କେନ୍ଦ୍ରାପଡା/ରାଜନଗ: କେନ୍ଦ୍ରାପଡା ଡ୍ରେନେଜ ଡିଭିଜନରେ କେଳେଙ୍କାରୀ ସବୁ ସୀମା ଟପିଛି। ଯେଉଁଠି ହାତ ମାରିଲେ, ସେଠି ଦୁର୍ନୀତିର ମାଳ ମାଳ ଫର୍ଦ୍ଦ ସାମ୍ନାକୁ ଆସୁଛି। ରାଜନଗର ବ୍ଲକର ଘଡିଆମାଳ ପଂଚାୟତର ଦାରୁଓରାଠାରେ ନିମ୍ନମାନର ପାଇଲ ଫୁଟ ବ୍ରିଜ ନିର୍ମାଣ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ତରବରିଆ ଭାବେ ନିର୍ମାଣଧୀନ ପାଇଲ ଫୁଟ ବ୍ରିଜକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁର୍ନବାର ନୂଆ କରି ଏଷ୍ଟିମେଟ ଅନୁଯାୟୀ ନିର୍ମାଣ ପାଇଁ ଅଧିକ୍ଷଣଯନ୍ତ୍ରୀ ନିର୍ଦ୍ଦେଶ ଦେଲେ। ସେଠାରେ ନିମ୍ନମାନର ପାଇଲ୍‌ ଫୁଟ ବ୍ରିଜକୁ ଭାଙ୍ଗି ଦିଆଗଲା। ଏଯାଏ ଆଉ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇନି। ଏପଟେ ବେଲପାଳରେ ନିମ୍ନମାନର ପାଇଲ ଫୁଟ ବ୍ରିଜ ନିର୍ମାଣର ଅଭିଯୋଗ ପରେ ନିଶ୍ଚିତ କାର୍ଯାନୁଷ୍ଠାନର ପ୍ରତିଶ୍ରୁତି ଦେଇଥିଲେ ଅଧୀକ୍ଷଣ ଯନ୍ତ୍ରୀ। ତେବେ ଯନ୍ତ୍ରୀ ବେଲପାଳ ଆସି ତ୍ରୁଟି ସୁଧାରିବା ପରିବର୍ତ୍ତେ ସେଠାରେ ତରବରିଆ ଭାବେ ପାଇଲ ଫୁଟ ବ୍ରିଜ ନିର୍ମାଣ କାର୍ଯ୍ୟ ସାରି ଦିଆଯାଇଛି। ବାରମ୍ବାର ଦୁର୍ନୀତି ଧରା ପଡ଼ୁଛି। ବିଭାଗ ବଦନାମ ହେଉଛି। ହେଲେ, ଏହାକୁ ଘୋଡାଇବା ପାଇଁ ବେଲପାଳରେ ଦୁର୍ନୀତିକୁ ସ୍ବୀକୃତି ଦିଆଯାଇଥିବା ଅଭିଯୋଗ ହୋଇଛି। ଉଚ୍ଚସ୍ତରୀୟ ତଦନ୍ତ କରାଗଲେ, ବେଲପାଳରେ ହୋଇଥିବା ନିମ୍ନମାନର ପାଇଲ ଫୁଟ ବ୍ରିଜର ଗୁମର ଖୋଲିବ ବୋଲି ଅଂଚଳବାସୀ ଅଭିଯୋଗ କରିଛନ୍ତି। ରାଜନଗର ବ୍ଲକ ବେଲପାଳର ପାଂଚମାଣ ଠାରେ ପାଇଲ ଫୁଟ ବ୍ରିଜ ନିର୍ମାଣ କରାଯାଇଛି। ବିଲ ଭିତରେ ତରବରିଆ ଭାବେ ପାଇଲିଂ କରାଯାଇଛି। ପାଇଲିଂ ଉପରେ ନିର୍ମାଣ ହେବାକୁ ଥିବା ପାଇଲ କ୍ୟାପ, ବାଲି ଫିଲିଂ ଓ ପଥରର ମଡମ୍ୟାଟ ସାମଗ୍ରୀକୁ ସମ୍ପୂର୍ଣ୍ଣ ଭାବେ ଗାଏବ କରିଦିଆଯାଇଛି। ବେସ୍‌ ଢଳେଇ ତଳେ ବାଲି ଫିଲିଂ ଓ ମଡମ୍ୟାଟ ନକରି ଢଳେଇ ପକାଯାଇଛି। ମଡମ୍ୟାଟ ଉପରେ ପକାଯିବାକୁ ଥିବା ୧ ଫୁଟର ଚିପ୍ପ ଢଳେଇ ବଦଳରେ ୨/୩ ଇଂଚର ଅତି ନିମ୍ନ ମାନର ଢଳେଇ ପକାଯାଇଛି। ଯାହାକୁ ଗୋଡ ଘସିଲେ ବାହାରି ଯାଉଛି। ଅବଶିଷ୍ଠ ସ୍ଥାନରେ କାଦୁଅ ରହିଛି। ଏହାବାଦ ବେପରୁଆ ଢଙ୍ଗରେ ୧୬ ଏମଏମ, ୧୦ଏମଏମ ଓ ୮ ଏମଏମ ରଡରେ ଜାଲି ବନ୍ଧାଯାଇ ବେସ୍‌ ଢଳେଇ ପକାଯାଇଛି।

Advertisment

୧୨ ଏମଏମ ରଡ୍‌ରେ ବିମ୍‌ ଢଳେଇ ପକାଯାଉଛି। କନିଷ୍ଠଯନ୍ତ୍ରୀ କିମ୍ବା ଡ୍ରେନେଜ ବିଭାଗର କୌଣସି କର୍ମଚାରୀଙ୍କ ଅନୁପସ୍ଥିତିରେ ଏହି ପାଇଲ ଫୁଟ ବ୍ରିଜ ନିର୍ମାଣ କରାଯାଇଛି। ଏଠାରେ କାମ ତଦାରଖ କରୁଥିବା ସୁପରଭାଇଜର ବିକାଶ କୁମାର ସାହୁଙ୍କ ସୂଚନା ମୁତାବକ ଜେଇ ଆସି ନାହାନ୍ତି, ମୁଖ୍ୟମିସ୍ତ୍ରି ନାହିଁ, ହେଲପର ରଡ୍‌ ବାନ୍ଧି ଭୁଲରେ ଢଳାଇ ପକାଇ ଦେଇଛି ବୋଲି କହିଛନ୍ତି। ଅନ୍ୟପଟେ ପ୍ରତି ସ୍ତରର କାମ କନିଷ୍ଠଯନ୍ତ୍ରୀ ଯାଂଚ କରିବା କଥା। ବେସ୍‌ ଢଳେଇ ଓ ବିମ ପାଇଁ ରଡ୍‌ ବନ୍ଧାଯିବା ପରେ କନିଷ୍ଠଯନ୍ତ୍ରୀ ଅନୁମୋଦନ ହୋଇଥିବା ଡିଜାଇନ ଠିକ୍ ଅଛି କି ନାହିଁ, ଦେଖିବା କଥା। କେତେ ଇଂଚ ବ୍ୟବଧାନରେ ରଡ୍‌ ବନ୍ଧାଯାଇଛି, ତାକୁ ମଧ୍ୟ ଦେଖିବା କଥା। ଏହାପରେ ଯନ୍ତ୍ରୀଙ୍କ ଉପସ୍ଥିତିରେ ଢଳେଇ ପଡିବା କଥା। ଯନ୍ତ୍ରୀ ନଥିବା ବେଳେ ବେସ୍‌ ଜାଲି ମନ ଇଚ୍ଛା ୮/୧୦ ଇଂଚ ବ୍ୟବଧାନରେ ବାନ୍ଧି ଢଳେଇ ପକାଇବା, ୧୬ ଏମଏମ ବଦଳରେ ୧୦ଏମଏମ ଓ ୮ଏମଏମ ରଡ୍‌ ବ୍ୟବହାର ହେବା ଡ୍ରେନେଜ ବିଭାଗରେ ଚାଲିଥିବା କେଳେଙ୍କାରୀକୁ ସାମ୍ନାକୁ ଆଣିଛି। ଏହି ନିମ୍ନମାନର କାମ ସଂପର୍କିତ ଫଟୋ ଓ ଭିଡିଓ ଦିଆଯିବା ପରେ ଅଧିକ୍ଷଣଯନ୍ତ୍ରୀ ବାଙ୍କ ବିହାରୀ ସାମଲ ସେ ଅସୁସ୍ଥ ଯୋଗୁଁ ଘରେ ଅଛନ୍ତି, ୭ଦିନ ପରେ ଘଟଣା ସ୍ଥଳରେ ପହଞ୍ଚି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଅଧିକ୍ଷଣଯନ୍ତ୍ରୀ ଘଟଣା ସ୍ଥଳକୁ ଆଜି ଯାଏ ଆସିନଥିବା ବେଳେ ସେଠାରେ ଅତି ତରବରିଆ ଭାବେ ପାଇଲ ଫୁଟ ନିର୍ମାଣ କାର୍ଯ୍ୟ ସାରି ଦିଆଯାଇଛି। ଅଧିକ୍ଷଣଯନ୍ତ୍ରୀ ଦାରୁଓରା ନିକଟରେ ପହଞ୍ଚି ନିଜ ଆଖିରେ ନିମ୍ନ ମାନର ପାଇଲ ଫୁଟ ବ୍ରିଜର ଆଖି ତରାଟି ଦେବା ଭଳି ସତ ଦେଖିବା ପରେ ଲୋକଙ୍କ ଆଗରେ ପାଇଲ ଫୁଟ ବ୍ରିଜ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେବା ଛଡା ତାଙ୍କ ନିକଟରେ ଆଉ କିଛି ବିକଳ୍ପ ନଥିଲା। ଯଦି ବେଲପାଳକୁ ଆସି ସମାନ ଦୁର୍ନୀତି ଦେଖନ୍ତି, ଏହି ବ୍ରିଜକୁ ମଧ୍ୟ ଭାଙ୍ଗିବାକୁ ନିର୍ଦ୍ଦେଶ ଦେବାକୁ ପଡିବ ବୋଲି ଜାଣି ଘଟଣା ସ୍ଥଳକୁ ଆସିବା ପରିବର୍ତ୍ତେ ତରବରିଆ ଭାବେ କାମ ସାରିଦେଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି।