ରାସ୍ତା ମଝିରେ ଗାଡି ରଖି ମଦ୍ୟପ ଯୁବକଙ୍କ ଉନ୍ମତ୍ତକାଣ୍ଡ, ଫସିଲା ୧୦୮ ଆମ୍ବୁଲାନ୍ସ

ବାଲିଅନ୍ତା:ବାଳକାଟି ବଜାରରେ ଆଜି ସଂଧ୍ୟାରେ ଦୁଇଜଣ ଯୁବକ ନିଶାଗ୍ରସ୍ତ ଅବସ୍ଥାରେ ଉନ୍ମତ୍ତ କାଣ୍ଡ ଘଟାଇଛନ୍ତି। ରାସ୍ତା ମଝିରେ ବାଇକ ରଖି ଗାଡ଼ିମଟର ଚଳାଚଳ ପୂରା ବନ୍ଦ କରି ଦେଇଥିଲେ। ଏଭଳି ପରିସ୍ଥିତି ସୃଷ୍ଟି କରାଇଥିଲେ ଯେ,ଉଭୟ ପାର୍ଶ୍ବରେ ଗାଡ଼ିମଟର ଦୀର୍ଘ ଅଧଘଣ୍ଟାଏ ଧରି  ଅଟକି ରହିଥିଲା। ଖାଲି ସେତିକି ନୁହେଁ ୧୦୮ ଆମ୍ବଲାନ୍ସକୁ ବି ଯିବାକୁ ବାଟ ଛାଡ଼ିନଥିଲେ। ଭିଡ଼ ମଧ୍ୟରେ ଦୀର୍ଘ ସମୟ ଧରି ୧୦୮ ଆମ୍ବୁଲାନ୍ସ ଫସି ରହିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏନେଇ ସ୍ଥାନୀୟ ଲୋକ ବାଳକାଟି ଫାଣ୍ଡି ପୁଲିସକୁ ଫୋନ କରି ଜଣାଇଥିଲେ।

ଖବର ପାଇ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକ ଦ୍ବୟଙ୍କୁ ଫାଣ୍ଡିକୁ ନେବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଫାଣ୍ଡିରେ ୫୦୦ ଟଙ୍କା ଜରିମାନା ଦେବା ପରେ ପୁଲିସ ଛାଡ଼ି ଦେଇଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ସଂଧ୍ୟା ୭ଟା ବେଳେ କୁମାରଡିହ ଅଞ୍ଚଳର ଦୁଇଜଣ ଯୁବକ ବାଳକାଟି ବଜାରରେ ପହଞ୍ଚି ମଦ ପିଇଥିଲେ। ଏହାପରେ ନିଶା ହୋଇଯିବାରୁ ରାସ୍ତା ମଝିରେ ବାଇକ ଥୋଇ ପାଟିତୁଣ୍ଡ କରିଥିଲେ। ଗାଡ଼ିମଟର ଆରୋହୀମାନଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଫଳରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଉଭୟ ଯୁବକଙ୍କୁ ଫାଣ୍ଡିକୁ ନେବା ପରେ ପୁଣି ଗାଡ଼ିମଟର ଯାତାୟତ ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର