ଜଗତସିଂହପୁର ପୌରାଞ୍ଚଳରେ ଡ୍ରେନେଜ୍ ସମସ୍ୟା ଉତ୍କଟ, ଜିଲ୍ଲା ଗଠନର ୨୮ ବର୍ଷ ପରେ ବି ଯୋଜନା ବିହୀନ ସହର

ଜଗତସିଂହପୁର ଟାଉନ୍: ୧୯୯୩ ମସିହାରୁ ୨୦୨୧। ଜଗତସିଂହପୁର ସ୍ବତନ୍ତ୍ର ଜିଲ୍ଲା ଗଠନ ହେବାରେ ଏହା ଭିତରେ ୨୮ ବର୍ଷ ବିତି ଗଲାଣି। କିନ୍ତୁ ଯୋଜନା ବିହୀନ ଭାବେ ଗଢ଼ି ଉଠୁଥିବା ଏହି ସହର ଏବେ ଡ୍ରେନେଜ୍‌ ସମସ୍ୟାରେ ରୁନ୍ଧି ହୋଇ ଗଲାଣି। ସହରର ବିକାଶ କ୍ଷେତ୍ରରେ କୌଣସି ଉଲ୍ଲେଖନୀୟ ପରିବର୍ତନ ହୋଇନାହିଁ। ସହର ପାଇଁ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇନାହିଁ। ନାମକୁ ମାତ୍ର ଟାଉନ୍ ପ୍ଲାନିଂ ଅଫିସ୍‌ ଖୋଲା ଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୋଠା ଭିତରେ ହିଁ ଜଗତସିଂହପୁର ଆଞ୍ଚଳିକ ଉନ୍ନୟନ ଟ୍ରଷ୍ଟ(ଜେଆର୍‌ଆଇଟି)ର କାର୍ଯ୍ୟାଳୟ ରହିଛି। ଏହା ଓଡ଼ିଶା ଟାଉନ୍ ପ୍ଲାନିଂ ନିର୍ଦ୍ଦେଶାଳୟ ଅଧୀନରେ ରହିଛି।

ଜିଲ୍ଲା ଗଠନର ୧୩ ବର୍ଷ ପରେ ଅର୍ଥାତ ୨୦୦୬ ମସିହାରେ ତତ୍କାଳୀନ ନଗର ଉନ୍ନୟନ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଏହି କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ। ସହର ଓ ଗ୍ରାମାଞ୍ଚଳକୁ ଏକ ମାଷ୍ଟର ପ୍ଲାନ୍ କରାଯାଇ ବ୍ୟବସ୍ଥିତ ଢଙ୍ଗରେ କେମିତି ସହର ବିଶେଷ କରି ଜଗତସିଂହପୁର ରୂପରେଖ ହେବ ସେଥିପାଇଁ ଉଦ୍ୟମ ହେବା କଥା। ହେଲେ ଦିନକୁ ଦିନ ସହରରେ ବେଆଇନ କୋଠା ବାଡ଼ି ଚାଲୁଥିବା ବେଳେ ସ୍ଥାଣୁ ପାଲଟିଛି ଏହି ଉନ୍ନୟନ ସଂସ୍ଥା। ଏବେ କାର୍ଯ୍ୟାଳୟର ସମ୍ପାଦକ କଟକରେ ରୁହନ୍ତି। ଆବଶ୍ୟକ କର୍ମଚାରୀ ନାହାନ୍ତି। ଜଣେ କର୍ମଚାରୀଙ୍କ ହାତରେ ରହିଛି କାର୍ଯ୍ୟାଳୟ ଚାବି। ବର୍ଷକୁ ୫ ହଜାରରୁ ଅଧିକ କୋଠା ନୂଆ ନିର୍ମାଣ ହେଉଛି। ହେଲେ ୨୦୦୬ ମସିହାରୁ ୨୦୨୦ ପର୍ଯ୍ୟନ୍ତ ୧୫ ବର୍ଷରେ ମାତ୍ର ୮୦୦ କୋଠା ଅନୁମତି ପାଇଁ ଆବେଦନ କରିଛନ୍ତି।

ବିନା ଏନ୍ଓସିରେ ଗଢ଼ି ଉଠୁଛି ଶହଶହ କୋଠା। କୌଣସି ରୋକ୍ ଲଗା ଯାଉନାହିଁ। ୬ ତାଲା ବିଶିଷ୍ଟ କୋଠା ମଧ୍ୟ ମିନା ଅନୁମ‌ୋଦନରେ ନିର୍ମାଣ କରାଯାଉଛି। ତେଣୁ ଏହି ପୌରାଞ୍ଚଳର ପ୍ରତ୍ୟେକ ୱାର୍ଡରେ ଏବେ ଡ୍ରେନେଜ୍ ସମସ୍ୟା ଦେଖା ଦେଉଛି। ପୂର୍ବରୁ ଥିବା ପୋଖରୀ, ଗାଡ଼ିଆ, ପାଣିଯୋରକୁ ଜବରଦଖଲ କରାଯାଉଛି। ୧ ନମ୍ବର ୱାର୍ଡ ଠାରୁ ଆରମ୍ଭ କରି ବଡ଼ବାଗ, ଗାନ୍ଧିଛକ, କଣ୍ଟାପଡ଼ା, ଦେଉଳୀଗ୍ରାମେଶ୍ବର, ଜୟବଡ଼, ପାଣିଶାଳିଆ, ଲାଲାସାହି ଆଦି ଅଂଚଳ ଡ୍ରେନେଜ୍‌ ସମସ୍ୟା ଉତ୍କଟ ରୂପ ନେବାକୁ ଯାଉଛି। ପୌରପରିଷଦ ପକ୍ଷରୁ ଧର୍ମକୁ ଆଖିଠାରୁ ଭଳି କିଛି ସ୍ଥାନରେ ଡ୍ରେନ୍ ନିର୍ମାଣ କରାଯାଇଛି।

ନିର୍ବାହୀଯନ୍ତ୍ରୀ କାମ ଉପରକୁ ଯାଇ ତଦାରଖ କରନ୍ତି ନାହିଁ। ଠିକାଦାର ମନଇଚ୍ଛା କାମ କରି ଟଙ୍କା ନେଇ ଛୁ ମାରୁଛି। ଲାଲାସାହିରେ ନୂଆ କରି ନିର୍ମାଣ ହୋଇଥିବା ଡ୍ରେନ୍ ଭାଙ୍ଗି ଯାଇଥିବା ବେଳେ ଉଦ୍‌ବୃତ୍ତ ଜଳ ନିଷ୍କାସନ ହୋଇ ପାରୁନାହିଁ। ପ୍ରାୟ ସବୁ ୱାର୍ଡରେ ଏଭଳି ସମସ୍ୟା ଲାଗି ରହିଛି। ବଡ଼ବାଗ ଗାଁରେ ଲୋକଙ୍କ ଘରେ ପାଣି ପଶୁଛି। ଜୟବଡ଼ ଛକରେ ମୁଖ୍ୟ ରାସ୍ତା ଉପରେ ପାଣି ଜମି ରହୁଛି ପରିତ୍ୟକ୍ତ ପରିବେଶ ସୃଷ୍ଟି ହେଉଛି। ବିନା ଯୋଜନାରେ ଗଢ଼ି ଉଠୁଥିବା ଏହି ସହର ଭବିଷ୍ୟତରେ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ଏଥିରେ ଦ୍ବିମତ ନାହିଁ।

ସମ୍ବନ୍ଧିତ ଖବର