କେନ୍ଦ୍ରାପଡ଼ା/ରାଜନଗର: କେନ୍ଦ୍ରାପଡ଼ା ଡ୍ରେନେଜ୍ ଡିଭିଜନରେ କେଳେଙ୍କାରୀ ସବୁ ସୀମା ଟପିଛି। ଯେଉଁଠି ହାତ ମାରିଲେ, ସେଠି ଦୁର୍ନୀତିର ମାଳ ମାଳ ଫର୍ଦ୍ଧ ସାମ୍ନାକୁ ଆସୁଛି। ଗତ ସପ୍ତାହରେ ନିମ୍ନମାନର ପାଇଲ ଫୁଟ୍ ବ୍ରିଜ୍ ନିର୍ମାଣ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶିତ ହୋଇଥିଲା। ଅତି ତରବରିଆ ଭାବେ ନିର୍ମାଣାଧୀନ ପାଇଲ ଫୁଟ୍ ବ୍ରିଜକୁ ସମ୍ପୂର୍ଣ୍ଣ ଭାଙ୍ଗି ପୁନଃର୍ବାର ନୂଆ କରି ବ୍ୟୟବରାଦ ଅନୁଯାୟୀ ନିର୍ମାଣ ପାଇଁ ଅଧୀକ୍ଷଣ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏବେ ଆଉ ଏକ ପାଇଲ ଫୁଟ୍ ବ୍ରିଜ୍ ଅତି ନିମ୍ନମାନର କରାଯାଉଥିବା ଘଟଣା ସାମ୍ନାକୁ ଆସିଛି। ରାଜନଗର ବ୍ଲକ୍ ବେଲପାଳର ପାଂଚମାଣ ଠାରେ ପାଇଲ ଫୁଟ୍ ବ୍ରିଜ୍ ନିର୍ମାଣ କରାଯାଉଛି। ବିଲ ଭିତରେ ଅତି ତରବରିଆ ଭାବେ ରାତାରାତି ପାଇଲିଂ କାମ ସାରି ଦିଆଯାଇଛି। ପାଇଲିଂ ପରେ ପାଇଲ କ୍ୟାପ୍ ଏହାପରେ ବାଲି ଫିଲିଙ୍ଗ୍ ଏବଂ ବାଲି ଫିଲିଙ୍ଗ୍ ଉପରେ ପ୍ୟାକିଂ ପଥରରେ ମଡମ୍ୟାଟ୍ ନିର୍ମାଣ ହେବା କଥା, ମଡ୍ମ୍ୟାଟ୍ ଉପରେ ୧ ଫୁଟର ଚିପ୍ପ ଢଳେଇ ପଡ଼ିବ। ଏହି ଢଳେଇ ଉପରେ ୧୬ ଏମ୍ଏମ୍ ରଡରେ ଜାଲି ବନ୍ଧା ଯାଇ ବେସ୍ ଢଳେଇ ଓ ବିମ୍ ଢଳେଇ ପଡ଼ିବ। ମାତ୍ର ଏଠାରେ ପାଇଲିଂ ପରେ ପାଇଲ କ୍ୟାପ୍ ନିର୍ମାଣ କରାଯାଇ ନାହିଁ। ବାଲି ଫିଲିଙ୍ଗ୍ କରାଯାଇନଥିବା ବେଳେ ମଡ୍ମ୍ୟାଟ କରାଯାଇ ନାହିଁ। ମଡମ୍ୟାଟ୍ ଉପରେ ପକାଯିବାକୁ ଥିବା ୧ ଫୁଟର ଚିପ୍ପ ଢଳେଇ ବଦଳରେ ୨/୩ ଇଂଚର ଢଳେଇ ପକାଯାଇଛି। ଯାହାକୁ ଗୋଡ଼ ଘସିଲେ ବାହାରି ଯାଉଛି, ଅବଶିଷ୍ଠ ସ୍ଥାନରେ କାଦୁଅ ରହିଛି। ସବୁଠୁ ବଡ଼କଥା ହେଲା ଅତି ବେପରୁଆ ଢଙ୍ଗରେ ୧୬ ଏମ୍ଏମ୍ ସହିତ ୧୦ଏମ୍ଏମ୍ ଓ ୮ ଏମ୍ଏମ୍ ରଡରେ ଜାଲି ବନ୍ଧାଯାଇ ବେସ୍ ଢଳେଇ ପକାଯାଉଛି। ବିମ୍ ମଧ୍ୟ ୧୨ ଏମ୍ଏମ୍ ରଡରେ ପକାଯାଉଛି। କନିଷ୍ଠ ଯନ୍ତ୍ରୀ, ଡ୍ରେନେଜ୍ ବିଭାଗ କର୍ମଚାରୀଙ୍କ ଅନୁପସ୍ଥିତିରେ ଏହି ପାଇଲ ଫୁଟ୍ ବ୍ରିଜର ଢଳେଇ ପଡୁଛି।
ଏଠାରେ କାମ ତଦାରଖ କରୁଥିବା ସୁପରଭାଇଜର ବିକାଶ ସାହୁଙ୍କୁ ପଚାରିବାରୁ, ଜେଇ ଆସି ନାହାନ୍ତି, ମୁଖ୍ୟମିସ୍ତ୍ରି ନାହିଁ, ହେଲପର ରଡ୍ ବାନ୍ଧି ଭୁଲରେ ଢଳାଇ ପକାଇ ଦେଇଛି ବୋଲି କହିଛନ୍ତି। ସରକାରଙ୍କ ଅର୍ଥରେ ପାଇଲ ଫୁଟ୍ ବ୍ରିଜ୍ ନିର୍ମାଣ ହେଉଛି। ପ୍ରତି ସ୍ତରର କାମ କନିଷ୍ଠ ଯନ୍ତ୍ରୀ ଯାଞ୍ଚ୍ କରିବା କଥା। ବେସ୍ ଢଳେଇ ଓ ବିମ୍ ପାଇଁ ରଡ୍ ବନ୍ଧାଯିବା ପରେ କନିଷ୍ଠ ଯନ୍ତ୍ରୀ ମଞ୍ଜୁର ହୋଇଥିବା ଡିଜାଇନ୍ ଠିକ୍ ଅଛି କି ନାହିଁ, ଦେଖିବା କଥା। କେତେ ଇଞ୍ଚ୍ ଗ୍ୟାପରେ ରଡ୍ ବନ୍ଧାଯାଇଛି, ତାକୁ ମଧ୍ୟ ଦେଖିବା କଥା। ସହକାରୀ ଯନ୍ତ୍ରୀ ଏହାକୁ ଚେକ୍ କରିବା କଥା। ଏହାପରେ ଯନ୍ତ୍ରୀଙ୍କ ନିଶ୍ଚିତ ଉପସ୍ଥିତିରେ ଢଳେଇ ପଡ଼ିବା କଥା। ଯନ୍ତ୍ରୀ ନଥିବା ବେଳେ ବେସ୍ ଜାଲି ମନ ଇଚ୍ଛା ୮/୧୦ ଇଞ୍ଚ ଗ୍ୟାପରେ ବାନ୍ଧି ଢଳେଇ ପକାଇବା, ୧୬ ଏମ୍ଏମ୍ ସହିତ ୧୦ ଏମ୍ଏମ୍ ଓ ୮ଏମ୍ଏମ୍ ରଡ୍ ବ୍ୟବହାର ହେବା ଡ୍ରେନେଜ୍ ବିଭାଗରେ ଚାଲିଥିବା କେଳେଙ୍କାରୀକୁ ସାମ୍ନାକୁ ଆଣିଛି। କାମ ତଦାରଖ କରୁଥିବା ଠିକାଦାରଙ୍କ ସୁପର ଭାଇଜରଙ୍କ କଥା ଯଦି ସତ୍ୟ ହୋଇଥାଏ, ତେବେ ଠିକାଦାର ମନ ଇଚ୍ଛା ତାଙ୍କ ମର୍ଜିରେ ପାଇଲ ଫୁଟ୍ ବ୍ରିଜ୍ ନିର୍ମାଣ କରିପାରିବେ କି? ଯଦି ନିର୍ମାଣ ପରେ ଏହା ଭୁଶୁଡ଼ି ପଡ଼େ ଓ କିଛି ଅଘଟଣ ଘଟେ, ତାହା ପାଇଁ ଦାୟୀ କିଏ ରହିବ? ଏ ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲଙ୍କୁ ପଚାରିବାରୁ, ଅସୁସ୍ଥ ଯୋଗୁଁ ଘରେ ଅଛି। ୭ଦିନ ପରେ ଘଟଣାସ୍ଥଳରେ ପହଞ୍ଚି ପଦକ୍ଷେପ ନେବେ ବୋଲି କହିଛନ୍ତି।