ଚିକିତ୍ସା ଅବହେଳାରୁ ଡ୍ରାଇଭରଙ୍କ ମୃତ୍ୟୁ; କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ଥାନା ଘେରଉ

ବୀରମିତ୍ରପୁର: ଚିକିତ୍ସା ଅବହେଳାରୁ ଜଣେ ଯୁବ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ଓଡ଼ିଶା ଡ୍ରାଇଭର ମହାସଂଘ ବୀରମିତ୍ରପୁର ଶାଖା ପକ୍ଷରୁ ଆଜି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଡ୍ରାଇଭର ପରିବାରକୁ ଉଚିତ କ୍ଷତିପୂରଣ ଦାବିକରି ରାଏବଗା ଥାନା ଘେରଉ କରାଯାଇଥିବା ଜଣାପଡ଼ିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, କୁଆରମୁଣ୍ଡା ବ୍ଲକ୍‌ ଝୁରମୁର ପଞ୍ଚାୟତ ବୁଚାଟୋଲି ଗ୍ରାମର ଲକ୍ଷ୍ମଣ ନାଗ(୩୦) ଦେହ ଗତ ରବିବାର ଅସୁସ୍ଥ ହେବାରୁ ଚିକିତ୍ସା ନିମନ୍ତେ ଅପରାହ୍ନ ପ୍ରାୟ ୪ଟା ସମୟରେ ରାଉରକେଲାସ୍ଥ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଲକ୍ଷ୍ମଣ ଡାକ୍ତରଖାନାରେ ଛଟପଟ ହେଉଥିଲେ ବି ସେଠାରେ ତାଙ୍କୁ ଚିକିତ୍ସା ନିମନ୍ତେ କୌଣସି ଡାକ୍ତର ଆସିନଥିଲେ। ୨୪ ଘଣ୍ଟା ପରେ ଜଣେ ଡାକ୍ତର ଆସି ତାଙ୍କୁ ଦେଖିବାପରେ ଏକ ଇଂଜେକ୍‌ସନ ଦେଇଥିଲେ। ସୋମବାର ରାତି ପ୍ରାୟ ଗୋଟାଏ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାରର ସଦସ୍ୟଙ୍କ ଅନୁପସ୍ଥିତିରେ ଡାକ୍ତରଖାନା କର୍ତ୍ତୃପକ୍ଷ ଲକ୍ଷ୍ମଣଙ୍କ ଶବକୁ ଗ୍ରାମର ଯୁବକଙ୍କ ହାତରେ ତାଙ୍କଘରକୁ ପଠାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ସୂଚନା ପାଇ ଓଡ଼ିଶା ଡ୍ରାଇଭର ମହାସଂଘ ବୀରମିତ୍ରାପୁର ଶାଖା ସଭାପତି ହଇଓମ କେଶରୀ, ଡ୍ରାଇଭର ସଂଘର କର୍ମକର୍ତା ଓ ବୁଚାଟୋଲି ଗ୍ରାମବାସୀ ଆଜି ରାଏବଗ ଥାନା ଘେରଉ କରିବା ସହ ଚିକିତ୍ସାରେ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଏବଂ ମୃତକ ଡ୍ରାଇଭର ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ। ରାଏବଗା ଥାନାରେ ଲିଖିତ ଅଭିଯୋଗ ହେବାପରେ ଥାନା ଅଧିକାରିଣୀ ସୂର୍ଯ୍ୟକାନ୍ତି ଦାଶ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧିତ ଖବର