ବ୍ରହ୍ମପୁର : ଖରିଫ୍ ଧାନ ଚାଷ ପାଇଁ ମୁଖ୍ୟତଃ ଗଂଜାମ ଜିଲ୍ଲା ରାଜ୍ୟର ପ୍ରମୁଖ ଅଞ୍ଚଳ ଭାବେ ପରିଚିତ। କିନ୍ତୁ ଦକ୍ଷିଣ ଓଡ଼ିଶାର ଭାତହାଣ୍ଡିରେ ଚଳିତ ବର୍ଷ ଘୋର ମରୁଡ଼ି ସ୍ଥିତି ଦେଖାଦେଇଛି। ମୋଟ ୧ଲକ୍ଷ ୯୯ହଜାର ହେକ୍ଟର ଜମିରେ ଖରିଫ୍ ଧାନ ଚାଷ ପାଇଁ ଲକ୍ଷ୍ୟ ରଖାଯାଇଛି। କିନ୍ତୁ ବର୍ଷା ଅଭାବ ସହ କେନାଲ ଯୋଗେ ଆବଶ୍ୟକ ଜଳସେଚନ ଅଭାବରୁ ଅଚଳ ପଡ଼ିଥିବା ଉଠା ସେଚ ପ୍ରକଳ୍ପ, ଗଭୀର ନଳକୂପ, ସ୍ୟାଲୋ ଟ୍ୟୁବ୍ୱେଲ୍ ଆଦିକୁ ପୁନଃ ସଚଳ କରାଯାଇ ପାରୁନି। କୋଭିଡ୍ ଓ ଅଭାବୀ ବିକ୍ରି କାରଣରୁ ଗଲା ଦୁଇ ବର୍ଷ ହେଲା ବିଲ୍ ବକେୟା ପଡ଼ିଥିବାରୁ ଅଧିକାଂଶ ପ୍ରକଳ୍ପକୁ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିଦିଆ ଯାଇଛି। ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି ଦୃଷ୍ଟିରୁ ଉଠା ସେଚ ପ୍ରକଳ୍ପ ଗୁଡ଼ିକୁ ବିଦ୍ୟୁତ ଯୋଗାଣ ଅବ୍ୟାହତ ରଖିବା ପାଇଁ ବିଦ୍ୟୁତ୍ ବିତରକ କମ୍ପାନି ଗୁଡ଼ିକୁ ରାଜ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ବକେୟା ଥିବାରୁ ବିଦ୍ୟୁତ୍ ବିଚ୍ଛିନ୍ନ କରା ଯାଇଥିବା ପ୍ରକଳ୍ପ ଗୁଡ଼ିକୁ ପୁନଃସଚଳ କରିବା କ୍ଷେତ୍ରରେ ଚାଷୀଙ୍କୁ ତିନି ମାସର ବିଲ୍ କୋହଳ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗଂଜାମରେ ଅଚଳ ହୋଇ ପଡ଼ିଥିବା ୧୭୭ ଉଠା ସେଚ ପଏଣ୍ଟକୁ ସଜାଡ଼ିବା, ବିଦ୍ୟୁତ୍ ସଂଯୋଗ ଦେଇ ପୁନଃସଚଳ କରିବା ଦିଗରେ କୌଣସି ପଦେକ୍ଷପ ନିଆଯାଇ ନାହିଁ।
ବର୍ଷା ଅଭାବରୁ ଗଂଜାମ ଜିଲ୍ଲାରେ ଖରିଫ୍ ଚାଷ ପ୍ରଭାବିତ ହୋଇଛି। ଜଳଭଣ୍ଡାର ଗୁଡ଼ିକର ଜଳସ୍ତର ହ୍ରାସ ପାଇବାରେ ଲାଗିଥିବା ବେଳେ କେନାଲ ଆଧ୍ୟମରେ ଚାଷ ଜମିଗୁଡ଼ିକୁ ଆବଶ୍ୟକ ପରିମାଣ ଜଳ ଯୋଗାଣ ମଧ୍ୟ ହୋଇପାରୁ ନାହିଁ। ଏପରି ସ୍ଥଳେ ଉଠା ଜଳସେଚନ ପ୍ରକଳ୍ପ ଏକମାତ୍ର ବିକଳ୍ପ। କିନ୍ତୁ ଗଂଜାମ ଜିଲ୍ଲାରେ ଯେତିକି ଉଠା ସେଚ ପ୍ରକଳ୍ପ ଅଛି, ସେଥିରେ ମୋଟ ୪୦ହଜାର ୮୪୩ହେକ୍ଟର ଜମିକୁ ଜଳଯୋଗାଣ ବ୍ୟବସ୍ଥଶ ଥିଲା। କିନ୍ତୁ ଉଠା ସେଚ ପ୍ରକଳ୍ପ ଦ୍ବାରା ବର୍ତ୍ତମାନ କେବଳ ୨୨ ହଜାର ହେକ୍ଟର ଜମିକୁ ଜଳଯୋଗାଣ ସମ୍ଭବ ହେଉଛି। ତଥ୍ୟ ମୁତାବକ ଜିଲ୍ଲାରେ ମୋଟ ୧୭୪୮ଟି ଗୋଷ୍ଠୀ ଉଠାସେଚ ପ୍ରକଳ୍ପ ଥିବା ବେଳେ ଖରିଫ୍ ଚାଷପାଇଁ ସେଥିରୁ ୧୫୪୨ଟି ଉପଲବ୍ଧ ଅଛି। କିନ୍ତୁ ସେଥିମଧ୍ୟରୁ ୧୭୭ଟି ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବା ବେଳେ ୭୧ଟି ଆଉ କାର୍ୟ୍ୟକ୍ଷମ ହୋଇପାରିବ ନାହିଁ। ଅଚଳ ପ୍ରକଳ୍ପ ଗୁଡ଼ିକ ମଧ୍ୟରୁ ୮୬ଟି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି, ଯେଉଁଗୁଡ଼ିକ ସ୍ବଳ୍ପ ଖର୍ଚ୍ଚରେ (ପ୍ରତ୍ୟେକ ୫ଲକ୍ଷ ଟଙ୍କାରୁ କମ୍ ଖର୍ଚ୍ଚରେ) ମରାମତି କରାଯାଇ ବ୍ୟବହାର ଉପଯୋଗୀ କରାଯାଇ ପାରିବ।
ଗଂଜାମ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଖରିଫ୍ ଚାଷ ପାଇଁ ଉପଲବ୍ଧ ଥିବା ୧୫୪୨ଟି ଗୋଷ୍ଠୀ ଉଠାସେଚ ପ୍ରକଳ୍ପ ମଧ୍ୟରୁ ୧୩୯୦ଟି କାର୍ୟ୍ୟକ୍ଷମ ହୋଇ ୧୪,୯୮୬ହେକ୍ଟର ଜମିକୁ ଜଳସେଚନ କରାଯାଉଛି। ସେହିପରି ୧୮୪୫ଟି ଗଭୀର ନଳକୂପ ମଧ୍ୟରୁ ୧୫୪୪ଟି ସଚଳ ହୋଇ ୬୪୫୪ହେକ୍ଟର ଜମିକୁ ଜଳସେଚିତ ହେଉଛି। ସମସ୍ତ ୯୨ଟି ସ୍ୟାଲୋ ଟ୍ୟୁବ୍ୱେଲ୍ ସଚଳ ଥିବା ବେଳେ ଏଥିରୁ ୬୪୬ ହେକ୍ଟର ଜମିକୁ ଏବଂ ସମସ୍ତ ୨୬ଟି ଅତିକ୍ଷୁଦ୍ର ପ୍ରକଳ୍ପରୁ ୨୩୭ ହେକ୍ଟ ଜମିକୁ ଜଳସେଚନ କରାଯାଉଛି। ଜିଲ୍ଲାରେ ଏଭଳି ଛୋଟବଡ଼ ମୋଟ ୩୫୦୫ଟି ପ୍ରକଳ୍ପରୁ ୪୦ହଜାର ୮୪୩ହେକ୍ଟର ଜମିକୁ ଜଳଯୋଗାଣ କ୍ଷମତା ଥିବା ବେଳେ ଏବେ ସୁଦ୍ଧା ମୋଟ ୩୦୫୨ଟି ପ୍ରକଳ୍ପ କାର୍ୟ୍ୟକ୍ଷମ ଥିବା ସହ ମୋଟ୨୨ହଜାର ୩୨୩ହେକ୍ଟର ଜମିକୁ ଜଳସେଚନ ହୋଇପାରୁଛି। ଏହା ମୋଟ କ୍ଷମତାର ମାତ୍ର ୫୪ ପ୍ରତିଶତ। ତେଣୁ ଅଚଳ ହୋଇ ପଡ଼ିଥିବା ପ୍ରକଳ୍ପ ଗୁଡ଼ିକ ସଚଳ କରିବା ସହ ନୂଆ ସେଚ ପ୍ରକଳ୍ପ ସ୍ଥାପନ ପାଇଁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଯାହାକି ପ୍ରାକୃତିକ ଦୁର୍ବିପାକରେ ଚାଷୀଙ୍କ ପାଇଁ ବେଶ୍ ସହାୟକ ହୋଇପାରିବ।