ଜୟପୁର: ୯ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଡ୍ରାଇଭର ମହାସଂଘ ଦେଇଥିବା ଆନ୍ଦୋଳନକୁ ସମର୍ଥନ କରି ଜୟପୁର ଶାଖା ପକ୍ଷରୁ ଆନ୍ଦୋଳନ ଚାଲିଥିଲା। ଆନ୍ଦୋଳନରେ ସାମିଲ ନଥିବା ଚାଳକଙ୍କୁ ଆନ୍ଦୋଳନକାରୀମାନେ ଫୁଳମାଳ ପକାଉଥିଲେ।ଏହାକୁ ଗୋଟିଏ ବସର ଡ୍ରାଇଭର ବିରୋଧ କରିବାରୁ ତାଙ୍କୁ ଆନ୍ଦୋଳନକାରୀମାନେ ମାଡ ମାରିବା ଭିଡିଓ ଭାଇରାଲ ହୋଇଥିଲା। ଏହା ପରେ ଟାଉନ ପୁଲିସ ଜଣଙ୍କୁ ଅଟକ ରଖିଥିଲା। ଅଟକ ଡ୍ରାଇଭରଙ୍କୁ ତୁରନ୍ତ ଛାଡିବାକୁ ଦାବି କରି ଡ୍ରାଇଭର ମହାସଂଘ ଥାନାକୁ ଘେରାଉ କରିଥିଲେ। ସୂଚନା ଅନୁଯାୟୀ, ଆଜି ଚାଳିଥିବା ଡ୍ରାଇଭର ମହାସଂଘର ଆନ୍ଦୋଳନକୁ ଘରୋଇ ବସ କର୍ମଚାରୀ ସଂଘ ଏହି ସମର୍ଥନ କରୁ ନଥିବା ପୂର୍ବରୁ ଜଣାଇଥିଲେ। ଘରୋଇ ବସ ଗୁଡିକ ଚଳାଚଳ କରୁଥିଲା। ଏହି କ୍ରମରେ କୋରାପୁଟରୁ ଜୟପୁର ଆସି ପୁଣି କୋରାପୁଟ ଆଡକୁ ଯାଉଥିବା ଯିଶୁ ବସକୁ ହୋଟେଲ ହାଲୋ ଜୟପୁର ନିକଟରେ ଆନ୍ଦୋଳନ କରୁଥିବା ଡ୍ରାଇଭରମାନେ ବସକୁ ଅଟକାଇଥିଲେ।
ବସର ଚାଳକ ସାହିଲ କୁମାର ଦାଶଙ୍କୁ ଫୁଳମାଳ ପିନ୍ଧାଇବାକୁ ଯାଇଥିଲେ। ତେବେ ଚାଳକ ଜଣକ ମୁଁ ମରିଯାଇଛି କି ମୋତେ କାହିଁକି ଫୁଲମାଳ ପିନ୍ଧାଉଛନ୍ତି ବୋଲି କହିଥିବା ‘ସମ୍ବାଦ’କୁ କହିଛନ୍ତି। ଫୁଲମାଳ ପକାଇବାକୁ ବିରୋଧ କରିବାକୁ ତାଙ୍କୁ କିଛି ଆନ୍ଦୋଳନକାରୀ ବସ ଉପରେ ଓ ତଳେ ଓହ୍ଲାଇବା ପରେ ମାଡ ମାରିବା ସହ ଥଣ୍ଡା ପାନୀୟ ତାଙ୍କ ଉପରେ ପକାଇଥିବା କହିଛନ୍ତି। ସେ ଆନ୍ଦୋଳନକୁ ବିରୋଧ କରୁନାହାନ୍ତି, ନିଜର ପେଟପାଟଣା ପାଇଁ ସେ ବସର ମାଲିକର ନିର୍ଦେଶରେ ଯାତ୍ରୀଙ୍କ ସୁବିଧା ପାଇଁ କାମ କରୁଥିଲେ ବୋଲି କହିଛନ୍ତି। ଅପରପକ୍ଷରେ ବସର ଚାଳକ ଆନ୍ଦୋଳନକାରୀଙ୍କୁ ଦୁର୍ବବ୍ୟବହାର ପ୍ରଦର୍ଶନ କରିବା ସହ ଅସଭ୍ୟଭାଷାରେ ସଂଘ ବିରୋଧରେ ଗାଳି ଗୁଳଜ କରିଥିବା ମହାସଂଘ ପକ୍ଷରୁ ପାଲଟା ଅଭିଯୋଗ ହୋଇଛି। ସେମାନେ ଶାନ୍ତିଶୃଙ୍ଖଳାର ସହ ଆନ୍ଦୋଳନ କରୁଥିବା କୁହାଯାଇଛି।