୍ଦମା ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଥିଲା। ତେବେ ୨୦୧୧ ଜନସଂଖ୍ୟା ଅନୁସାରେ, ୧ ଲକ୍ଷ ଜନସଂଖ୍ୟାରୁ ଉର୍ଦ୍ଧ୍ବ ସହରରେ ଏହା ଲାଗୁ କରିବାକୁ ନିଷ୍ପତ୍ତି ନେବା ପରେ ଖୋର୍ଦ୍ଧା ସହରକୁ ଅଣଦେଖା କରାଯାଇଥିଲା। ତେବେ ଭୁବନେଶ୍ୱର ମହାନଗର ନିଗମ ସହ ମିଶାଇ ଜଟଣୀ ଓ ଖୋର୍ଦ୍ଧା ପୌରାଂଚଳରେ ଏକ ସମନ୍ୱିତ ନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥା କରିବାକୁ ରାଜ୍ୟ ନଗର ଉନ୍ନୟନ ବିଭାଗ ଯୋଜନା କରିଥିଲା।

ଏହା ମଧ୍ୟରେ ୩ ବର୍ଷ ବିତିଯାଇଛି କିନ୍ତୁ ଖୋର୍ଦ୍ଧା ସହରରେ ନର୍ଦ୍ଦମା ନିଷ୍କାସନ ନିମନ୍ତେ କୌଣସି ଠୋସ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ୨୦୧୭-୧୮ ଆର୍ଥିକ ବର୍ଷରେ ଖୋର୍ଦ୍ଧା ସହରରୁ ପୌର ପରିଷଦ ୩ ଲକ୍ଷ ୨୨ ହଜାର ୨୫୭ ଟଙ୍କା ଆଦାୟ କରାଯାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ବୃଦ୍ଧି ପାଇ ୩ ଲକ୍ଷ ୮୦ ହଜାର ୧୫୧ ଟଙ୍କାରେ ପହଂଚିଥିଲା। ୨୦୧୯-୨୦ରେ ଏହି କର ୪ ଲକ୍ଷରୁ ଉର୍ଦ୍ଧ୍ବ ଆଦାୟ କରାଯାଇଛି। ଗତ ୩ ବର୍ଷ ମଧ୍ୟରେ (୨୦୨୦-୨୧ ବ୍ୟତୀତ) ପ୍ରାୟ ୧୧ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ନର୍ଦ୍ଦମା କର ଲୋକଙ୍କ ଠାରୁ ଆଦାୟ କରାଯାଇଥିବା ବେଳେ ସହରର ୮୦ ପ୍ରତିଶତ ଅଂଚଳରେ ଆବର୍ଜନା ଜଳ ନିଷ୍କାସନ ହେବା ନିମନ୍ତ ନାଳ ନାହିଁ।

ପୌର ପରିଷଦ କାର୍ଯ୍ୟାଳୟରୁ ମିଳିଥିବା ସୂଚନାରେ ୨୦୧୭-୧୮ରେ ନାଳ ନର୍ଦ୍ଦମା ମରାମତି ପାଇଁ ୬୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୨୦୧୮-୧୯ ୬ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ତେବେ ୨୦୧୯-୨୦ ଓ ୨୦୨୦-୨୧ରେ ସହରର ନର୍ଦ୍ଦମା ନିଷ୍କାସନ ପାଇଁ କୌଣସି ଖର୍ଚ୍ଚ କରାଯାଇନାହିଁ। ନବୀନାବାଗରେ ଜନବସତି ସ୍ଥାପିତ ହୋଇ ପ୍ରାୟ ୨୦ ବର୍ଷ ହୋଇଗଲାଣି କିନ୍ତୁ ଏଯାଏଁ ସେଠାରେ ନାଳ ନିର୍ମାଣ ହୋଇନାହିଁ। କେବଳ ଏହା ନୁହେଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଗୋଟିଏ ପାର୍ଶ୍ବ ନାଳ ନିର୍ମାଣ ହୋଇଥିବା ବେଳେ ଆରପାର୍ଶ୍ବ ବେଆଇନ ଜବରଦଖଲ ଯୋଗୁଁ ନାଳ ନିର୍ମାଣ ଅଧାପନ୍ତରିଆ ହୋଇ ପଡ଼ିରହିଛି। ସେହିଭଳି ଚଣ୍ଡିଚୁଆ ଛକ ଠାରୁ ନୂଆ ବସ୍‌ଷ୍ଟାଷ୍ଟାଣ୍ତ ମଧ୍ୟରେ ରାସ୍ତାର ଉଭୟ ପାଶ୍ୱର୍ର ନାଳ ଅଧାପନ୍ତରିଆ ହୋଇ ପଡ଼ିଛି। ୩ ବର୍ଷ ପୂର୍ବେ ଯେଉଁ ନାଳ ନିର୍ମାଣ ହୋଇଥିଲା ତାହା ମରାମତି ଅଭାବରୁ ଭାଙ୍ଗିଗଲାଣି। ସେହିଭଳି ୬ ନମ୍ବର ୱାର୍ଡର ଅଂଜୁଶ୍ରୀ କଲ୍ୟାଣମଣ୍ଡପ ନିକଟରେ ମଧ୍ୟ ନାଳ ନିର୍ମାଣ ହୋଇ ପାରିନାହିଁ।

ମୁଖ୍ୟ ରାସ୍ତା ନୂଆ ବସ୍‌ଷ୍ଟାଣ୍ତ ଠାରୁ କୋର୍ଟ ପର୍ଯ୍ୟନ୍ତ ନାଳ ଅଧାପନ୍ତରିଆ ରହିଥିବା ବେଳେ ଆରପାଶ୍ୱର୍ସ୍ଥ ନାଳ ପୋତି ହୋଇଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ଷ୍ଟେଟ୍ ବ୍ୟାଙ୍କ ଛକ ଯାଏଁ ନାଳ ନାହିଁ କହିଲେ ଚଳେ। ଯଦି ସହରର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଓ ଜନବହୁଳ ପ୍ରମୁଖ ସଡ଼କ ପାଶ୍ୱର୍ସ୍ଥ ନାଳର ଅବସ୍ଥା ଏଭଳି ତେବେ ସହରର ଆଭ୍ୟନ୍ତରୀଣ ଅଂଚଳର ଅବସ୍ଥା କିଭଳି ଥିବା ସହଜରେ ଅନୁମାନ କରାଯାଇପାରେ। ସହରର ନାଳ ନେଇ ବିରୋଧୀ ରାଜନୈତିକ ଦଳ, ସ୍ଥାନୀୟ ସାମାଜିକ ସଂଗଠନ ଓ ଲୋକଙ୍କ ପକ୍ଷରୁ ଅନେକ ଥର ପ୍ରଶାସନର ଲିଖିତ, ଧାରଣା ଆଦି ମାଧ୍ୟରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ନନେବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଚଳିତ ବର୍ଷ ମୌସୁମୀରେ ଯଦି ୨୦୧୯ ଫନି ବାତ୍ୟାରେ ପ୍ରବଳ ବର୍ଷା ଯୋଗୁଁ ସହର ମଧ୍ୟରେ ଯେଉଁ ଅଚାନକ ବନ୍ୟା ଆସିଥିଲା ବର୍ତମାନ ସେଥିର ପୁନରାବୃତ୍ତି ଘଟିବା ଆଶଙ୍କା ରହିଛି। ଏଣୁ ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର