ରାଜନଗର: ଦୁର୍ନୀତି ପ୍ରମାଣିତ ହେଲା। ପାଇଲ୍ ଫୁଟ୍ ବ୍ରିଜ ଭଙ୍ଗାଗଲା। ଏଯାଏ କିନ୍ତୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ସାଧାରଣ ଲୋକଙ୍କ ଉପସ୍ଥିତିରେ ପାଇଲିଂ ଉପାଡ଼ିବାକୁ ବି ନିର୍ଦ୍ଦେଶ ଦେଇଥିଲେ ଯନ୍ତ୍ରୀ। ଆଜିଯାଏ ପାଇଲିଂ ଉପୁଡା ଯାଇନାହିଁ। ଆଶ୍ଚର୍ଯ୍ୟର ବିଷୟ ଦୁର୍ନୀତିରେ ସଂପୃ୍କ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ ଆଜିଯାଏ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବା ପଛର କାରଣକୁ ନେଇ ରହସ୍ୟ ବଢିବାରେ ଲାଗିଛି। ସୂଚନା ଅନୁସାରେ, କେନ୍ଦ୍ରାପଡା ଡ୍ରେନେଜ୍ ଡିଭିଜନରେ ଗତ ୫ ବର୍ଷରେ ଯେତେ କେନାଲ ଖୋଳାଯାଇଛି, ଗୋଟିଏ ବି କେନାଲ ଏଷ୍ଟିମେଟ୍ ମୁତାବକ ଖୋଳାଯାଇନି। ମାତ୍ର ସୂଚନା ଅଧିକାରରେ ମିଳିଥିବା ତଥ୍ୟରେ ବିଭାଗୀୟ ଯନ୍ତ୍ରୀମାନେ ଏଷ୍ଟିମେଟ ଅନୁଯାୟୀ କେନାଲ ଖୋଳାଯାଇଥିବା ଦର୍ଶାଇ ସରକାରୀ ଅର୍ଥ ଚଳୁ କରିଦେଇଛନ୍ତି। ଦିଘି ଜୁନୁସନଗର, ଈଶ୍ବରପୁର କେନାଲ, ଦାନ୍ତୁଆଣି କ୍ରିକ୍, ଡେରା-ଗୋଖଣୀ କେନାଲ ଖୋଳାକୁ ଦେଖିଲେ ଏହି ଦୁର୍ନୀତି ଜଳଜଳ ଧରା ପଡିଯାଉଛି। ଯେଉଁଠି ୪୦ଫୁଟ ଚଉଡାର କେନାଲ ଖୋଳା ଯାଇଥିବା ଦର୍ଶାଯାଇଛି ସେଠାରେ କେନାଲର ଚଉଡା ୨୦ ଫୁଟରେ ସୀମିତ ରହିଛି। ଅଧିକାଂଶ ସ୍ଥାନରେ କେବଳ ଧର୍ମକୁ ଆଖିଠାର ମାରି ଠାଏଠାଏ କରି କେନାଲ ଖୋଳି କାମ ସାରିଦିଆଯାଇଛି। ଏହି ଦୁର୍ନୀତିରେ କନିଷ୍ଠଯନ୍ତ୍ରୀଙ୍କଠୁ ଆରମ୍ଭ କରି ଅଧିକ୍ଷଣଯନ୍ତ୍ରୀଙ୍କ ଯାଏ ସମସ୍ତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି। କାର୍ଯ୍ୟାନୁଷ୍ଠାନ ନେଉଛୁ, ଏହି ଦୁର୍ନୀତି ନେଇ ଉପର ଅଧିକାରୀଙ୍କୁ ଜଣାଇଛୁ ବୋଲି ଅଧିକ୍ଷଣଯନ୍ତ୍ରୀ କହୁଥିଲେ ମଧ୍ୟ ଆଜିଯାଏ କାର୍ଯ୍ୟାନୁଷ୍ଠାନ ନ ହେବା ସାଧାରଣରେ ତୀବ୍ର ପତିକ୍ରିୟା ସୃଷ୍ଟି କରିଛି।
ଡ୍ରେନେଜ୍ ବିଭାଗରେ ଦୁର୍ନୀତି ସୀମା ଟପିଲାଣି। କେଉଁଠି ୧୦ଫୁଟ ତ ଆଉ କେଉଁଠି ୨୦ ଫୁଟ ଚଉଡାର କେନାଲ ରହିଛି। ଜେସିବି ଶୁଣ୍ଢରେ ଆମ୍ପୁଡି କେନାଲ ଖୋଳା କାମ ସାରି ଦିଆଯାଇଛି। କେତେକ ସ୍ଥାନରେ କେନାଲ ଆଦୌ ଖୋଳା ନ ଯାଇ ବିଲ୍ ହୋଇଥିବା ବେଳେ ଆଉ କେତେକ ସ୍ଥାନରେ ଠାଏ ଠାଏ ଖୋଳି କାମ ସାରି ଦିଆଯାଇଛି। ମାତ୍ର ଏମ୍ବି (ମେଜେରମେଂଟ ବୁକ୍)ରେ କେଉଁଠି ୪୦ ଫୁଟ ତ ଆଉ କେଉଁଠି ୩୦ଫୁଟର କେନାଲ ଖୋଳାଯାଇଥିବା ବିଲ୍ ହୋଇଛି। ଏହାବାଦ୍ ପାଇଲ୍ ଫୁଟ୍ ବ୍ରିଜ ନିର୍ମାଣରେ ଦୁର୍ନୀତିର ପ୍ରମାଣ ମିଳି ସାରିଛି। ଘଡିଆମାଳ ସରପଂଚଙ୍କ ସହିତ ସାଧାରଣ ଲୋକେ ପାଇଲ୍ ଫୁଟବ୍ରିଜ ନିର୍ମାଣ ସ୍ଥଳରେ ପହଞ୍ଚି କାମ ବନ୍ଦ କରିବା ପରେ ପ୍ରଥମେ ଠିକାଦାର ଆସି କୌଣସି ପ୍ରକାରେ କାମ କରାଇ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଲୋକେ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ନ ଆସିବା ଯାଏ କାମ କରାଇ ଦେବେନି ବୋଲି ଜିଦ୍ ଧରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ବାଙ୍କ ବିହାରୀ ସାମଲ ଘଡିଆମାଳ ପଂଚାୟତର ଦାରୁଓରା ନିକଟରେ ନିର୍ମାଣାଧୀନ ପାଇଲ୍ ଫୁଟ ବ୍ରିଜ ନିକଟରେ ପହଞ୍ଚି ଲୋକଙ୍କ ଉପସ୍ଥିତିରେ ଯାଂଚ କରିଥିଲେ। ଅଧୀକ୍ଷଣ ଯନ୍ତ୍ରୀ ଦୁର୍ନୀତି ସ୍ବୀକାର କରିବା ସହ ପାଇଲିଂ ଫୁଟ୍ ବ୍ରିଜ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତ ବେଳେ ପୁଳାପୁଳା ଦୁର୍ନୀତି ଧରା ପଡିଥିଲା। ଗୋଟିଏ ପାଇଲ୍ ଫୁଟ୍ ବ୍ରିଜରେ ସବୁସ୍ତରରେ ଦୁର୍ନୀତି ଓ ତିନି ତିନିଟି ସାମଗ୍ରୀ ବାଦ୍ ପଡ଼ିବା ପରେ ଲୋକଙ୍କ ସାମ୍ନାରେ ଅଧୀକ୍ଷଣ ଯନ୍ତ୍ରୀ ପାଇଲ୍ ଫୁଟ ବ୍ରିଜ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଏହି କାମରେ ବ୍ୟବହୃତ ନିମ୍ନମାନର ରଡ୍କୁ ଦେଖି କନିଷ୍ଠଯନ୍ତ୍ରୀଙ୍କ ଉପରେ ବର୍ଷିଥିଲେ। ଦୁର୍ନୀତି ଧରାପଡ଼ିବା ପରେ ବି ଏଯାଏ ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଏ କ୍ଷେତ୍ରରେ ବିଭାଗର ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି।