ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚିତାବେଡା ପଂଚାୟତ ଅନ୍ତର୍ଗତ ଜାମଧଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଜଣେ ଚାରି ବର୍ଷ ଶିଶୁକନ୍ୟାର ପୋଖରୀ ବୁଡି ମୃତ୍ୟୁ ହୋଇଛି।
ସୂଚନାଯୋଗ୍ୟ, ଜାମଧଡା ଗ୍ରାମର ସୁବାସ ସନ୍ତାଙ୍କ ପରିବାର ଗତ କାଲି ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପାଇଁ ଝରିଗାଁ ଆସିଥିଲେ।ଆସିବା ବେଳେ ନିଜ ଚାରି ବର୍ଷର ଶିଶୁ କନ୍ୟା ପୂର୍ଣ୍ଣିମାକୁ ଆଇ ପାଖରେ ଝଡ଼ିଦେଇ ଆସିଥିଲେ। ତେବେ ଆଇର ଅଜାଣତରେ ପୂର୍ଣ୍ଣିମା ଘରୁ ଦୁଇ ଶହ ମିଟର ଦୂରରେ ଥିବା ପୋଖରୀକୁ ଖେଳି ଖେଳି ଚାଲିଯାଇଥିଲା।ସେଠାରେ ପୋଖରୀରେ ଖେଳୁ ଖେଳୁ ପାଣିରେ ପଡିଯାଇ ଥିଲା।
ଆଇମା ପାଖ ପୋଡ଼ଶୀ ଘରେ ପୂର୍ଣ୍ଣିମା ଥିବ ଭାବିଥିଲେ। ପରେ ସନ୍ଧ୍ୟାରେ ପୂର୍ଣ୍ଣିମା ବାପା ଓ ମା ଘରକୁ ଯିବା ପରେ ପୂର୍ଣ୍ଣିମା ଘରେ ନଥିବା ଜାଣିପାରି ବହୁ ଖୋଜିଥିଲେ। ପାଖ ପୋଡ଼ିଶାରେ ପୂର୍ଣ୍ଣିମା ନଥିବା ଯୋଗୁଁ ଶେଷରେ ପୋଖରୀ ପଟେ ଯାଇ ଖୋଜିଥିଲେ। ପୋଖରୀରେ ପୂର୍ଣ୍ଣିମା ମୃତ ଶରୀର ଭାସୁଥିବାର ଦେଖିଥିଲେ। ପରିବାର ଏବଂ ଗ୍ରାମବାସୀ ପୂର୍ଣ୍ଣିମାକୁ ପାଣିରୁ ଉଦ୍ଧାର କରି ଘରକୁ ଆଣିବା ବେଳେ ପୂର୍ଣ୍ଣିମାର ମୃତ୍ୟୁ ହୋଇଯାଇଥିଲା।
ତେବେ ପୁର୍ଣିମାର ଅଜା ଘଟଣା ସମ୍ପର୍କରେ ଝରିଗାଁ ଥାନାରେ ଆଜି ଲିଖିତ ଅଭିଯୋଗ ଦେବାପରେ ଝରିଗାଁ ପୁଲିସ ଆଜି ଶବ ଜବତ କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଖବର ପ୍ରସାର ହେବାପରେ ଝରିଗାଁ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା।