ବିଶ୍ରା: ଯଦିଓ ରାଜ୍ୟ ସରକାର ପ୍ରତ୍ୟେକ ଗ୍ରାମରେ ବିଶୁଦ୍ଧ ଜଳ ଯୋଗାଉ ଥିବା ଦାବି କରୁଛନ୍ତି, ତଥାପି ରାଉରକେଲା ସନ୍ନିକଟ ରଘୁନାଥପାଲି ନିର୍ବାଚନମଣ୍ଡଳୀର ଲୋକୋ ବାରକାନି ଗାଁର ମୁଣ୍ଡାରି ବସ୍ତି ଏବଂ ଭୂମିଜ ବସ୍ତି ଏହାର ଏକ ବ୍ୟତିକ୍ରମ। ସ୍ୱାଧୀନତା ୭୫ ବର୍ଷ ପରେ ମଧ୍ୟ ଏହି ଦୁଇ ବସ୍ତିକୁ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇପାରିନାହିଁ। ଏହି ଦୁଇଟି ବସ୍ତିର ପ୍ରାୟ ୩୦୦ ଲୋକ ପାନୀୟ ଜଳ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବସ୍ତିବାସୀଙ୍କ କହିବା ଅନୁଯାୟୀ ଏହି ଗାଁରେ ଲୋକଙ୍କର ପାନୀୟ ଜଳ ସମସ୍ୟାକୁ ଦୂର କରିବା ପାଇଁ ସରକାର ତରଫରୁ କିଛି ଯୋଜନା ନାହିଁ। ରାଉରକେଲା ସ୍ମାର୍ଟସିଟି ଠାରୁ ମାତ୍ର ଦୁଇରୁ ତିନି କିଲୋମିଟର ଦୂରରେ ଅବସ୍ଥିତ ଏହି ବସ୍ତିର ଲୋକେ ପ୍ରତିଦିନ ପାନୀୟ ଜଳ ପାଇଁ ପ୍ରାୟ ଏକ କିଲୋମିଟର ଦୂରକୁ ଯିବାକୁ ବାଧ୍ୟ ହେଉଛନ୍ତି। ଗ୍ରୀଷ୍ମ ଋତୁରେ ପରିସ୍ଥିତି ଆହୁରି ଅଧିକ ସଙ୍ଗୀନ ହୋଇଯାଏ। ବସ୍ତିବାସୀ ପ୍ରତିଦିନ ଏହି ଦୂରତ୍ଵ ଅତିକ୍ରମ କରି ବନ୍ଧମୁଣ୍ଡା ରେଳବାଇ ଡିଜେଲ ସେଡ୍ରୁ ପାନୀୟ ଜଳ ସଂଗ୍ରହ କରିଥାନ୍ତି।
ଏହି ଗାଁର ମହିଳା, ପୁରୁଷ, ବୃଦ୍ଧ ଓ ଛାତ୍ରଛାତ୍ରୀଙ୍କୁ ପ୍ରତିଦିନ ଜଳ ପାଇଁ ଦୀର୍ଘ ଦୂରତ୍ଵ ଅତିକ୍ରମ କରୁଥିବା ଦେଖିବାକୁ ମିଳିଥାଏ। ସ୍ଥାନୀୟ ଗ୍ରାମବାସୀ ଏ ସମ୍ପର୍କରେ ଅନେକ ଥର ଅଭିଯୋଗ କରିଛନ୍ତି। କିନ୍ତୁ ଏଥିରୁ କୌଣସି ଲାଭ ମିଳିନାହିଁ। ବିଭିନ୍ନ ସମୟରେ ନିର୍ବାଚନ ସମୟରେ ସବୁ ଦଳର ନେତାମାନେ ଗାଁରେ ପହଞ୍ଚି ନିର୍ବାଚନରେ ଜିତିବା ପରେ ଏହି ଅଞ୍ଚଳରେ ପାନୀୟ ଜଳ ସମସ୍ୟାର ସମାଧାନର ନିଶ୍ଚିତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ମାତ୍ର ନିର୍ବାଚନ ସରିଗଲା ପରେ ଆଉ ଲୋକପ୍ରତିନିଧିଙ୍କର ଦେଖା ଦର୍ଶନ ମିଳେନା ବୋଲି କ୍ଷୋଭ ପ୍ରକାଶ କରନ୍ତି ବସ୍ତିବାସିନ୍ଦା। କୌଣସି ନେତା ଏବେ ଯାଏ ଏହି ପାଣି ସମସ୍ୟାର କିଛି ସମାଧାନ କରିପାରି ନାହାନ୍ତି। ଏଭଳି ପରିସ୍ଥିତିରେ ଯଦି ଏହି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଶୀଘ୍ର ସମାଧାନ ନହୁଏ, ତେବେ ଲୋକମାନେ ଆସନ୍ତା ବିଧାନସଭା ନିର୍ବାଚନରେ ଭୋଟ ବର୍ଜନ କରିବ ବୋଲି ନିଷ୍ପତ୍ତି ନେଇଛନ୍ତି।