ବାହାଘରକୁ ଯିବା ହେଲା କାଳ: ନଦୀରେ ବୁଡ଼ି ଦୁଇ ବାଳକଙ୍କ ହେଲା ମୃତ୍ୟୁ

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଢ଼ାରୁ ସୋମବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ନଦୀରେ ଗାଧୋଇବା ବେଳେ ଦୁଇଜଣ ନାବାଳକ ବୁଡ଼ି ଯିବାରୁ ଦୁହିଁଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଦୁଇ ମୃତକ ହେଲେ ଶୁଭ୍ରାଂଶୁ ଦଳାଇ ଓ ଆଶିଷ ବେହେରା।

ସୂଚନାଯୋଗ୍ୟ, ଶୁଭ୍ରାଂଶୁ ଦଳାଇ ଓ ଆଶିଷ ରାଉରକେଲାରୁ କୋରାପୁଟ ଜିଲ୍ଲା ସେମିଲିଗୁଡ଼ାକୁ ଏକ ବିବାହ ଭୋଜିରେ ଯୋଗ ଦେବାକୁ ଯାଇଥିଲେ। ସେଠାରେ ଦୁହେଁ ସାଙ୍ଗ ହୋଇ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିଲେ। ‌ଗାଧୋଉ ଗାଧୋଉ ଦୁହେଁ ଅଧିକ ପାଣି ଭିତରକୁ ପଶି ଯାଇଥିଲେ। ଆଉ ପହଁରା ନଜାଣି ଥିବାରୁ ଶୁଭ୍ରାଂଶୁ ଦଳାଇ ଓ ଆଶିଷ ବେହେରା ନଦୀରେ ବୁଡ଼ି ଯାଇଥିଲେ।

ଦୁହିଁଙ୍କୁ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ଶୁଭ୍ରାଂଶୁ ଓ ଆଶିଷଙ୍କୁ ଉଦ୍ଧାର କରି ସୁନାବେଢ଼ା ମୁନସିପାଲଟି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁଇଜଣଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର