ବାଲେଶ୍ୱର: ଅଟୋ ଓଲଟି ଡ୍ରାଇଭର ମୃତ

ବାଲେଶ୍ୱର: ଆଜି ଭୋର ଭୋରୁ ବାଲେଶ୍ୱରର ନଲମଗଞ୍ଜ ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ନୟନଯୋରୀ ଭିତରକୁ ଓଲଟି ପଡ଼ିବା ଫଳରେ ଅଟୋଚାଳକଙ୍କର ମୃତ୍ୟୁ ଘଟିଛି। ମୃତ ଅଟୋ ଚାଳକଙ୍କ ନାମ ଜୟନ୍ତ କୁମାର ଦାସ(୩୩ ବର୍ଷ) ଓ ତାଙ୍କ ଘର ତେଲେଙ୍ଗାସାହିରେ ବୋଲି ଜଣାପଡ଼ିଛି। ଅପରପକ୍ଷେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଜୟନ୍ତଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତେଲେଙ୍ଗାସାହିରେ ରହୁଥିବା ଜୟନ୍ତ କୁମାର ଦାସ ବାଲେଶ୍ୱର ରେଳ ଷ୍ଟେସନ ଅଟୋ ଷ୍ଟାଣ୍ଡରେ ନିଜ ଅଟୋ ଚଳାଇ ଗୁଜୁରାଣ ମେଣ୍ଟାଇ ଥାନ୍ତି। ଆଜି ଭୋରରୁ ଜୟନ୍ତ ଯାତ୍ରୀ ନେଇ ଚାନ୍ଦିପୁର ଡିଆରଡିଓକୁ ଯାଇଥିଲେ। ସେଠାରୁ ଫେରିବା ବେଳେ ବାଟରେ ନିଲମଗଞ୍ଜ ନିକଟସ୍ଥ କଂଗ୍ରେସ ଗଳି ସମ୍ମୁଖରେ କୌଣସି କାରଣରୁ ଭାରସାମ୍ୟ ହରାଇଥଲେ। ଫଳରେ ଅଟୋଟି ରାସ୍ତା କଡ଼ରେ ଥିବା ନୟନଯୋରୀ ଭିତରକଉ ଓଲଟି ପଡ଼ିଥିଲା। ସୂଚନା ପାଇ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୁଲିସ ସୂଚନା ପାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଅପରପକ୍ଷେ ଜୟନ୍ତଙ୍କ ପରବାର କହିଛନ୍ତି ଯେ କେହି ଜୟନ୍ତଙ୍କ ଅଟୋକୁ ନୟନଜୋରୀ ଭିତରକୁ ଠେଲି ଦେଇଛି। ଫଳରେ ଜୟନ୍ତଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର