ପୋଖରୀରେ ବୁଡ଼ି ଗୋରୁ ଚରାଳିର ମୃତ୍ୟୁ

ବୈପାରିଗୁଡା: ପୋଖରୀରେ ବୁଡ଼ି ଜଣେ ଗୋରୁ ଚରାଳିର ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଜି.ମାଝୀଗୁଡା ପଞ୍ଚାୟତର ଭାଟିଗୁଡା ଗ୍ରାମର ସୁଦେଶ ଭତ୍ରା (୪୮) ପ୍ରତିଦିନ ଭଳି ଗତକାଲି ମଧ୍ୟ ଗାଈଗୋରୁ ନେଇ ଚରାଇବା ପାଇଁ ସକାଳୁ ଯାଇଥିଲେ। ମଧ୍ୟାହ୍ନରେ ଖାଇବା ପାଇଁ ଆସି କିଛି ସମୟ ବିଶ୍ରାମ ନେବାପରେ ପୁଣି ଗୋରୁ ଚରାଇବା ପାଇଁ ଜଙ୍ଗଲକୁ ଯାଇଥିଲେ। ତେବେ ସନ୍ଧ୍ୟାବେଳେ ଗାଈ ଗୋରୁ ସବୁ ଫେରିଥିଲେ ମଧ୍ୟ ସୁଦେଶ ଫେରି ନଥିଲେ।

ତେବେ ପରିବାରର ଲୋକେ ଏଥିପ୍ରତି ବିଶେଷ ଗୁରୁତ୍ବ ଦେଇନଥିଲେ। ହୁଏତ ସେ କୈାଣସି ସଂପର୍କୀୟଙ୍କ ଘରକୁ ଯାଇଥିବା ଭାବି ଖୋଜି ନଥିଲେ। ଆଜି ଗାଆଁରେ ଗଣେଶ ମୂର୍ତି ବିସର୍ଜନ ପାଇଁ କିଛି ଯୁବକ ଗାଆଁ ପୋଖରୀ କୂଳରେ ପହଞ୍ଚି ପାଣିରେ ଶବଟିଏ ଭାସୁଥିବା ଦେଖିବାକୁ ପାଇଥିଲେ। ସେମାନେ ଗାଆଁ ଲୋକଙ୍କୁ ଏସଂପର୍କରେ ଜଣାଇବାରୁ ଗାଆଁ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ବୈପାରିଗୁଡା ଶବ ଉଦ୍ଧାର ପରେ ବୈପାରିଗୁଡା ପୁଲିସ ଅଗ୍ନିଶମ ବାହିନୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୋଖରୀରୁ ଶବ ଉଦ୍ଧାର ପରେ ବୈପାରିଗୁଡା ଠାରେ ଶବ ବ୍ୟବଚ୍ଛେଦ କରାଯିବା ସହ ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ଥାନା ଏଏସ୍ଆଇ ମତି ସିଂ ନାୟକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର