ହଂସୁଆ ଡ୍ରେନେଜ୍‌ରେ ପୁନରୁଦ୍ଧାର ବାଟବଣା: କୋଟି କୋଟି ଟଙ୍କା ଖର୍ଚ୍ଚ, ହେଲେ ଚାଷୀଙ୍କ ଯାଉନି ଦୁଃଖ

ତାରପୁର: ଜଗତସିଂହପୁର ଡ୍ରେନେଜ ବିଭାଗ ଅଧୀନରେ ଥିବା ହଂସୁଆ ନଦୀର ପୁନରୁଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ବି ଚାଷୀଙ୍କ ସମସ୍ୟା ଦୂର ହେବା ନାଁ ଧରୁନି। ଅସରାଏ ଲଗାଣ ବର୍ଷା ହେଲେ ହଂସୁଆ କୂଳରେ ଥିବା ହଜାର ହଜାର ହେକ୍ଟର ଚାଷ ଜମି ମାସ ମାସ ଧରି ବୁଡ଼ି ରହୁଛି। ଉଦବୃତ୍ତ ଜଳ ନିଷ୍କାସନ ହୋଇନପାରିବାରୁ ଚାଷୀଙ୍କ ରୁଆ ଧାନ ଗଛ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଉଛି। ଯେଉଁଥି ପାଇଁ ସ୍ଥାନୀୟ ଅଂଚଳର ଚାଷୀମାନେ ଲକ୍ଷାଧିକ ଟଙ୍କାର ଚାଷ ହରାଇ ସର୍ବସ୍ବାନ୍ତ ହେଉଛନ୍ତି। ଅପର ପକ୍ଷେ ହଂସୁଆର ପୁନରୁଦ୍ଧାର ପାଇଁ ପ୍ରତ୍ୟେକ ବର୍ଷ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି ତାହା ଚାଷୀଙ୍କ ଉପକାରରେ ଲାଗୁନାହିଁ। ସୂଚନାଯୋଗ୍ୟ ବର୍ତମାନ ୩ କୋଟି ୯୦ ଲକ୍ଷ ଟଙ୍କା ବ୍ୟୟରେ ହଂସୁଆ ନଦୀର ଜଇପୁର ଠାରୁ ବେଗୁନିଆ‌ ପର୍ଯ୍ୟନ୍ତ ୧୬ କିମି ଦୈର୍ଘ୍ୟ ନାଳାର ସଫେଇ ଚାଲୁଛି। ୨ଟି ମାତ୍ର ଏସ୍କାଭେଟର ମେସିନ୍‌ ସାହାଯ୍ୟରେ ନଦୀର ମଝି ଅଂଶରୁ ନାମକୁ ମାତ୍ର ମାଟି ସଫା କରି ସେହିଠାରେ ଗଦା କରାଯାଉଛି। ଏହି ମାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉନଥିବାରୁ ଗୋଟିଏ ବର୍ଷାରେ ତାହା ପୁଣି ନାଳ ଭିତରେ ପୋତି ହୋଇଯିବ। ସେହିପରି ହଂସୁଆର ଉଭୟ ପାର୍ଶ୍ୱ ବନ୍ଧ ମାଟି ପକାଯାଇ ଉଚ୍ଚା କି ମଜଭୁତ୍‌ କରାଯାଉନାହିଁ।

ନଦୀର ନାଲିବର ଠାରେ ଉଭୟ ପାର୍ଶ୍ୱରେ ହୋଇଥିବା ପଥର ପ୍ୟାକିଂ ଅନେକ ସ୍ଥାନରେ ଧସି ପଡ଼ିଲାଣି। ଦାୟିତ୍ୱରେ ଥିବା ଯନ୍ତ୍ରୀ କି ଏସଡ଼ିଓ କାର୍ଯ୍ୟ ପାଖରେ ଉପସ୍ଥିତ ରହିବା ଦେଖିବାକୁ ମିଳୁନାହିଁ। ଏହି କାମ ସମ୍ପର୍କିତ ସବିଶେଷ ତଥ୍ୟ ଥିବା ସୂଚନା ଫଳ ମଧ୍ୟ ଲଗାଯାଇନାହିଁ। ଆଉ ମାସେ ଦୁଇ ମାସ ମଧ୍ୟରେ ବର୍ଷା ଅସରାଏ ହେଲେ ସେସବୁ ମାଟି ଧୋଇ ହୋଇ ପାଣି ସ୍ରୋତରେ ମିଶିଯିବ। ତେଣୁ ଏହି ପୁନରୁଦ୍ଧାର କାମରେ ହେକବଳ ହରିଲୁଟ୍‌ ହେଉଛି ବୋଲି ଜିଲ୍ଲା କୃଷକ ସଂଗଠନର ସାଧାରଣ ସମ୍ପାଦକ ଇଂ ବାବାଜୀ ଚରଣ ଜେନା, ପାର୍ଥସଖା ପାଲଟାସିଂହ, ତାରାକାନ୍ତ ଜେନା, ଦିଲିପ କୁମାର ରଥ, ସରୋଜ କୁମାର ଦାସ, ଶାନ୍ତିଲତା ଦ୍ୱିବେଦୀ, ବଟକୃଷ୍ଣ ନାୟକ, କାଳନ୍ଦି ମହାନ୍ତି ପ୍ରମୁଖ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଜଗତସିଂହପୁର ଜିଲ୍ଲାପାଳଙ୍କ ଦୃଷ୍ଟିଆକର୍ଷଣ କରି ବିହିତ ବ୍ୟବସ୍ଥା ଗ୍ରହଣ କରିବାକୁ ଦାବି କରିଛନ୍ତି। ଏନେଇ ବିଭାଗୀୟ ଏସଡ଼ିଓ ସୁମନ୍ କୁମାର ଘୋଷ କହିଛନ୍ତି ଯେ କାମ ଆରମ୍ଭ କରାଯାଇଛି, ଚାଷୀଙ୍କ ସମସ୍ୟାକୁ ଦେଖି ଠିକ ଭାବରେ କାର୍ଯ୍ୟ କରାଯିବ।

ସମ୍ବନ୍ଧିତ ଖବର