ମଦ୍ୟପ ଯୁବକଙ୍କ ଉନ୍ମତ କାଣ୍ତ ! ଧାରୁଆ ଅସ୍ତ୍ରରେ କଲା ଆକ୍ରମଣ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମରେ ଆଜି ଅପରାହ୍ନରେ ମଦ୍ୟପ ଯୁବକର ଆକ୍ରମଣରେ ୮ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ଅଙ୍ଗାରୁଆ ଗ୍ରାମର ରବି ଜେନାଙ୍କ ପୁଅ ରାଜା ଜେନା(୨୦) ମଦ୍ୟପ ଅବସ୍ଥାରେ ଆଜି ଦିନ ୩ଟା ସମୟରେ କୌଣସି ଏକ ଘରୋଇ କଥାକୁ ନେଇ ନିଜ ମାଆ ରମି ଜେନା(୪୮) ଙ୍କ ସହ ଝଗଡା କରିବା ସହ ମାଡ ମାରିଥିଲେ । ମାଆ ରମି ନିଜ ଜୀବନ ବଞ୍ଚାଇ ପଡିଶା ଘରକୁ ଦୌଡି ଯାଇ ଶରଣାପନ୍ନ ହୋଇଥିଲେ ବି ମଦ୍ୟପ ପୁଅ ମାଆର ପିଛା କରି ପଡିଶା ଘରେ ପହଞ୍ଚି ମୋ ମାଆକୁ କାହିଁକି ଲୁଚାଇ ରଖିଛ କହି ଝଗଡା ଆରମ୍ଭ କରିଦେଇଥିଲା ।

ପଡିଶା ଘର ଲୋକଙ୍କ ସହ ବଚସା ପରେ ମଦ୍ୟପ ଯୁବକ ରାଜା ଧରିଥିବା ଧରିଥିବା ଧାରୁଆ କାତିରେ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଏଥିରେ କାଳିକା ଜେନା(୪୩), ବାବୁଲି ଜେନା(୪୮), ବାସନ୍ତି ଜେନା, ମଦନ ଜେନା(୪୪),ମନ୍ଦାକିନୀ ଜେନା (୨୮),ସୁଲୋଚନା ଜେନା(୫୪) ,ପ୍ରଦିପ ଜେନା (୩୬) ଆହତ ହୋଇ ସାଇଁକୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ମଦନ ଜେନାଙ୍କ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାୟକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଆକ୍ରମଣ କରିବା ପରେ ଘଟଣାସ୍ଥଳରୁ ରାଜା ଚମ୍ପଟ ମାରିଥିବା ଜଣାପଡିଛି । ଉକ୍ତ ଘଟଣା ସମ୍ପର୍କରେ ରାମଚନ୍ଦ୍ରପୁର ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି । ସେପଟେ ଉକ୍ତ ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର