ବାଲେଶ୍ବର/ରେମୁଣା: ବାଲେଶ୍ବର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଘଟିଯାଇଛି। ୫ଜଣ ସାଙ୍ଗ ଆଜି ବୁଲିବା ପାଇଁ ଘରୁ ବାଲେଶ୍ବର ଯାଇଥିଲେ। ଦ୍ବିପ୍ରହର ସମୟରେ ବୁଢ଼ାବଳଙ୍ଗ ନଦୀର ରେମୁଣା ଥାନା ଅନ୍ତର୍ଗତ ତ୍ରିବେଣୀ ଘାଟଠାରେ ଗାଧୋଇବା ସମୟରେ ୩ ଜଣ ସାଙ୍ଗ ଅଚାନକ ବୁଡ଼ି ଯାଇଥିଲେ। ଅନ୍ୟ ୨ଜଣ ସାଙ୍ଗ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ। ଅସଫଳ ରହିବାରୁ ଉପରକୁ ଆସି ସ୍ଥାନୀୟଲୋକଙ୍କୁ ଡାକିଥିଲେ। ଏହାପରେ ଜଣଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ପାଇ ନଥିଲେ।
ଖବରପାଇ ସେଠାରେ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି କରିଥିଲେ ହେଁ ୨ ଜଣ ନିଖୋଜ ରହିଥିଲେ। ପରେ ଏନଡିଆରଏଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ।
/sambad/media/post_attachments/d4c76ae126968165c3069e3d5e5b7db52faf1cd49ccbc6bc535bf179049da34b.jpg)
ସମ୍ପୃକ୍ତ ଯୁବକମାନଙ୍କର ଜଣେ ସମ୍ପର୍କୀୟଙ୍କ କହିବା ଅନୁସାରେ, ନୀଳଗିରି ନରସିଂହପୁର ଅଞ୍ଚଳର ରଂଜନ କୁମାର ସଲ(୨୦), ନୀଳଗିରି ଏନଏସି ଅନ୍ତର୍ଗତ କଦମସାହିର ଅଙ୍କିତ ପତି(୨୦), ମିରାଗିଣି ଅଞ୍ଚଳର ପୀୟୂଷ ପ୍ରତ୍ୟୁଷ ନାୟକ(୨୦), ମୃତ୍ୟୁଞ୍ଜୟ ମିଶ୍ର(୨୦) ଓ ବାହାନଗା ଗୋପାଳପୁର ଅଞ୍ଚଳର ଜ୍ୟୋର୍ତିୟ ଦାସ(୨୦)ଏକାସାଙ୍ଗରେ ପାଠପଢ଼ୁଥିଲେ। ଆଜି ସେମାନେ ସାଙ୍ଗହୋଇ ବାଲେଶ୍ବର ଚାନ୍ଦିପୁରକୁ ବୁଲିବାକୁ ଯାଇଥିଲେ। ସେଠାରେ ହୋଟେଲରୁ ନେଇଥିବା ପାର୍ସଲକୁ ଖାଇବା ପରେ ନଦୀରେ ଗାଧୋଇବାକୁ ଯାଇଥିବାବେଳେ ସେଠାରେ ଗୋଡ଼ ଖସିଯିବାରୁ ୩ଜଣ ଭାସି ଯାଇଥିଲେ।
ରଂଜନ କୁମାର ସଲ ଓ ଜ୍ୟୋତିର୍ମୟ ଦାସ ପହଁରି ପହଁରି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ବହୁ ଖୋଜାଖୋଜି ପରେ ଦୁହେଁ ସେମାନଙ୍କୁ ନପାଇବାରୁ ନିଜ ଜୀବନ ବଞ୍ଚାଇବା ପାଇଁ ଘାଟ ନିକଟକୁ ପଳାଇ ଆସିଲେ। ଏହାପରେ ସ୍ଥାନୀୟ ଲୋକଙ୍କୁ ଡକାଇ ଖୋଜାଖୋଜି କରିବା ପରେ ଅଙ୍କିତ ପତିଙ୍କ ମୃତଦେହ ଉଦ୍ଧାର କରିଥିଲେ। ଅନ୍ୟ ୨ ଜଣଙ୍କୁ ଖୋଜିବା ପାଇଁ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅପରାହ୍ନ ପ୍ରାୟ ୪ଟାରୁ ସଂଧ୍ୟା ପର୍ଯ୍ୟନ୍ତ ଅଗ୍ନିଶମ ବିଭାଗ ଖୋଜାଖୋଜି କରିବା ପରେ ସେମାନଙ୍କ ପତ୍ତା ମିଳି ନଥିଲା। ପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ସେଠାରେ ଏନଡିଆରଏଫ୍ ଟିମ୍ ପହଞ୍ଚି ନଦୀ ଭିତରେ ସନ୍ଧାନ ଜାରି ରଖିଥିବା ବେଳେ ଘଟଣାସ୍ଥଳରେ ରେମୁଣା ତହସିଲଦାର ପହଁଞ୍ଚିସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ମିଳିଛି।
ସୂଚନାଥାଉକି, ପୂର୍ବରୁ ପ୍ରାୟ ୫/୬ବର୍ଷ ପୂର୍ବରୁ ଏହି ଘାଟରେ ୪ଜଣ ଯୁବକ ଗାଧୋଉଥିବା ସମୟରେ ନିଖୋଜ ହୋଇଯାଇଥିଲେ। ପରେ ସେମାନଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/download-1-10.jpg)