ସମୁଦ୍ରକୂଳିଆ ଗାଁରେ ପାନୀୟ ଜଳ ସଙ୍କଟ,  ସବୁଆଡ଼େ ମାଡ଼ି ଯାଇଛି ଲୁଣି ଜୁଆର

ଡହଳବିକଳ ୧୨୪ଟି ଗାଁର ଲୋକ

ବାଲେଶ୍ବର : ବାତ୍ୟା ‘ୟାସ୍’ ପରେ ପରେ ବାଲେଶ୍ବର ଜିଲ୍ଲାର ସମୁଦ୍ରକୂଳିଆ ଗାଁଗୁଡ଼ିକରେ ଏବେ ନାହିଁ ନଥିବା ସମସ୍ୟା ଦେଖାଦେଇଛି। ଲୁଣି ଜୁଆର ମାଡ଼ିଯାଇ ଶହଶହ ଗାଁ, ଚାଷଜମି, ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହୋଇଥିବା ବେ‌ଳେ ପିଇବ‌ା ପାଣି ପାଇଁ ମଧ୍ୟ ଲୋକଙ୍କଠାରୁ ଆରମ୍ଭ କରି ଗୃହପାଳିତ ପଶୁ ଅସୁବିଧା ଭୋଗୁଥିବା ଦେଖିବାକୁ ମିଳୁଛି। ସରକାରୀସ୍ତରରେ ସହାୟତା ଯୋଗାଇ ଦିଆଯିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପୁନରୁଦ୍ଧାର କାମ ଚାଲିଥିଲେ ହେଁ ଅନେକ ଗାଁରେ ଏଯାଏ ପ୍ରଶାସନ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଜିଲ୍ଲାରେ ‘ୟାସ’ ଯୋଗୁଁ ଲୁଣି ଜୁଆର ଦ୍ବାରା ମୁଖ୍ୟତଃ ବାଲେଶ୍ବର ସଦର ବ୍ଲକର ୧୪ ପଞ୍ଚାୟତ, ରେମୁଣା ବ୍ଲକର ୩ ପଞ୍ଚା‌ୟତ, ସୋର ବ୍ଲକର ୧୩ ପଞ୍ଚାୟତ, ବାହାନଗା ବ୍ଲକର ୭ ପଞ୍ଚାୟତ, ଭୋଗରାଇ ବ୍ଲକର ୬ ପଞ୍ଚାୟତ, ବାଲିଆପାଳ ବ୍ଲକର ୧୧ ପଞ୍ଚାୟତରେ ଥିବା‌ ୧୨୪ଟି ଗାଁ ପ୍ରଭାବିତ ହୋଇଛି। ଏସବୁ ଗାଁରେ ପ୍ରବାହିତ ହେଉଥିବା ନଈ, କେନାଲ ଏବଂ ଛୋଟନାଳ ସମୁଦ୍ରକୁ ସଂଯୋଗ ହୋଇଥିବାରୁ ଲୁଣିପାଣି ମାଡ଼ିଯାଇ ହଜାର ହଜାର କଚାଘର ମାଟିରେ ମିଶିଯାଇଛି। ଅନେକ ଗାଁ ଏବେ ବି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା ବେଳେ ନଳକୂପ ପ‌ାଣି ପିଇବା ଅନୁପଯୋଗୀ ହୋଇପଡ଼ିଛି। ଲୋକେ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ବିଲବାଡ଼ି, ଗଡ଼ିଆ, ପୋଖରୀ ଆଦିରୁ ଗୋରୁଗାଈ ପାଣି ପିଉନାହାନ୍ତି କି ପଡ଼ିଆ କିମ୍ବା ଜମିରେ ଘାସ ଚରୁନାହାନ୍ତି। ସେହିପରି ହଜାର ହଜାର ହେକ୍ଟର ଚାଷଜମିରେ ଲୁଣି ଜୁଆର ମାଡ଼ିଥିବାରୁ ଚଳିତବର୍ଷ ସେଥିରେ ଖରିଫ ଚାଷ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ବାଲେଶ୍ବର ସଦର ବ୍ଲକର ଶ୍ରୀକୋଣା ପଞ୍ଚାୟତ, ବର୍ଦ୍ଧନପୁର ପଞ୍ଚାୟତ, କଷାଫଳ ପଞ୍ଚାୟତ, ରେମୁଣା ବ୍ଲକର ଇଞ୍ଚୁଡ଼ି ଓ ତୁଣ୍ଡରା ପଞ୍ଚାୟତ, ଭୋଗରାଇ ବ୍ଲକର ହୁଗୁଳି, ସାହାବାଜିପୁର, ଶ୍ରଦ୍ଧାପୁର, କାଁଥିଭଉଁରୀ ପଞ୍ଚାୟତ, କୁମ୍ଭୀରଗଡ଼ି ପଞ୍ଚାୟତ, ସୋର ବ୍ଲକର ପାଖର ପଞ୍ଚାୟତ, ବାହାନଗା ବ୍ଲକର ଖରାସାହାପୁର ପଞ୍ଚାୟତ ଏବଂ ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତବାସୀ ଏବେ ପିଇବାପାଣି ପାଇଁ ହନ୍ତସନ୍ତ ହେଉଥିବା ବେଳେ ତୁରନ୍ତ ସମସ୍ୟାର ସମାଧାନ କରିବାକୁ ନିବେଦନ କରିଛନ୍ତି।

ଏନେଇ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଦେଇଥିବା‌ ରିପୋର୍ଟ ଅନୁଯାୟୀ, ବାଲେଶ୍ବର ଜିଲ୍ଲାର ୧୨ଟି ବ୍ଲକରେ ୨୦ହଜାର ୩୨ଟି ନଳକୂପ ଓ ୬୬୫ଟି ପମ୍ପହାଉସ ରହିଛି। ତେବେ ବାତ୍ୟା ୟାସରେ ମୁଖ୍ୟତଃ ଲୁଣି ଜୁଆର ମାଡ଼ିଥିବା ସମ୍ପୃକ୍ତ ୬ ବ୍ଲକରେ ପାନୀୟଜଳର ସମସ୍ୟା ସୃଷ୍ଟି ହୋଇଛି। ବାକି କିଛି ବ୍ଲକରେ ପ୍ରବଳ ଝଡ଼ତୋଫାନ ଯୋଗୁଁ ବିଦ୍ୟୁତ୍‌ ଭିତ୍ତିଭୂମି ନଷ୍ଟ ହୋଇଥିବାରୁ ପାନୀୟଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଏହି ଅଞ୍ଚଳଗୁଡ଼ିକରେ ପ୍ରଭାବିତ ଲୋକ ଓ ଗୃହପାଳିତ ପଶୁଙ୍କ ନିକଟରେ ପିଇବା ପାଣି ପହଞ୍ଚାଇବା ସହ ଜୁଆର ପାଣିରେ ବୁଡ଼ିଥିବା ନଳକୂପଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ ବିଶୋଧିତ କରାଯାଉଛି। ସ୍ଥିତି ସ୍ବାଭାବିକ ନହେବା ପର୍ଯ୍ୟନ୍ତ ଲୋକଙ୍କ ନିକଟରେ ପିଇବା ପାଣି ପହଞ୍ଚାଇବା ପାଇଁ ପମ୍ପ ହାଉସଗୁଡ଼ିକରେ ଜେନେରେଟର ଲଗାଯାଇ ପାଣି ଉଠାଯାଉଛି। ସେ ପାଣିକୁ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ୧୭୦ଟି ୱାଟର ଟ୍ୟାଙ୍କର ଏବଂ ୮୩୪ ଶ୍ରମିକ ନିୟୋଜିତ ହୋଇଛନ୍ତି। ଏହାବାଦ୍‌ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ପାଣି ପାଉଚ ଯୋଗାଇଦେବା ପାଇଁ ୫ଟି ମୋଭେବଲ ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ପଠାଯାଇଛି। ଏହି ପ୍ଲାଣ୍ଟରେ ଘଣ୍ଟାକୁ ୨୦ହଜାର ପାଣି ପାଉଚ ବାହାରି ପାରୁଛି। ଏସବୁ ବିପନ୍ନଙ୍କୁ ବଣ୍ଟା ଯାଉଛି। ସେହିପରି ଯୁଦ୍ଧକାଳୀନ ଭିତ୍ତିରେ ଲୁଣି ଜୁଆର ମାଡ଼ିଥିବା ଅଞ୍ଚଳରେ ନଳକୂପଗୁଡ଼ିକୁ ବିଶୋଧନ ଚାଲିଛି। ଲୁଣି ଜୁଆର ପ୍ରଭାବିତ ୧୧ହଜାର ୨୭୫ଟି ନଳକୂପ ମଧ୍ୟରୁ ଗତକାଲି ସୁଦ୍ଧା ୩୨୨୦ଟି ନଳକୂପ ବିଶୋଧିତ ହୋଇ ସାରିଥିବା ବେଳେ ବାକି ଆଗାମୀ ୩ଦିନ ମଧ୍ୟରେ ସମ୍ପୂର୍ଣ୍ଣ ହେବ ବୋଲି ସୂଚନା ଦିଆଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ବର ଆରଡବ୍ଲୁଏସଏସ୍‌ର ଅଧୀକ୍ଷଣ ଯନ୍ତ୍ରୀ ସର୍ବେଶ୍ବର ଦାସମହାପାତ୍ର, ନିର୍ବାହୀ ଯନ୍ତ୍ରୀ ରାଜୀବ ପାଣିଗ୍ରାହୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଜଳେଶ୍ବର ଏସ୍‌ଡିଓ ଅଶୋକ ମିଶ୍ର, ବାଲେଶ୍ବର ଏସଡିଓ ରୌପ୍ୟରଂଜନ ବେହେରା ଓ ସୋର ଏସ୍‌ଡିଓ ସମୀର ଚନ୍ଦ୍ର ଦେ ପ୍ରମୁଖ ଏହି କାର୍ଯ୍ୟ ପରିଚାଳନା କରୁଛନ୍ତି।
ତେବେ ଲୋକଙ୍କ ପାଖରେ ପ୍ରଶାସନ ପିଇବା ପାଣି ପହଞ୍ଚାଉଥିବା ବେଳେ ଦୈନନ୍ଦିନ ଚଳଣି ପାଇଁ ମଧ୍ୟ ମଧୁର ଜଳର ଆବଶ୍ୟକ ହୋଇଥାଏ। ଲୁଣାପାଣି ମାଡ଼ି ଯାଇଥିବାରୁ ପ୍ରଭାବିତ ଅଞ୍ଚଳବାସୀ ବହୁ ହଇରାଣ ହେଉଥିବା ଦେଖାଯାଇଛି।

ସମ୍ବନ୍ଧିତ ଖବର