ଘୁମୁସର ମାଟିରେ ମଞ୍ଚ ନାଟକର ନୂଆ ଆଶା, ସମ୍ଭାବନା କେବେ? ଶେଷଥର ମଞ୍ଚସ୍ଥ ହୋଇଥିଲା ‌’ଗୋଇଠା ବାବା’

ଭଞ୍ଜନଗର: ମାର୍ଚ୍ଚ ୨୭ ତାରିଖକୁ ମଞ୍ଚ କଳାକାର ଦିବସ ବା ବିଶ୍ବନାଟ୍ୟ ଦିବସ ଭାବେ ପାଳନ କରାଯାଇଥାଏ। କିନ୍ତୁ ଗଞ୍ଜାମ ଜିଲ୍ଲାର ଘୁମୁସର ମାଟିରେ ସଂପ୍ରତି ଏହି ମଞ୍ଚ ନାଟକ ଧୀରେ ଧୀରେ କଳାକାରଙ୍କ ଠାରୁ ଦୂରେଇ ଯାଉଥିବା ମନେହେଉଛି। କଳାକାରଙ୍କ ଦମଦାର ସଂଳାପରେ ‌ଯେଉଁ ମଞ୍ଚ ଦିନେ ଫାଟି ପଡ଼ୁଥିଲା ଆଜି ସେଠାରେ ନିରବତା ରାଜୁତି କରୁଛି। ଦିନ ଥିଲା ଘୁମୁସର ମାଟି ମଞ୍ଚ ନାଟକର ପ୍ରମୁଖ କେନ୍ଦ୍ରସ୍ଥଳୀ ପାଲଟିଥିଲା। ଏହି ମାଟିରୁ ବହୁ ପ୍ରତିଭାବନ କଳାକାର ଓଡ଼ିଶା ମଞ୍ଚ ନାଟକରେ ନିଜ ପ୍ରତିଭାର ନିଦର୍ଶନ ଦେଖାଇଛନ୍ତି।

୬୦ ଦଶକରେ ଭଞ୍ଜନଗର ସହରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଭଞ୍ଜସାହିତ୍ୟ ପରିଷଦ ଏକମାତ୍ର ମଞ୍ଚ ରହିଥିବା ‌ବେଳେ କାଳଜୟୀ ନାଟକ ‘ରକ୍ତର ଡାକ’, ‘ଶେଷ ଶ୍ରାବଣ’, ‘ଝରା ‌ବଉଳ’, ‘ପରିଶୋଧ’ ଓ ‘ପରଦାର ଅନ୍ତରାଳେ’ ପରି ବହୁ ନାଟକ ମନୋରଞ୍ଜନର ଖୋରାକ୍ ଯୋଗାଇପାରିଥିଲା। ନାଟ୍ୟକାର ମନ୍ମଥ ଶତପଥୀ ତାଙ୍କ ‘ମୁଁ ଚକରା କହୁଛି’ ନାଟକ ପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ସେହିପରି ବାଉଁଶଲୁଣ୍ଡିର ନାଟ୍ୟକାର ନିରଞ୍ଜନ ଶତପଥୀଙ୍କ ବହୁ କାଳଜୟୀ କୃତୀ ରାଜ୍ୟ ସରକାରଙ୍କ ସର୍ବୋଚ୍ଚ ସମ୍ମାନ ହାସଲ କରିପାରିଥିଲା। ୮୦-୯୦ ଦଶକକୁ ଘୁମୁସର ମାଟିର ସ୍ବର୍ଣ୍ଣିମ ନାଟକ ଯୁଗ କହିଲେ ଭୁଲ୍ ହେବ ନାହିଁ। ଏହି ସମୟରେ ନାଟ୍ୟକାର ଓ ନିର୍ଦ୍ଦେଶକ ବିପିନ ସାମନ୍ତଙ୍କ ଅନେକ ନାଟକ ମଞ୍ଚସ୍ଥ ହେବା ସହ ବର୍ତ୍ତମାନ ଇତିହାସ ପୃଷ୍ଠାରେ ଉଜ୍ଜିବୀତ ହୋଇ ରହିଛି।

କେବଳ ଏତିକି ନୁହେଁ, ସ୍ଥାନୀୟ କଳାକାରଙ୍କୁ ନେଇ ଗଠିତ ‘ତରୁଣ’ କଳାକାର ସଂସ୍ଥା ବିଭିନ୍ନ ସ୍ଥାନ ବୁଲି ପ୍ରତିଦ୍ବନ୍ଦ୍ବିତାମୂଳକ ନାଟକ ପରିବେଷଣ କରି ଭଞ୍ଜନଗର ପାଇଁ ଏକ ନିଆରା ପରିଚୟ ଆଣିଦେଇଥିଲେ। ଏହି ମାଟିର ସୁଯୋଗ୍ୟ ସନ୍ତାନ ଭାବେ କଳାକାର ତଥା ପୂର୍ବତନ ବିଧାୟକ ଉମାକାନ୍ତ ମିଶ୍ର, ଜର୍ଜ ତିଆଡ଼ି, ପ୍ରାଣବନ୍ଧୁ ବେହେରା, ପ୍ରଦୀପ ରାହା, କୁମୁଦକାନ୍ତ ରଥ, ମାଲରାମ ସ୍ବାଇଁ, ସୁବ୍ରତ ସାମନ୍ତରା, ଗୌରୀ ପଟ୍ଟନାୟକ, ସୁରେନ୍ଦ୍ର ସାହୁ, ମନ୍ମଥ ଶତପଥୀ, ବିଶ୍ବମ୍ବର ରଥ, ସଚ୍ଚିଦାନନ୍ଦ ଦୋରା, ତ୍ରିପୁରା ମିଶ୍ର, ଉପେନ୍ଦ୍ର କୁମାର ଶତପଥୀ, ଗଣେଶ ସିଂ ଓ ନାରୀ ଅଭିନେତ୍ରୀ ଜ୍ୟୋତ୍ସ୍ନା ଦାସ ମଞ୍ଚରେ ନିଜର ଅଭିନୟର ଯାଦୁ ଦେଖାଇଥିଲେ। ସେମାନଙ୍କ ମଧ୍ୟରୁ କିଛି କଳାକାର ପରବର୍ତ୍ତୀ ସମୟରେ ଓଡ଼ିଆ ସିନେମା ଓ ଟେଲି ପରଦାରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି।

ଘୁମୁସର ମାଟିରେ ନାଟକର ଧାରା ନବେ ଦଶକ ପର୍ଯ୍ୟନ୍ତ ଅନବରତ ଜାରି ରହିଥିବା ବେଳେ ପରେ ଧିରେ ଧିରେ ଏହି ଧାରାରେ ରୋକ୍ ଲାଗିଛି। ଗତ ୨୦୦୦ ମସିହାରେ ଶେଷ ଥର ପାଇଁ ଉପେନ୍ଦ୍ର ଶତପଥୀଙ୍କ ନିର୍ଦ୍ଦେଶନାରେ ‘ଗୋଇଠା ବାବା’’ ଭଞ୍ଜ ସାହିତ୍ୟ ପରିଷଦରେ ମଞ୍ଚସ୍ଥ ହୋଇଥିବା ବେଳେ ଏହା ପରଠାରୁ ଆଉ ମଞ୍ଚ ନାଟକ ଦେଖିବାକୁ ମିଳିନି। ଗତବର୍ଷ ଡିସେମ୍ବର ମାସରେ କିଛି କଳାକାର ଏକଜୁଟ୍‌ ହୋଇ ନାଟକକୁ ପୁନର୍ଜିବୀତ କରିବାକୁ ଅଣ୍ଟା ଭିଡ଼ିଛନ୍ତି।
କିନ୍ତୁ ଡିଜିଟାଲ୍ ଓ ଆଧୁନିକ ଯୁଗରେ ମଞ୍ଚ ନାଟକ ଧୀରେ ଧୀରେ ସତ୍ତା ହରାଉଛି। କଲେଜସ୍ତରରେ ନାଟକ ପରିବେଷଣର ଧାରା ଆଉ ଦେଖିବାକୁ ମିଳୁନି। ସରକାରୀ ପ୍ରୋତ୍ସାହନ ସହିତ ପୁରଣା ପରମ୍ପରା ଫେରାଇ ଆଣିବା ପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ନାଟ୍ୟକାର ଉପେନ୍ଦ୍ର ଶତପଥୀ ପ୍ରକାଶ କରିଛନ୍ତି। ନାଟକକୁ ଭଲ ପାଉଥିବା କଳାକାର ଉପଯୁକ୍ତ ମଞ୍ଚ ଅଭାବରୁ ନିରାଶରୁ ମୁହଁ ଫେରାଇବାକୁ ବାଧ୍ୟ ହେଉଛନ୍ତି। ଏଭଳି ସ୍ଥିତିରେ ଅଗାମୀ ପିଢ଼ିକୁ ନାଟକ ପ୍ରତି ଆକୃଷ୍ଟ କରିବା ଏକ ଦୂରୁହ ବ୍ୟପାର ପାଲଟିଛି।

ସମ୍ବନ୍ଧିତ ଖବର