ରାୟଗଡ଼ା: ବୃତ୍ତିରେ ଡ୍ରାଇଭର। ଦିନଟିଏ କାମକୁ ନ ଗଲେ ଘରେ ଚୁଲି ଜଳେନି। ମୁଣ୍ଡ ଉପରେ ବୃଦ୍ଧ ବାପା, ମାଆଙ୍କ ସହ ପତ୍ନୀ ଓ ପିଲାଛୁଆଙ୍କ ବୋଝ। ଗରିବୀର କଷାଘାତ ସତ୍ତ୍ବେ ନିଜ ଗାଁର ଦୁଃଖ ଦୂର ପାଇଁ ବୃତ୍ତି ଛାଡ଼ି ସ୍ତ୍ରୀର ସୁନା ବନ୍ଧକ ରଖି ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ଓ ୪ କିମି ରାସ୍ତା ନିର୍ମାଣ କରି ଅଞ୍ଚଳବାସୀଙ୍କ ପାଇଁ ଦେବଦୂତ ପାଲଟିଛନ୍ତି କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମର ଡ୍ରାଇଭର ରଞ୍ଜିତ ନାଏକ। ଅସ୍ଥାୟୀ ପୋଲ ଏବଂ ରାସ୍ତା ନିର୍ମାଣ ପରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ସହ ଯୋଡ଼ି ହୋଇଛି ରାୟଗଡ଼ା। ଏଥି ସହିତ କାଶୀପୁର ବ୍ଲକର ୮ ଖଣ୍ଡ ଗ୍ରାମବାସୀ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି। କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତ ଗୁଞ୍ଜରାମପଞ୍ଜରା ଗ୍ରାମରେ ବସବାସ କରି ଆସୁଛନ୍ତି ୧୨୦ ପରିବାର। ଗାଁକୁ ଲାଗି ବହି ଯାଉଛି ବିଛଳା ନଦୀ। ପାହାଡ଼ିଆ ଅଞ୍ଚଳରେ ଥିବା ନଦୀରେ ବର୍ଷ ତମାମ ପାଣି ରହୁଥିବାରୁ ଯାତାୟତରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନର ଦ୍ବାରସ୍ଥ ହେବା ପରେ ଗତ କିଛି ବର୍ଷ ତଳେ ମନରେଗା ଯୋଜନାରେ ନଦୀ ଉପରେ ପୋଲ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ତାହା ଅଧପନ୍ତରିଆ ଅବସ୍ଥାରେ ପଡି ରହିଥିବାରୁ ଲୋକଙ୍କ ଦୁଃଖ ପାଲଟିଥିଲା ବିଛଳା ନଦୀ। ନଦୀ ଯୋଗୁ ଲୋକେ ପଞ୍ଚାୟତ କାର୍ଯ୍ୟାଳୟଠୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ମେଡ଼ିକାଲ, ସ୍କୁଲକୁ ନିୟମିତ ଭାବେ ଯାଇ ପାରୁନଥିଲେ। ବର୍ଷା ଦିନେ ଗ୍ରାମବାସୀ ସଂପୂର୍ଣ୍ଣ ଭାବେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଥିଲେ। ଗ୍ରାମର ଯୁବକ ରଞ୍ଜିତ ନାଏକ ଡ୍ରାଇଭର ଭାବେ କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବୃତ୍ତିରୁ ଘରକୁ ଫେରିବା ବେଳେ ନଦୀ ପାଇଁ ହଇରାଣ ହରକତ ହେଉଥିଲେ।
/sambad/media/post_attachments/wp-content/uploads/2022/12/RGD_Bhala-Khabar-3.jpg)
ପ୍ରଶାସନ ପୋଲ ନିର୍ମାଣ ଦିଗରେ ପଦକ୍ଷେପ ନେଉନଥିବାରୁ ବର୍ଷା କମିବା ପରେ ନିଜ ଉଦ୍ୟମରେ ପୋଲ ନିର୍ମାଣ କରିବା ପାଇଁ ଉଦ୍ୟମ କରିଥିଲେ। ଏଥିପାଇଁ ତାଙ୍କୁ ଡ୍ରାଇଭର କାମରୁ ଅବ୍ୟାହତି ନେବାକୁ ପଡିଥିଲା। ନଦୀର ୩ଟି ସ୍ଥାନରେ ଅସ୍ଥାୟୀ ପୋଲ ନିର୍ମାଣ କରିବାକୁ ରଞ୍ଜିତ ଯୋଜନା କରି ବାପାଙ୍କ ସହଯୋଗରେ ବାଉଁଶ ଓ କାଠ ସଂଗ୍ରହ ଆରମ୍ଭ କରିଥିଲେ। ଆବଶ୍ୟକ କାଠ ଓ ବାଉଁଶ ନ ମିଳିବା ପରେ ରଞ୍ଜିତ ନିଜ ସ୍ତ୍ରୀଙ୍କ ସୁନାକୁ ବନ୍ଧକ ରଖି ୭୦ ହଜାର ଟଙ୍କାର କାଠ ଓ ବାଉଁଶ କିଣିଥିଲେ। ଏହାପରେ ବାପା, ପୁଅ ମିଶି ନଦୀ ଉପରେ ଆରମ୍ଭ କରିଥିଲେ ପୋଲ ନିର୍ମାଣ। ପାଖାପାଖି ୩ ମାସର ଅକ୍ଲାନ୍ତ ପରିଶ୍ରମ ପରେ ଏବେ ବିଛଳା ନଦୀ ଉପରେ ୩ଟି ଅସ୍ଥାୟୀ ପୋଲ ନିର୍ମାଣ ହୋଇଛି। ଏଥିସହିତ ୪ କିମି ରାସ୍ତା ମଧ୍ୟ ନିର୍ମାଣ କରିଛନ୍ତି ରଞ୍ଜିତ ଓ ତାଙ୍କ ବାପା। ନିଜେ ହାତରେ କୋଡି, କୋଦାଳ ଧରି ପାହାଡିଆ ରାସ୍ତାକୁ ସମତୁଲ କରିବା ପରେ ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ସହ ଯୋଡ଼ି ହୋଇଛି ରାୟଗଡ଼ା। ଅଧିକାଂଶ ଲୋକ ବର୍ତ୍ତମାନ ଇନ୍ଦ୍ରାବତୀ ଏବଂ କଳାହାଣ୍ଡି ଜିଲ୍ଲାକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ବୃତ୍ତିରେ ଡ୍ରାଇଭର ରଞ୍ଜିତଙ୍କ ଏପରି ମହାନ୍ କାର୍ୟ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।