ନାଳରେ ଫିଙ୍ଗୁଛନ୍ତି ହାଟ ଅଳିଆ, ମାଡ଼ି ବସିଛନ୍ତି ବନ୍ଧ, ଜମିକୁ ମାଡ଼ୁନି ପାଣି

ଚାନ୍ଦୋଳ: କେନ୍ଦ୍ରାପଡ଼ା କେନାଲ୍‌ର ୧୨ ନଂ. ଶାଖା ନାଳ ଅଳିଆରେ ପୋତି ହୋଇପଡ଼ିଛି।,  ନର୍କକୁଣ୍ଡ ପାଲଟିଛି। ଲୋକେ ମନଇଚ୍ଛା ଅଳିଆ ଫିଙ୍ଗୁଛନ୍ତି। ଚାନ୍ଦୋଳ ହାଟର ସବୁତକ ଆବର୍ଜନା ଏଇଠି ପଡ଼ୁଛି। ସତେ ଯେମିତି ଏହା ନାଳ ନୁହେଁ ତ, ଡମ୍ପିଂୟାର୍ଡ। ଖାଲି ଯେ, ଅଳିଆ ପଡ଼ୁନି ତାହା ନୁହେଁ, ଏହି ନାଳ ବନ୍ଧକୁ ବି ମାଡ଼ି ବସିଛନ୍ତି। ନାଳ ଅଳିଆରେ ପୋତି ହୋଇଡ଼ିଥିବା ବେଳେ ଚାଷ ଜମିକୁ ପାଣି ମାଡ଼ି ପାରୁନାହିଁ। ବିଭାଗ ସବୁଦେଖି ଚୁପ ବସିପଡ଼ିଛି। କିଛି ପଦପେକ୍ଷ ନେଉନି। ଏପଟେ ଅନ୍ୟପକ୍ଷରେ ନିୟନ୍ତ୍ରିତ ବଜାର କମିଟି ହାଟ ଅଳିଆ ସଫା କରିବା ବାବଦକୁ ବର୍ଷକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛି। ଜଳସେଚନ ବିଭାଗ ବି ପ୍ରତିବର୍ଷ ନାଳ ସଫେଇରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ କେତେବେଳେ ବି ହାଟ କି ନାଳ ସଫା ରହୁନି। ୧୨ ନଂ ଶାଖା ନାଳ ମୁକୁନ୍ଦପୁର, ଚାନ୍ଦୋଳ ଓ ଖମୋଳ ପଞ୍ଚାୟତର ୧୫ଟି ଗ୍ରାମର ଚାଷ ଜମିରେ ଜଳସେଚନ ପାଇଁ ବ୍ୟବହାର ହୋଇ ଆସୁଥିଲା। ୩୦ ବର୍ଷ ପୂର୍ବରୁ ଏହାର ଉଭୟ ପାର୍ଶ୍ବ ବନ୍ଧ ମଜଭୂତ୍ ଥିଲା। ଏହାର ଉଭୟ ପାର୍ଶ୍ବ ବନ୍ଧ ଦେଇ କେନାଲ ଆରମ୍ଭରୁ ଶେଷ ମୁଣ୍ତଯାଏ ଖଲାସୀମାନେ ଯାଇ ଜଳପ୍ରବାହର ସ୍ଥିତି ଅନୁଧ୍ୟାନ କରି ପାରୁଥିଲେ। ଉଭୟ ପାର୍ଶ୍ବ ବନ୍ଧରେ ଥିବା ନଡ଼ିଆ, ଆମ୍ବ, ଖଜୁରୀ, ପଣସ ଆଦି ଫଳନ୍ତି ଗଛକୁ ଜଳସେଚନ ବିଭାଗ ନିଲାମ କରି ରାଜସ୍ବ ଯୋଗାଡ଼ କରିପାରୁଥିଲା। ହେଲେ ଏବେ ଉଭୟ ପାର୍ଶ୍ବ ବନ୍ଧକୁ ସ୍ଥଳବିଶେଷରେ ଗ୍ରାମବାସୀଙ୍କ ଯାତାୟତ ପାଇଁ କେଉଁଠି ଜଳସେଚନ ବିଭାଗ ତ କେଉଁଠି ପଂଚାୟତ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ହାତକୁ ନେଇ ଢଳେଇ ଓ ପିଚୁ ରାସ୍ତା କରି ଦେଇଛନ୍ତି। କିନ୍ତୁ କେନାଲ୍ ଆରମ୍ଭରୁ ଶେଷଯାଏ ଆଉ ଯିବାର ସୁବିଧା ନାହିଁ। ଅଧିକାଂଶ ସ୍ଥାନରେ ନାଳବନ୍ଧ ବ୍ୟକ୍ତିଗତ ଜମାକୁ ପଳାଇଲାଣି ତ କେଉଁଠି ବନ୍ଧ ଉପରେ ଚାଷବାଷ କରାଯାଇ ବନ୍ଧକୁ ନିଜ ଅଧୀନକୁ ନେଇ ଗଲେଣି। ଫଳରେ ବହୁ ସ୍ଥାନରେ ବନ୍ଧ ଦୁର୍ବଳ ହୋଇ ଭାଙ୍ଗିଗଲାଣି। ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ଟଙ୍କା ସରକାରୀ ଅର୍ଥ ବ୍ୟୟ କରିବାକୁ ପଡ଼ୁଛି।

ଚଳିତ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟି ଦେଇ ସ୍ଥାନୀୟ ଅଂଚଳବାସୀ କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ଅଳ୍ପ କିଛି ଦିନ ପାଇଁ ପାଣି ଛାଡ଼ିବା ପାଇଁ ଅନୁରୋଧ କରିଥିଲେ। କେନ୍ଦ୍ରାପଡ଼ା ମୁଖ୍ୟ କେନାଲରୁ ଏହି ଶାଖା ନାଳର ଶଯ୍ୟା ଦେଇ ପାଣି ତଳମୁଣ୍ତକୁ ଯିବା ତ ଦୂରର କଥା ଶାଖା ନାଳର ଆରମ୍ଭର ୨ କିଲୋମିଟର ପରଠାରୁ ଆଉ ତଳକୁ ଯାଉନାହିଁ। ଅର୍ଥାତ୍ ଚାନ୍ଦୋଳ ବଜାର ଠାରେ କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟି ଅଧୀନରେ ଥିବା ଚାନ୍ଦୋଳ ହାଟର ସମସ୍ତ ଅଳିଆ ଆବର୍ଜନା ନାଳରେ ପକାଇ ଜଳ ପ୍ରବାହକୁ ଅବରୋଧ କରି ଏହାକୁ ଏକ ଡମ୍ପିଂୟାର୍ଡ଼ ଭଳି ବ୍ୟବହାର କରୁଛନ୍ତି। ଏଥିସହିତ ଚାନ୍ଦୋଳଠାରୁ ତଳକୁ ଲମ୍ବିଥିବା ନାଳ ଶଯ୍ୟାରେ ଅଳିଆ ଆବର୍ଜନା ପଚି ପୂତିଗନ୍ଧନ୍ଧମୟ ପରିବେଶ ସୃଷ୍ଟି କରୁଛି। ଶାଖାନାଳର ପ୍ରକୃତ ଉଦ୍ଦେଶ୍ୟ ସାଧିତ କରିବାରେ ବିଫଳତା ପାଇଁ ଜଳସେଚନ ବିଭାଗ ଓ କେନ୍ଦ୍ରାପଡ଼ା ନିୟନ୍ତ୍ରିତ ବଜାର କମିଟିର ଅପରିଣାମଦର୍ଶିତା ଦାୟୀ ବୋଲି ଜନସାଧାରଣରେ ଆଲୋଚନା ହେଉଛି। ଛତା ଡିଭିଜନ୍ ଜଳସେଚନ ବିଭାଗ ଏହି ନାଳ ଦେଇ ଚାଷଜମିକୁ ପାଣି ଯୋଗାଇବାରେ ଯେତିକି ଯତ୍ନଶୀଳ ନୁହଁନ୍ତି ବରଂ ନାଳବନ୍ଧକୁ ଚାନ୍ଦୋଳ ହାଟଠାରେ କିପରି ନିୟନ୍ତ୍ରିତ ବଜାର କମିଟି ବ୍ୟବହାର କରିବ ସେଥିପ୍ରତି ଅଧିକ ଚିନ୍ତିତ ଥିବା ସାଧାରଣ ଅଭିଯୋଗ ହେଉଛି।
ନିୟନ୍ତ୍ରିତ ବଜାର କମିଟି ତୁରନ୍ତ ହାଟ ଓ ବଜାରର ଅଳିଆ ଆବର୍ଜନାକୁ ସୁଚିନ୍ତିତ ନିରାପଦ ଉପାୟରେ ପରିଚାଳନା କରିପାରିଲେ ଅଂଚଳର ଉନ୍ନତି ସାଧିତ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର