କାଠ ବୋଝେଇ ଟ୍ରାକ୍ଟର ଜବତ, ଜଣେ ଗିରଫ 

ପାପଡାହାଣ୍ଡି/ମଇଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖଜରିଘାଟି ଜଙ୍ଗଲରୁ କାଠ ଚୋରା ଚାଲାଣ ହେଉଥିବା ସମୟରେ ମଇଦଲପୁର ବନବିଭାଗ କର୍ମଚାରୀ କାଠ ବୋଝେଇ ଟ୍ରାକ୍ଟର ଜବତ କରିଛି। ଏଥି ସହ ଟ୍ରାକ୍ଟର ଡ୍ରାଇବରକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତର ନାଁ ହେଲା ପୂଜାରୀଗୁଡା ଗ୍ରାମର୍‌ ହୀରାଧାର ମାଝୀ (୨୮)।

ସୂଚନା ଅନୁଯାୟୀ ଖଜରିଘାଟି ଜଙ୍ଗଲରୁ କାଠ ଚୋରା ଚାଲାଣ ହେଉଥିବା ନେଇ ଡାବୁଗାଁ ରେଞ୍ଜ ଅଫିସରଙ୍କୁ କୌଣସି ସୂତ୍ରରୁ ଖବର ମିଳିଥିଲା। ସଙ୍ଗେ ସଙ୍ଗେ ରେଞ୍ଜ ଅଫିସର ମଇଦଲପୁର ବନବିଭାଗ ଫରେଷ୍ଟରଙ୍କୁ ଜଣାଇଥିଲେ। ଏହା ପରେ ମଇଦଲପୁର ଫେରେଷ୍ଟର ଉମାକାନ୍ତ ପଟ୍ଟନାୟକ କାଳ ବିଳମ୍ବ ନକରି ନିଜ ଟିମ ସହ ଖଜରିଘାଟି ଜଙ୍ଗଲ ଅଭିମୁଖେ ବାହାରିଥିଲେ। ରାତ୍ରୀ ପ୍ରାୟ ୧.୩୦ ସମୟରେ ଖଜରିଘାଟି ଜଙ୍ଗଲରୁ ଏକ କାଠ ବୋଝେଇ ଟ୍ରାକ୍ଟର (ଓଡ଼ି୨୪ଇ-୯୭୦୯) ନୂଆକୋଟ ଗ୍ରାମପଞ୍ଚାୟତ ପୂଜାରୀଗୁଡା ଦିଗରେ ଯାଉଥିବା ଦେଖି ଏହି ଟିମ ଟ୍ରାକ୍ଟର ପିଛାକରି ଗର୍ବରାଇ ମନ୍ଦିର ନିକଟରେ ଟ୍ରାକ୍ଟର ଅଟକାଇ ଥିଲେ। ବନ ବିଭାଗ କର୍ମଚାରୀ ଡ୍ରାଇବରକୁ ଗିରଫ କରିବା ସହିତ କାଠ ବୋଝେଇ ଟ୍ରାକ୍ଟର ଜବତ କରିଥିଲେ।

ଜବତ ଟ୍ରାକ୍ଟରରେ ମୋଟ ୧୨୦ ଗୋଟି ଶାଳ ବୋଲା ରହିଥିବା ଫରେଷ୍ଟର ସୂଚନା ଦେଇଛନ୍ତି। ଏହାର ମୂଲ୍ୟ ୧୮୦୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ହୀରାଧରକୁ ନବରଙ୍ଗପୁର କୋର୍ଟରେ ହାଜର କରାଯାଇଛି।  ଏହି ଚଡାଉ ସମୟରେ ମଇଦଲପୁର ଫରେଷ୍ଟର ଉମାକାନ୍ତ ପଟ୍ଟନାୟକ, ବାର୍ଲି ବନରକ୍ଷୀ ସୁବ୍ରତ ବବାଳୀ, ମଇଦଲପୁର ବନରକ୍ଷୀ ରାମାକାନ୍ତ ସାହୁ ପ୍ରକାଶ ଶତପଥୀ, ବୈଦ୍ୟନାଥ ମାଝୀ ଓ ଉମାଶଙ୍କର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର

Comments are closed.