ରାୟଗଡା: ରାୟଗଡା ଜିଲ୍ଲାରେ ମଦୁଆ ଡ୍ରାଇଭରଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହାଫଳରେ ଜିଲ୍ଲାରେ ଛୋଟ ବଡ ଦୁର୍ଘଟଣା ମଧ୍ୟ ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଘଟୁଥିବା ନଜିର ରହିଛି। ଏନେଇ ବାରମ୍ବାର ପୁଲିସ ନିକଟରେ ଅଭିଯୋଗ ପରେ ପୁଲିସ ତତ୍ପରତା ଦେଖାଇଛି। ଗୋଟିଏ ଦିନରେ ଜିଲ୍ଲାରେ ୩୧ଟି କେସ ରୁଜୁ କରିଛି ଓ ୩୧ଟି ଗାଡି ଜବତ କରିଛି। ମଦ ପିଇ ଗାଡ଼ି ଚଲାଇବା ବେନିୟମ ବୋଲି ଜାଣିଥିଲେ ମଧ୍ୟ ଟ୍ରକ, କାର, ଏବଂ ବାଇକ୍ ଚାଳକମାନେ ପ୍ରତିଦିନ ଦିନ ଓ ରାତି ସବୁବେଳେ ଗାଡ଼ି ଚଲାଉଥିବାରୁ ପୁଲିସ ଏବେ ପ୍ରତିଦିନ ଏନେଇ ଚଢଉ କରିବ ବୋଲି କହିଛି। ଜିଲ୍ଲାର ରାୟଗଡା ଥାନା ତରଫରୁ ଚଢଉ କରାଯାଇ ୧୦ ଜଣଙ୍କ ନାମରେ କେସ ରୁଜୁ ହୋଇଥିବା ବେଳେ ୧୦ଟି ବାଇକ୍ ଜବତ କରାଯାଇଛି। ସେହିପରି ଚାନ୍ଦିଲି ଥାନା ତରଫରୁ ଚଢଉ କରାଯାଇ ୩ଟି କେସ ରୁଜୁ କରାଯିବା ସହ ଗୋଟିଏ ଟ୍ରକ, ଗୋଟିଏ ପିକଅପ ଏବଂ ଗୋଟିଏ ମଟର ସାଇକେଲ ଜବତ କରାଯାଇଛି।
ଟିକିରି ଥାନା ପକ୍ଷରୁ ଚଢାଉ କରାଯାଇ ୩ଟି କେସ ରୁଜୁ କରାଯାଇ ୩ଟି ମଟର ସାଇକେଲ ଜବତ କରାଯାଇଛି। ଗୁଣୁପୁର ପୁଲିସ ପକ୍ଷରୁ ୨ଟି କେସ ରୁଜୁ କରାଯାଇ ୨ଟି ବାଇକ୍, ଦୋରାଗୁଡା ପୁଲିସ ତରଫରୁ ୨ଟି କେସ ରୁଜୁ କରାଯାଇ ୨ଟି ବାଇକ୍, ମୁନିଗୁଡା ପୁଲିସ ପକ୍ଷରୁ ୨ଟି କେସ ରୁଜୁ କରାଯାଇ ଗୋଟିଏ ପିକ୍ଅପ ଓ ଏକ ବାଇକ୍, ଗୁଡାରି ଥାନା ପକ୍ଷରୁ ୨ଟି କେସ ରୁଜୁ ସହ ଗୋଟିଏ ଟ୍ରକ ଓ ଗୋଟିଏ କାର, ପଦ୍ମପୁର ପୁଲିସ ପକ୍ଷରୁ ଗୋଟିଏ କେସ ରୁଜୁ ହୋଇ ଏକ ବାଇକ୍, ବିଷମକଟକ ପୁଲିସ ଓ ଆମ୍ବାଦୋଳା ପୁଲିସ ପକ୍ଷରୁ ଗୋଟିଏ ଲେଖାଏଁ କେଶ ରୁଜୁ କରାଯାଇ ଗୋଟିଏ ଲେଖାଏଁ ବାଇକ୍ ଜବତ କରାଯାଇଛି।
