ଫୁଲବାଣୀ: ଶିକ୍ଷା ପାଇଁ ସ୍କୁଲ ହେଉଛି ଏକ ମନ୍ଦିର। ଆଉ ଏଠାରେ ଶିକ୍ଷକ ହେଉଛନ୍ତି ଭଗବାନ। ଛାତ୍ରଛାତ୍ରୀମାନେ ହେଉଛନ୍ତି ପୂଜାରୀ। ହେଲେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ଭୁଲି ମଦ ପିଇ ସ୍କୁଲକୁ ଆସିବା ଜଣେ ଶିକ୍ଷକଙ୍କୁ ବେଶ ମହଙ୍ଗା ପଡିଛି। ସଂପୃକ୍ତ ଶିକ୍ଷକଙ୍କୁ ଏଥି ନିମନ୍ତେ ନିଲମ୍ବିତ ହେବାକୁ ପଡିଛି। ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ନେଡିପଦର ଉଚ୍ଚପ୍ରାଥମିକ ସ୍କୁଲରେ।

Advertisment

ସୂଚନା ଅନୁସାରେ ନେଡିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ଶେଷଦେବ ବେହେରା କିଛି ଦିନ ପୂର୍ବେ ମଦ ପିଇ ସ୍କୁଲକୁ ଆସିଥିଲେ। ଶ୍ରେଣୀ ଗୃହରେ ଝୁଲିଝୁଲି ପିଲାଙ୍କୁ ପାଠ ପଢାଇଥିଲେ। ଶିକ୍ଷକଙ୍କ ଏ ଅବତାର ଦେଖି ସେଦିନ ପିଲାମାନେ ଭୟଭୀତ ହୋଇଯାଇଥିଲେ।

ତେବେ ପିଲାମାନଙ୍କ ଦ୍ୱାରା ଖବର ପାଇ ଜଣେ ଅଭିବାବକ ବିଦ୍ୟାଳୟରେ ପହଞ୍ଚିଥିଲେ। ସେ ନିଜ ମୋବାଇଲରେ ଭିଡିଓ ସୁଟିଂ କରି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ପଠାଇ ଦେଇଥିଲେ। ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଡା.ବୃନ୍ଦା ଡି ନିର୍ଦ୍ଦେଶ ଦେଇଥିଲେ। ତାପରେ ଜିଲ୍ଲା ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ପ୍ରଧାନଙ୍କ ପରାମର୍ଶକ୍ରମେ ଫିରିଙ୍ଗିଆ ବ୍ଳକ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ ସ୍କୁଲକୁ ଯାଇ ତଦନ୍ତ କରିଥିଲେ। ମଦ ପିଇ ସ୍କୁଲକୁ ଆସିଥିବା ଭିଡିଓ ସତ ବୋଲି ତଦନ୍ତ ପରେ ଜଣା ପଡିଥିଲା। ଏହି ଆଧାରରେ ସହକାରୀ ଶିକ୍ଷକ ଶ୍ରୀବେହେରାଙ୍କୁ ନିଲମ୍ବନ କରାଯାଇଥିବା ଶ୍ରୀ ଦିଗାଲ କହିଛନ୍ତି।

ସୂଚନାଯୋଗ୍ୟ, ପ୍ରାଥମିକ ବିଦ୍ୟାଳୟଗିଡ଼ିକରେ ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନର୍ଗଳ ଟଙ୍କା ଖର୍ଚ୍ଚ କରୁଛନ୍ତି। ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ, ପୁସ୍ତକ, ଖେଳକୁଦ ଆଦି ସାମଗ୍ରୀ ଆଦି ମାଗଣାରେ ଦିଆଯାଉଛି। ସେହିପରି ବିଦ୍ୟାଳୟର ସୁନ୍ଦରତା ପାଇଁ ପ୍ରତିବର୍ଷ ପାଣ୍ଠି ଯୋଗାଇ ଦିଆଯାଉଛି। କିନ୍ତୁ ଆଶା ଅନୁସାରେ ପିଲାଙ୍କୁ ଶିକ୍ଷା ମିଳିପାରୁ ନାହିଁ।