ରାଉରକେଲା: ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ବିଧବା(୩୨)ଙ୍କ ସହ ବନ୍ଧୁତା ସ୍ଥାପନ ହେଲା। କିଛି ଦିନ ପରେ ଯୁବକ ପ୍ରେମ ନିବେଦନ କରିଥିଲା। ତେବେ ବିଧବା ମହିଳା ମନା କରିଦେବାରୁ ଅଭିଯୁକ୍ତ ଜୀବନରୁ ମାରିଦେବାକୁ ଧମକଚମକ ଦେଇଥିଲା। ଏନେଇ ଏତଲା ହେବାପରେ ଉଦିତନଗର ପୁଲିସ ଅଭିଯୁକ୍ତ ବେଦବ୍ୟାସ ଝାଡ଼ତରଙ୍ଗର ଆଭାସ ସାହୁ(୨୯)କୁ ଗିରଫକରି କୋର୍ଟଚାଲାର କରିଛି।
Advertisment
ପୁଲିସ୍‌ ସୂଚନା ଅନୁସାରେ, ସ୍ଥାନୀୟ ଏକ ବେସରକାରୀ କାର୍ଯ୍ୟାଳୟରେ ବିଧବା ମହିଳା କାର୍ଯ୍ୟରତ। ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି। କିଛି ମାସ ପୂର୍ବେ ବିଧବା ଓ ପେଶାରେ ଗାଡ଼ିଚାଳକ ଆଭାସଙ୍କ ମଧ୍ୟରେ ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ବନ୍ଧୁତା ସ୍ଥାପନ ହୋଇଥିଲା। ଅଭିଯୁକ୍ତ ମଧ୍ୟ ପୂର୍ବରୁ ବାହା ହୋଇଥିଲେ ମଧ୍ୟ ଗେପନୀୟ ରଖିଥିଲେ। ପରେ ସେମାନେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏମିତିକି କିଛିଦିନ ପୂର୍ବେ ମହିଳାଙ୍କ ସହ ଦେଖାସାକ୍ଷାତ ବି କରିଥିଲା। ତେବେ ଶୁକ୍ରବାର ପୂର୍ବାହ୍ନରେ ମହିଳା କାମ କରୁଥିବା ଅଫିସ୍‌ରେ ଅଭିଯୁକ୍ତ ପହଞ୍ଚିଯାଇଥିଲା। ପରେ ମହିଳାଙ୍କୁ ଡାକି ପ୍ରେମ ନିବେଦନ କରିଥିଲା। ତେବେ ମହିଳା ଜଣକୁ ମନା କରିବାରୁ ଅଭିଯୁକ୍ତ ଗାଳିଗୁଲଜ କରିବାସହ ହତ୍ୟା ଧମକ ଦେଇଥିଲା। ଏଣୁ ମହିଳାଜଣକ ଉଦିତନଗର ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ।