ଟ୍ରାକ୍ଟର ଦୁର୍ଘଟଣାରେ ଡ୍ରାଇଭର ମୃତ

ଚନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧିନସ୍ଥ ମୋତିଗାଁ ନିକଟସ୍ଥ ଭଣ୍ଡାରନଦୀ ପୋଲ ନିକଟରେ ଭାରସାମ୍ୟ ହରାଇ ସାଲେଭଟା ଗ୍ରାମର ସି ଜି -୦୪ ଏମ. ଏନ ୨୩୭୩ ନମ୍ବର ଯୁକ୍ତ ଟ୍ରାକ୍ଟର ଖସି ପଡିବାରୁ ଗାଡିର ଡ୍ରାଇଭର ତେଜରାଜ ପୂଜାରୀ (୨୩) ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଅଗ୍ନିଶମ ଅଧିକାରୀ ବୁଡୁ ଶବରଙ୍କ ନେତୃତ୍ୱରେ ଅଗ୍ନିଶମ କର୍ମଚାରୀ ମାନେ ପହଞ୍ଚି ଶବ ଉଦ୍ଧାର କରିଥିଲେ। ମୃତକ ଡ୍ରାଇଭର ତେଜେରାଜ ପୂଜାରୀଙ୍କ ନିଜ ଘର ବେହେରାମୁଣ୍ଡା ପଂଚାୟତ ଅଧିନସ୍ଥ ବେଲମାଝୀଗୁଡାର ରୂପସିଂହ ପୂଜାରୀଙ୍କ ପୁଅ ବୋଲି ଜଣାପଡିଛି। ଉକ୍ତ ଟ୍ରାକ୍ଟର ଭେଣ୍ଡିଆ ଗ୍ରାମରୁ ସିମେଣ୍ଟ ଛାଡି ଆସୁଥିବା ବେଳେ ମୋତିଗାଁ ପୋଲ ନିକଟରେ ଭାରସାମ୍ୟ ହରେଇ ଓଲଟି ପଡିଥିଲା।

ଘଟଣାସ୍ଥ‌ଳକୁ ଚନ୍ଦାହାଣ୍ଡି ଆଇଆଇସି ଉମେଶ ଚନ୍ଦ୍ର ନାୟକଙ୍କ ନିର୍ଦେଶକ୍ରମେ ଏସଆଇ ଖଗେଶ୍ୱର ଖୋସଲା ଓ ଏଏସଆଇ ବସନ୍ତ କୁମାର ସ୍ୱାଇଁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଏନେଇ ଚନ୍ଦାହାଣ୍ଡି ଥାନା କେସ ନମ୍ବର ୧୨/୨୩ ପ୍ରକାରେ ଏକ ଦୁର୍ଘଟଣା ମାମଲା ରୁଜୁ କରିବା ସହ ଦୁର୍ଘଟଣା ଗ୍ରସ୍ତ ଟ୍ରାକ୍ଟରକୁ ଜବତ କରି ତଦନ୍ତ ଜାରି ରଖିଥିବା ଏଏସଆଇ ବସନ୍ତ ସ୍ବାଇଁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର