ଚୋରା ଚାଲାଣ ବେଳେ ୭ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ, ଡ୍ରାଇଭର ଗିରଫ

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ହିର୍ଲି ତୁମ୍ବର୍ଲ୍ଲା ରାସ୍ତାରେ ବୁଧବାର ଅପରାହ୍ନ ୫ଟା ସମୟରେ ବାହାର ରାଜ୍ୟକୁ ବେଆଇନ ଭାବେ ଚୋରା ଚାଲାଣ କରୁଥିବା ଏକ କେନ୍ଦୁପତ୍ର ବୋଝେଇ ଟ୍ରକକୁ ବନ ବିଭାଗ ଓ କେନ୍ଦୁପତ୍ର ବିଭାଗ ମିଳିତ ଚଢଉ କରି ଏକ ଟ୍ରକକୁ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଦୁଇ ଜଣ ହେଲେ ଟ୍ରକ ଡ୍ରାଇଭର ବିହାର ରାଜ୍ୟ ବିଶୁନ୍ ପୂର୍ଵା ଗ୍ରାମର ଉପେନ୍ଦ୍ର ଯାଦବ (୩୩) ଓ ଛତିଶଗଡ଼ ରାଜ୍ୟ ଜଗଦଲପୁର ବାହାଦୁର ଗୁଡ଼ାର ଅବଦୁଲ ସମିନ ଖାନ (୫୪)। ଏ ନେଇ ଡାବୁଗାଁ ବନ ବିଭାଗ ତରଫରୁ କେସ ନଂ-୫୭/୨୨/୨୩ ରେ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟ ଆସାମୀକୁ ଆଜି କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏକ ଟ୍ରକ ଯୋଗେ ଚୋରା କେନ୍ଦୁପତ୍ର ଅନ୍ୟ ରାଜ୍ୟକୁ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ବନ ବିଭାଗକୁ ମିଳିଥିଲା। ନବରଙ୍ଗପୁର ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଡାବୁଗାଁ ଓ ନବରଙ୍ଗପୁର ବନାଞ୍ଚଳ ସହ ଡାବୁଗାଁ ଓ ପାପଡାହାଣ୍ଡି କେନ୍ଦୁପତ୍ର ବନାଞ୍ଚଳ ର ମିଳିତ ଟିମ ଗଠନ କରାଯାଇଥିଲା। ଉଭୟ ବିଭାଗର ଟିମ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ହିର୍ଲି ଓ ତୁମ୍ବର୍ଲା ରାସ୍ତାରେ ଏକ ବେଆଇନ ଭାବେ ଅନ୍ୟ ରାଜ୍ୟକୁ ଚୋରା ଚାଲାଣ ହେଉଥିବା ଏକ କେନ୍ଦୁପତ୍ର ବୋଝେଇ ଟ୍ରକ ନ (ସିଜି ୧୭ ଏଫ୍ଏଫ୍ ୪୪୫୫) କୁ ଅଟକ ରଖିଥିଲେ।

ବିହାର ରାଜ୍ୟ ଅନ୍ତର୍ଗତ ବିଶୁନ୍ ପୂର୍ଵା ଗ୍ରାମର ଡ୍ରାଇଭର ଉପେନ୍ଦ୍ର ଯାଦବ (୩୩) ଓ ଛତିଶଗଡ଼ ରାଜ୍ୟ ଜଗଦଲପୁର ବାହାଦୁର ଗୁଡ଼ାର ଅବଦୁଲ ସମିମ୍ ଖାନ (୫୪) କୁ ଆବଶ୍ୟକୀୟ କାଗଜପତ୍ର ଦେଖାଇବାକୁ କହିଥିଲେ। କିନ୍ତୁ ଏହା ବେନିୟମ ଚୋରା ଚାଲାଣ ହେଉଥିବା ଜଣା ପଡ଼ିବା ସହ ସେମାନଙ୍କ ପାଖରେ କୌଣସି କାଗଜ ପତ୍ର ନ ଥିବାରୁ ଡାବୁଗାଁ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା। ୧୫୦ ବସ୍ତା କେନ୍ଦୁପତ୍ର ଯାହାର ଓଜନ ପ୍ରାୟ ୫୧୫୫ କେଜି ରହିଥିବା ବେଳେ ଏହି କେନ୍ଦୁପତ୍ରର ମୂଲ୍ୟ ୭ ଲକ୍ଷରୁ ଅଧିକ ହେବ ବୋଲି ବିଭାଗ ତରଫରୁ ଜଣା ପଡ଼ିଛି। ଏ ନେଇ ଡାବୁଗାଁ ବନ ବିଭାଗ ତରଫରୁ କେସ ନଂ- ୫୭/୨୨/୨୩ ରେ ମାମଲା ରୁଜୁ କରାଯାଇଥିବା ବେଳେ ଉଭୟ ଆସାମୀକୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଚଢଉରେ ଡାବୁଗାଁ ବନାଞ୍ଚଳ ଅଧିକାରୀ ସେତୁରଞ୍ଜନୀ ଗମାଙ୍ଗୋ, ନବରଙ୍ଗପୁର ବନାଞ୍ଚଳ ଅଧିକାରୀ ତଡିତ କୁମାର ସ୍ବାଇଁ, ଡାବୁଗାଁ କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ଖଗପତି ପୂଜାରୀ ପାପଡାହାଣ୍ଡି କେନ୍ଦୁପତ୍ର ବନାଞ୍ଚଳ ଅଧିକାରୀ ଗୋବାରୁ ଭତରା, ମଇଦଲ ପୁର ବନପାଳ ଉମାକାନ୍ତ ପଟ୍ଟନାୟକ, ତଥା ଉଭୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର