ଜଳେଶ୍ୱର: ନିଶା କାରବାରର ପେଣ୍ଠସ୍ଥଳୀ ପାଲଟିଥିବା ଜଳେଶ୍ବରରେ ବ୍ରାଉନ୍‌ସୁଗାର, ଗଞ୍ଜେଇ, ମାଦକ ଦ୍ରବ୍ୟ କାରବାର କରି ରାତାରାତି କୋଟିପତି ପାଲଟି ଯାଉଛନ୍ତି ନିଶା ମାଫିଆ। କିଛି ଘରୋଇ ବ୍ୟାଙ୍କରେ ସଞ୍ଚୟ ଖାତା ଖୋଲି ସେଥିରେ କୋଟି କୋଟି ଟଙ୍କାର କାରବାର କରୁଛନ୍ତି। ନୂଆ ଆକାଉଣ୍ଟ ବି ଖୋଲାଯାଉଛି। ଯେଉଁ ଟଙ୍କାରେ ନିଶା ମାଫିଆଙ୍କ ଘରର ମହିଳାମାନେ ୧୫ ଦିନକୁ ଥରେ ବିଭିନ୍ନ ଅଳଙ୍କାର ଦୋକାନକୁ ଯାଉଛନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କାର ଗହଣା କିଣୁଛନ୍ତି। ଖାଲି ଗହଣା ନୁହେଁ, ସମସ୍ତଙ୍କ ଘରେ ବହୁ ମୂଲ୍ୟବାନ ଜିନିଷ, ବାଇକ୍‌ ଓ ଚାରିଚକିଆ ଯାନ ବି ଅଛି। ଜଳେଶ୍ୱର ସହ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏବଂ ରାଜ୍ୟ ବାହାରେ ମୂଲ୍ୟବାନ ଜମି କିଣୁଛନ୍ତି।

Advertisment

କିଛି ବର୍ଷ ତଳେ ଜଳେଶ୍ବରର ଯେଉଁ ଜମିଗୁଡ଼ିକର ମୂଲ୍ୟ ଡେସିମିଲ୍‌ ୩୦ରୁ ୫୦ ହଜାର ଟଙ୍କା ମଧ୍ୟରେ ଥିଲା, ଏବେ ସେହି ଜମିଗୁଡ଼ିକର ମୂଲ୍ୟ ନିଶା ମାଫିଆଙ୍କ ପାଇଁ ୫ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ପାଇଲାଣି। ଯେଉଁମାନେ ଦିନେ ମାଟିକାନ୍ଥ ଓ ଆଜବେଷ୍ଟସ୍‌ ଛପର ଘରେ ରହୁଥିଲେ, ଏବେ ସେମାନେ ୩/୪ ମହଲା କୋଠାଘରେ ରହୁଛନ୍ତି। ନିଶା ମାଫିଆମାନଙ୍କ ଏପରି ବିଳାସପୂର୍ଣ୍ଣ ଜୀବନଯାପନକୁ ନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି।

ଘରୋଇ ବ୍ୟାଙ୍କରେ ନିର୍ଦ୍ଦିଷ୍ଟ ସୀମା ଯାଏ ଟଙ୍କା କାରବାର ନିୟମ ଥିବା ବେଳେ ମାଫିଆମାନେ ମନଇଚ୍ଛା କେମିତି କାରବାର କରୁଛନ୍ତି? ଏପରି ସମୟରେ କିଛି ବୁଦ୍ଧିଜୀବୀ ନିଶା ମାଫିଆ ଓ ବ୍ୟାଙ୍କ କର୍ମଚାରୀଙ୍କ ମଧ୍ୟରେ ଅର୍ଥନୈତିକ କାରବାର ଚାଲିଥିବା ଅଭିଯୋଗ ଆଣିଛନ୍ତି। ଏହାସହିତ ସେମାନେ ନିଶା ମାଫିଆଙ୍କୁ ସାବାଡ଼ କରିବା ପାଇଁ ଭିଜିଲାନ୍‌ସ ବିଭାଗ ଏବଂ ଆୟକର ବିଭାଗ ଆଇନକାନୁନର ଛାଟ ପକାଉ ବୋଲି ଦାବି କରୁଛନ୍ତି।