କୋରାପୁଟ: କୋରାପୁଟ ଜିଲ୍ଲାର କିଛି ପ୍ରମୁଖ ସହରରେ ନିଶା ଇଞ୍ଜେକ୍ସନ୍ର କାରବାର ବୃଦ୍ଧି ପାଇବାରେ ଲାଗିଛି। ଧିରେ ଧିରେ ଏହି ବେପାର ଜୋର ଧରିଥିବା କହିଛନ୍ତି କିଛି ମେଡିକାଲ ଷ୍ଟୋରର ମାଲିକ ଓ ଜଣେ ବରିଷ୍ଠ ପୁଲିସ ଅଧିକାରୀ। ସୂଚନା ଅନୁଯାୟୀ, ଗତ ୫ବର୍ଷ ତଳେ ଜିଲ୍ଲାକୁ କୋଲକାତାରୁ କିଭଳି ନିଶା ଇଞ୍ଜେକ୍ସନ୍ ଆସୁଛି ତାହାର ପର୍ଦ୍ଦାଫାଶ୍ ହୋଇଥିଲା।
ସୁନାବେଡା ଅଞ୍ଚଳର ମାଷ୍ଟର ମାଇଣ୍ଡ ସମେତ ଏହି ବିକ୍ରିରେ ସାମିଲ ଜୟପୁରର କିଛି ଏଜେଣ୍ଟ ଆଦି ୪ଜଣଙ୍କ ସହ ୭୯୦ଆମ୍ପୁଲ ପେଣ୍ଟାଜୋସିନ୍ ୨୩.୭ଗ୍ରାମ ଇଞ୍ଜେକ୍ସନ୍, ଗୋଟିଏ ମାରୁତି ୱାଗନଆର୍ କାର, ୫୧ହଜାର ୪୧୦ଟଙ୍କା, ୩ଟି ମୋବାଇଲ୍ ଫୋନ ଏମାନଙ୍କ ନିକଟରୁ ପୁଲିସ ଜବତ କରିଥିଲେ।
ମାତାଲପୁଟ, ଭେଜାପୁଟ ଅଂଚଳର କିଛି ବ୍ୟକ୍ତିଙ୍କୁ ବି ପୁଲିସ ଗିରଫ କରି ସେମାନଙ୍କ ନିକଟରୁ ବି ନିଶା ଇଂଜେକ୍ସନ୍ ଆଦି ଜବତ କରି କୋର୍ଟ ଚାଲାଣ କରିଥିଲେ । ସେବେଠାରୁ ଏଦିଗକୁ ଆଉ କୌଣସି ଅବକାରୀ, ପୁଲିସ, ପ୍ରଶାସନ କିମ୍ବା ଡ୍ରଗ୍ସ ଇନିସପେକ୍ଟର ଦୃଷ୍ଟି ଦେବା କିମ୍ବା ସମୟ ସମୟରେ ଯାଞ୍ଚ୍ କରିବା ନଜିର ନାହିଁ। ତେବେ ଗତ କିଛି ଦିନ ହେବ ଏହି ଇଂଜେକ୍ସନ୍ ବେପାର ଜୋର ଧରିଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ଏଭଳିକି ପୁଲିସ ଧର ପଗଡ଼ କରିବା ପରେ ଏହି ବ୍ୟବସାୟ କରୁଥିବା ନିଶା ଅପରାଧି ନିଜ ଆଡ୍ଡାକୁ ପରିବର୍ତ୍ତନ କରି ପୁଲିସ ଓ ପ୍ରଶାସନକୁ ହାତବାରିସି କରି ଏହି ବ୍ୟବସାୟକୁ ଜୋର କରିଥିବା ପୁଲିସ ଅଧିକାରୀ ଜଣକ କହିଛନ୍ତି।
ମାଷ୍ଟର ମାଇଣ୍ଡମାନେ ବୈଷୟିକ କଲେଜ, ସରକାରୀ ଓ ବେସରକାରୀ କଲେଜ, ଶିକ୍ଷିତ ବେକାର ଯୁବକ ଓ ଯୁବତୀ ଖାସ୍ କରି କଲେଜ ପଡ଼ୁଆ ତଥା ଯୁବବର୍ଗକୁ ଟାର୍ଗେଟ କରି ଏହି ବ୍ୟବସାୟ କରୁଛନ୍ତି। ଆମ୍ପୁଲ ପିଛା ୫୦୦ଲେଖାଏଁ ବିକ୍ରୟ କରୁଛନ୍ତି। ଯୁବବର୍ଗ ଏହି ଇଞ୍ଜେକ୍ସନ୍ର ପାର୍ଶ୍ବପ୍ରତିକ୍ରିୟା ଜାଣି ନ ପାରି ନୂଆ ରକମର ନିଶା ନେବା ଫେସନରେ ନେଉଛନ୍ତି। ଫଳରେଜିଲ୍ଲାର କୋଣ ଅନୁକୋଣରେ ଏହି ନିଶା ଇଞ୍ଜେକ୍ସନ୍ କାରବାର ଜୋର ଧରିଛି।
ବିଭିନ୍ନ ଦ୍ରୁତଗାମୀ ବସ ସହ ଟ୍ରେନରେ ଏସବୁ ନିଶା ଇଞ୍ଜେକ୍ସନ୍ ଆସୁଛି। ଗୋଟିଏ ନାବାଳକଙ୍କ ବାଇକ ଦୁର୍ଘଟଣା ପରେ ଏହି ନିଶା ଇଞ୍ଜେକ୍ସନ୍ କାରବାର ଚାଳିଥିବା ପୁଲିସ ଅଧିକାରୀ ଜଣକ ଜାଣି ପାରିଥିବା କହିଛନ୍ତି। ଜିଲ୍ଲାର କେଉଁ କେଉଁ ପ୍ରମୁଖ ସହରରେ ଏହି ବ୍ୟବସାୟ ଚାଳିଛି ତାହାର ତଦନ୍ତ ଜାରୀ ରହିଥିବାରୁ ସେ ଅଧିକା ସୂଚନା ଦେବାକୁ ମନା କରିଛନ୍ତି।
ଅଧିକ ପଢ଼ନ୍ତୁ: ଷଷ୍ଠ ଅର୍ଥ ଆୟୋଗ ଗଠନ କଲେ ରାଜ୍ୟ ସରକାର: ଅରୁଣ କୁମାର ପଣ୍ଡା ଅଧ୍ୟକ୍ଷ
୫ବର୍ଷ ତଳେ ମାଷ୍ଟର ମାଇଣ୍ଡ ସହ ଅନ୍ୟ ଅଭିଯୁକ୍ତ ମାନେ ଧରା ପଡ଼ିବା ପରେ ଅନ୍ୟ କେଉଁ ମାନେ ଏହି କାରବାରରେ ଲିପ୍ତ ରହିଛନ୍ତି ତାହାର ତଦନ୍ତ କରାଯିବ ବୋଲି ପୁଲିସ କହିଥିଲେ ହେଁ ତାହା ପରବର୍ତ୍ତୀ ସମୟରେ କାର୍ଯ୍ୟକାରୀ ହୋଇ ପାରିନଥିଲା। ଅପରପକ୍ଷରେ ଶହ ଶହ ଯୁବବର୍ଗ ନିଶା ଇଞ୍ଜେକ୍ସନ୍ ନେଉଥିବା ତଦନ୍ତ ବେଳେ ଜଣା ପଡ଼ିଛି। ଏଥରକ ଚାଳିଥିବା ଗୋପନ ତଦନ୍ତ ଲୋକଲୋଚନକୁ ଆସିବ ନାଁ ପୂର୍ବପରି ଶୀତଳଭଣ୍ଡାରକୁ ଯିବ ତାହା ସମୟ କହିବ।
ଅଧିକ ପଢ଼ନ୍ତୁ: ମେଡିକାଲ ଏବଂ ସ୍ବାସ୍ଥ୍ୟ ସେବା ନିୟମାବଳୀ ୨୦୧୭ର ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରୀ