ବୈପାରିଗୁଡା: କୁକୁଡ଼ା ଦାନା ବୋଝେଇ ଟ୍ରକ ଓଲଟି ପଡିବା ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। ଘଟଣା ଅନୁଯାୟୀ, ଏକ କୁକୁଡ଼ା ଦାନା ବୋଝେଇ ଟ୍ରକ (ଏପି ୧୬- ୬୭୫୮) ଆନ୍ଧ୍ରପ୍ରଦେଶକୁ ଯାଉଥିବା ବେଳେ ବୈପାରିଗୁଡା ଠାରୁ ୧୪ କିଲୋମିଟର ଦୂରରେ ରାଞ୍ଚି ବିଜୟଓ୍ଡାଡା ୩୨୬ ନମ୍ବର ଜାତୀୟ ରାଜପଥର ମନ୍ତ୍ରୀଆମ୍ବ ବିଏସଏଫ କେମ୍ପ ନିକଟସ୍ଥ ଶୁକ୍ରିଗୁଡା ଘାଟି ନିକଟରେ ଓଲଟି ପଡ଼ିଥିଲା। ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଡ୍ରାଇଭର ଭେଙ୍କଟ ରାଓ ଭାରସାମ୍ୟ ହରାଇବାରୁ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସନ୍ଦେହ କରାଯାଉଛି।
ତେବେ ଡ୍ରାଇଭର ଭେଙ୍କଟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ଗାଡ଼ିରେ ଥିବା ହେଲପର ସାମାନ୍ୟ ଆହତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଟ୍ରକଟି ବରଗଡ଼ ଠାରୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାକୁ ଯାଉଥିବା ଗାଡ଼ି ହେଲପର ପ୍ରକାଶ କରିଥିଲେ। ମନ୍ତ୍ରୀଆମ୍ବ ୧୫୧ ବିଏସଏଫ ଯବାନ ମାନେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ନିକଟରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ପ୍ରାଥମିକ ଚିକିତ୍ସା କରିବା ପରେ ବୈପାରିଗୁଡା ସ୍ବାସ୍ଥ୍ୟ କେନ୍ଦ୍ରକୁ ଉଚ୍ଚ ଚିକିତ୍ସା ପାଇଁ ଆଣିବା ସହ ପୁଲିସକୁ ଖବର ଦେଇଥିଲେ। ବୈପାରିଗୁଡା ଥାନା ଆଇଆଇସି ଅଶ୍ବିନ ପଟ୍ଟନାୟକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।