ଜୟପୁର :‌ ଜୟପୁର ଭିଜିଲାନସ୍ ଏସପି ଅଧିନରେ ୨୦୨୦ ଜାନୁଆରୀ ୧ରୁ ଡିସେମ୍ବର ୩୧ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର କୋରାପୁଟ, ନବରଙ୍ଗପୁର, ମାଲାକାନଗିରୀ, ନବରଙ୍ଗପୁର , କଳାହାଣ୍ଡି  ଓ ନୂଆପଡ଼ା ଜିଲ୍ଲାରେ ୩୨ଟି ମାମଲା ରୁଜୁ କରିଛନ୍ତି।  ୨୦୧୯ରେ ୩୬ଟି ମାମଲା  ରୁଜୁ ହୋଇଥିଲା। ଏହି ବର୍ଷ କୋଭିଡ୍ ସତ୍ବେ ଜୟପୁର ଭିଜିଲାନସ୍ ପକ୍ଷରୁ ବ୍ୟାପକ ଚଢ଼ାଉ କରାଯାଇଥିଲା। ମାର୍ଚ୍ଚ ଠାରୁ ଜୁନ ପର୍ୟ୍ୟନ୍ତ ମାମଲା ସେତେଟା ହୋଇ ନଥିଲେ ହେଁ ଜୁନ ପର ଠାରୁ ଭିଜିଲାନସ୍ ତାର ଜାଲ୍ ବିଛେଇ ଥିଲା।

Advertisment

ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ସବୁବେଳେ ସାଧାରଣ ଜୀବନରେ ସାଧୁତା ଓ ନୈତିକତା ଉପରେ ଗୁରୁତ୍ବ ଦେଇ ଆସିଛନ୍ତି। ଅପାରଗ ତଥା ଅସାଧୁ ଅଧିକାରୀଙ୍କ ବିରୁଦ୍ଧରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଜୋର ଦେଇ ଆସିଛନ୍ତି ଏବଂ ପ୍ରଶାସନରୁ ଦୁର୍ନୀତି ଓ ଅପାରଗତା ଦୂର କରିବାପାଇଁ ସବୁବେଳେ କଠୋର ପଦକ୍ଷେପ ନେଇଛନ୍ତି । ଏହିକ୍ରମରେ ଜୟପୁର ଭିଜିଲାନସ୍ ହାତରେ ଧରା ପଡ଼ିଥିବା ଜଣେ ଜିଲ୍ଲା କୃଷି ଉପନିର୍ଦେଶକ ଓ ଜଣେ ସିଡିପିଓଙ୍କୁ ରାଜ୍ୟ ସରକାର  ଏହି ବର୍ଷକ ମଧ୍ୟରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୩୨ଟି ମାମଲା ମଧ୍ୟରୁ ୨୦ଟି ଲାଂଚ ନେଉଥିବା ବେଳେ ଏବଂ ୧୧ଟି  ଆୟ ବର୍ହିଭୁତ୍ତ ମାମଲା ରହିଛି। ସେଭଳି ଗୋଟିଏ ସରକାରୀ ଅର୍ଥ ତୋଷାରପାତ ମାମଲା ରହିଛି। ୨୦ଟି ଲାଂଚ ନେଉଥିବା ମାମଲା ମଧ୍ୟରୁ ୪ଟି ମାମଲା ପ୍ରଥମ ଶ୍ରେଣୀ ଅଧିକାରୀମାନେ ଲାଂଚ ନେଉଥିବା ବେଳେ ଭିଜିଲାନସ୍ ହାତରେ ଧରା ପଡ଼ିଥିଲେ। ଏମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ, ଡାକ୍ତର, କଲେଜ ଅଧ୍ୟକ୍ଷ  ଆଦି ବି ରହିଛନ୍ତି । ଅନ୍ୟ ମାମଲାଗୁଡିକରେ ପୁଲିସ ଅଧିକାରୀ, ଆରଆଇ, ବନବିଭାଗର କର୍ମଚାରୀ, ପିଇଓ, କିରାଣୀ ଆଦି ରହିଛନ୍ତି। ସେଭଳି ୧୧ଟି ଆୟବର୍ହିଭୁତ ମାମଲା ମଧ୍ୟରୁ ୭ଜଣ ପ୍ରଥମ ଶ୍ରେଣୀର ଅଧିକାରୀ ଅର୍ଥାତ ବଡ଼ ମାଛ ରହିଛନ୍ତି। ଏହି ୭ଜଣଙ୍କ ମଧ୍ୟରୁ  ପୂର୍ବତନ କୋରାପୁଟ ଜିଲ୍ଲା କୃଷି ଉପନିର୍ଦେଶକ ପ୍ରଦୀପ କୁମାର ମହାନ୍ତି ବି ଅର୍ନ୍ତଭୁକ୍ତ। ସେଭଳି ଏହି ଆୟବର୍ହିଭୁତ ମାମଲାରେ ସିଡିପିଓ, ଯନ୍ତ୍ରୀ, ଆରଆଇ,ଅତିରି୍କ୍ତ ଅମିନ, ପୁଲିସ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଶିକ୍ଷକ , ଗ୍ରାମପଂଚାୟତର ପିଇଓ ବି ରହିଥିବା ସୂଚନା ମିଳିଛି। ସେଭଳି ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକ ଦଳବେଢ଼ା ପଂଚାୟତର ପଂଚାୟତ ସଂପ୍ରସାରଣ ଅଧିକାରୀ ଓ ସରପଂଚ ୫ଲକ୍ଷ ୬୫୯ଟଙ୍କା ସରକାରୀ ଅର୍ଥକୁ ତୋଷାରପାତ କରିଥିବା ଭଳି ବି ଅଭିଯୋଗରେ ମାମଲା ହୋଇଥିବା ଜୟପୁର ଭିଜିଲାନସ୍ ଏସପିଙ୍କ କାର୍ୟ୍ୟାଳୟ ସୁତ୍ରରୁ ସୂଚନା ମିଳିଛି।

କୋଭିଡ୍ ସଂକ୍ରମଣ ଭୟ ଯୋଗୁଁ ମାର୍ଚ୍ଚରୁ ଜୁନ ପର୍ୟ୍ୟନ୍ତ ଯଦିଓ ମାମଲା ହୋଇ ନଥିଲେ ହେଁ ଗତ ଜାନୁଆରୀରୁ ୩୧ଡିସେମ୍ବର ୨୦୨୦ମସିହା ପର୍ୟ୍ୟନ୍ତ ୩୨ଟି ମାମଲା ରୁଜୁ ହୋଇଛି ବୋଲି କହିଛନ୍ତି ଭିଜିଲାନସ୍ ଏସପି ଶଶି ଶେଖର ମହାପାତ୍ର। ଲୋକେ ଭିଜିଲାନସକୁ ବ୍ୟାପକ ଭାବେ ସୂଚନା ଦେବାକୁ ଏବଂ ସୂଚନାକୁ ଗୋପନୀୟ ରଖି ଲାଂଚୁଆ ଅଧିକାରୀ, ସରକାରୀ ଅର୍ଥ ତୋଷାରପାତ କରିଥିବା ଏବଂ ଆୟବର୍ହିଭୁତ ସଂପତ୍ତି କରିଥିବା ଅଧିକାରୀ, ଲୋକପ୍ରତିନିଧିଙ୍କ ଉପରେ ଚଢ଼ାଉ କରାଯିବ ବୋଲି କହିଛନ୍ତି ଏସପି ଶ୍ରୀ ମହାପାତ୍ର।