ସେହିପରି ଆଞ୍ଚଳିକ ପରିବହନ ପକ୍ଷରୁ ଚଢଉ କରାଯାଇ ୪ଟି କେସ ରୁଜୁ ସହ ୪ଟି ବାଇକ୍ ଜବତ କରାଯାଇଛି। ମୋଟ ୨୬ଟି ବାଇକ୍, ୨ଟି ଟ୍ରକ, ୨ଟି ପିକଅପ ଓ ଗୋଟିଏ କାର ଜବତ କରାଯାଇଛି। ତେବେ ଜିଲ୍ଲାରେ ରହିଥିବା ୧୭ଟି ଥାନା ପକ୍ଷରୁ ଚଳିତ ଜୁନ ସୁଦ୍ଧା ୨୫,୯୮୩ଟି ମଟର ଗାଡିକୁ ଜବତ କରାଯିବା ସହ ୨ କୋଟି ୯୫ ଲକ୍ଷ ୪୪ ହଜାର ୨୭୫ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ୪୦୩ଟି ମଟରଯାନ ଲାଇସେନ୍ସକୁ ରଦ୍ଦ କରାଯାଇଥିବା ପୁଲିସ କହିଛି। ଯଦି ଗତଦୁଇ ବର୍ଷର ଜିଲ୍ଲାର ରିପୋର୍ଟ ଦେଖିବା ତେବେ ୨୦୨୧ ମସିହାରେ ଜିଲ୍ଲାର ୧୭ଟି ଥାନାରେ ୩୬, ୫୪୯ଟି ମଟର ଯାନ ଉପରେ ଚଢଉ କରାଯାଇ ୩ କୋଟି ୪୭ ଲକ୍ଷ ୯୬ ହଜାର ୮୫୦ ଟଙ୍କା ଜୋରିମାନା ବାବଦକୁ ଆଦାୟ କରାଯାଇଥିବା ବେଳେ ୫୪୭ଟି ଲାଇସେନ୍ସକୁ ରଦ୍ଦ କରାଯାଇଛି। ସେହିପରି ଗତ ୨୦୨୨ ମସିହାରେ ୨୬,୫୮୦ଟି ମଟର ଯାନ ଉପରେ ଚଢଉ କରାଯାଇ ୨ କୋଟି ୬୪ ଲକ୍ଷ ୮୪ ହଜାର, ୨୨୭ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ବେଳେ ୧୩୧୭ଟି ଲାଇସେନ୍ସକୁ ରଦ୍ଦ କରାଯାଇଛି।
ଯଦି ଜିଲ୍ଲାରେ ଚଳିତବର୍ଷ ଜୁନ ସୁଦ୍ଧା ଦୁର୍ଘଟଣାରେ ୫୯ ଜଣଙ୍କର ମୃତ୍ୟୁବରଣ ହୋଇଥିବା ବେଳେ ୫୩ ଜଣ ଗୁରୁତର ଆହତ ଏବଂ ୨୬ ଜଣ ଆହତ ହୋଇଥିଲେ। ମୋଟରେ ୧୩୯ଟି ଦୁର୍ଘଟଣା ହୋଇଥିଲା। ସେହିପରି ଗତ ୨୦୨୧ ମସିହାରେ ଦୁର୍ଘଟଣାରେ ୧୧୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧୦ ଜଣ ଗୁରୁତର ଆହତ ଏବଂ ୬୭ ଜଣ ଆହତ ହୋଇଥିଲେ। ମୋଟ ୩୦୪ଟି ଦୁର୍ଘଟଣା ଘଟିଥିଲା। ଗତ ୨୦୨୨ ମସିହାରେ ୧୦୮ ଜଣଙ୍କର ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଥିବା ବେଳେ ୯୦ ଜଣ ଗୁରୁତର ଆହତ ଏବଂ ୪୯ ଜଣ ଆହତ ହୋଇଥିଲେ। ମୋଟ ୨୬୨ଟି ଦୁର୍ଘଟଣା ଜିଲ୍ଲାରେ ଘଟିଥିଲା। ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ ମଦ ପିଇ ଜିଲ୍ଲାରେ ଗାଡି ଚାଳକମାନେ ବେଧଡକ ଗାଡି ଚଳାଉଛନ୍ତି। ଯାହାଫଳରେ ଦୁର୍ଘଟଣା ଘଟିବାରେ ଲାଗିଛି। ତେବେ ପୁଲିସ ଏନେଇ ସଜାଗ ରହିଥିବା କହିଛି।