ଲୋଇସିଂହା: ଗତ ୪ ଦିନ ହେଲା ବଲାଙ୍ଗୀର ଜିଲ୍ଲା ଲୋଇସିଂହାକୁ ପାନୀୟ ଜଳଯୋଗାଣ ବନ୍ଦ ରହିଛି। ତଥାପି ବିଭାଗୀୟ କର୍ତ୍ତୃପକ୍ଷ ତଥା ସ୍ଥାନୀୟ ସରପଞ୍ଚ ନବ କିଶୋର ନାଏକ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ପ୍ରତିବାଦରେ ସେମାନେ ସୋମବାର ୨୬ ନମ୍ବର ଜାତୀୟ ରାଜପଥ ଉପରେ ବାଲଟି, ଗରା, ମାଠିଆ ଆଦି ରଖି ଅବରୋଧ କରିଥିଲେ। ଫଳରେ ଉଭୟ ପାର୍ଶ୍ବରେ ବହୁ ଯାନବାହନ ଅଟକି ରହିଥିଲା। ପ୍ରବଳ ଗରମରେ ୪ ଘଣ୍ଟା ଧରି ଯାତ୍ରୀମାନେ ବହୁ ହଇରାଣ ହୋଇଥିଲେ।
ଖବର ପାଇ ସ୍ଥାନୀୟ ପୁଲିସ କର୍ମଚାରୀଙ୍କ ସହ ଅଧିକାରିଣୀ ଯାଜ୍ଞସେନୀ ନାୟକ ଓ ସରପଞ୍ଚ ଶ୍ରୀ ନାଏକ ଘଟଣାସ୍ଥଳକୁ ଆସି ଆନ୍ଦୋଳନକାରୀଙ୍କୁ ବୁଝାଇବା ଉଦ୍ୟମ କରି ବିଫଳ ହୋଇଥିଲେ। ପରେ ବିଡିଓ, ତହସିଲଦାର, ଅତିରିକ୍ତ ତହସିଲଦାର, ଜଳ ଯୋଗାଣ ଓ ପରିମଳ ବିଭାଗ ଜେଇ, ଏସ୍ପିଡିଓ ତୋଫାନ ବାଗ ପ୍ରମୁଖ ଆସି ଆନ୍ଦୋନଳକାରୀଙ୍କ ସହ ଆଲୋଚନା କରିଥିଲେ। ତଥାପି ଆନ୍ଦୋଳନକାରୀମାନେ ନିଜ ଜିଦ୍ରେ ଅଟଳ ରହିଥିଲେ। ୨ ଦିନରେ ଥରେ ଲେଖାଏଁ ପାଇପ ଯୋଗେ ଜଳଯୋଗାଣ ସହ ନିୟମିତ ଟ୍ୟାଙ୍କର ଯୋଗେ ଜଳଯୋଗାଣ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଦିନ ପ୍ରାୟ ୨ଟାରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ସୂଚନାଯୋଗ୍ୟ ଯେ, ଗତ ପ୍ରାୟ ୧ ମାସ ହେଲା ସୁକତେଲ ନଦୀରେ ଜଳସ୍ତର ହ୍ରାସ ପାଇ ଆବଶ୍ୟକ ଜଳ ଆସୁ ନଥିବାରୁ ଏଭଳି ଅବ୍ୟବସ୍ଥା ଦେଖାଦେଇଛି। ଏହାଛଡ଼ା ଜଳଯୋଗାଣ ସ୍ବାଭାବିକ ଥିବା ସମୟରେ ମଧ୍ୟ ଲୋଇସିଂହା ଗ୍ରାମର ସବୁ ଅଞ୍ଚଳର ଷ୍ଟାଣ୍ଡପୋଷ୍ଟଗୁଡ଼ିକରେ ପାଣି ଆସୁ ନଥିବା ବାରମ୍ବାର ଅଭିଯୋଗ ସତ୍ତ୍ବେ କୌଣସି ସ୍ଥାୟୀ ପ୍ରତିକାର ହେଉ ନଥିବାରୁ ଅଞ୍ଚଳବାସୀଙ୍କ ମନରେ ଅସନ୍ତୋଷ ଲାଗିରହିଛି।