କରୋନା ପ୍ରତିଷେଧକ ଟିକା ପାଇଁ ଜିଲ୍ଲା ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ “ଡ୍ରାଏ ରନ୍”

ଜିଲ୍ଲାର ୬୦ଟି କେନ୍ଦ୍ରରେ ସକାଳ ୮ଟାରୁ ଅପରାହ୍ଣ ୪ଟା ମଧ୍ୟରେ ଟିକାକରଣ ଚାଲିବ

ଖୋର୍ଦ୍ଧା : ଖୁବ୍ ଶୀଘ୍ର ଜିଲ୍ଲାରେ କରୋନା ପ୍ରତିଷେଧକ ଟିକାକରଣ ଅଭିଯାନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ପହଂଚାଉଥିବା କୋଭିଡ୍ ଯୋଦ୍ଧାଙ୍କୁ ଏହି ଟିକା ଦିଆଯିବ । ଆଜି ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ପ୍ରାକ୍ ଅଭିଯାନ (ଡ୍ରାଏ ରନ୍) କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାକୁ ଜିଲ୍ଲାପାଳ ସନତ କୁମାର ମହାନ୍ତି ଉଦଘାଟନ କରିଥିଲେ ।

ସକାଳ ପ୍ରାୟ ସାଢ଼େ ୧୦ଟା । ୧ ପ୍ଲାଟୁନ୍ ପୁଲିସ୍ ଫୋର୍ସ ହଠାତ୍ ଆସି ଚିକିତ୍ସାଳୟର ଚାରିପଟେ ବେଢ଼ିଯାଇଥିଲେ । ଜିଲ୍ଲାପାଳ ପହଂଚି ଶୁଭାରମ୍ଭ କରିବା ପରେ ଆଧାର କାର୍ଡ଼ ଧରି କେତେକ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀ ଧାଡ଼ିବାନ୍ଧି ଠିଆହେଲେ । ସେମାନଙ୍କୁ ଥର୍ମାଲ୍ ସ୍କାନିଂ ଓ ସାନିଟାଇଜ୍ କରିବା ପରେ ଅପେକ୍ଷା ଗୃହରେ ବସିଲେ । ଏହାପରେ ସେମାନଙ୍କୁ ଟିକାକରଣ ଗୃହକୁ ନିଆଗଲା । ସେଠାରୁ ଆଣି ସେମାନଙ୍କୁ ନିରୀକ୍ଷଣ ପ୍ରକୋଷ୍ଠରେ ୩୦ ମିନିଟ୍ ରଖାଗଲା । ଚିକିତ୍ସାଳୟରେ ଲୋକମାନେ ଏଭଳି ବ୍ୟବସ୍ଥା ଦେଖି କିଛି ସମୟ ଆଶ୍ଚର୍ଯ୍ୟ ହୋଇରହିଥିଲେ । ଶେଷରେ ଜଣାଗଲା କରୋନା ଟିକାକରଣ ପାଇଁ ଏହା ଏକ ମକ ଡ୍ରିଲ ବା ପ୍ରାକ୍ ଅଭିଯାନ (ଡ୍ରାଏ ରନ୍) ।

ଚିକିତ୍ସାଳୟରେ କରୋନା ପାଇଁ ସ୍ୱତନ୍ତ୍ର ଟିକାକରଣ ଗୃହ, ପ୍ରତୀକ୍ଷା ଗୃହ ଓ ନିରୀକ୍ଷଣ ଗୃହର ଉଦ୍ଘାଟନ କରିବା ପରେ ଜିଲ୍ଲାପାଳ ଚିକିତ୍ସାଳୟର ଅନ୍ୟ ଆନୁଷଙ୍ଗିକ ସୁବିଧା ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ବିଶ୍ୱରଂଜନ ପତି, ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦ୍ୱାରିକାନାଥ ଶତପଥି ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡା ପତି ସୂଚନା ଦେଇ କହିଛନ୍ତି ଯେ କରୋନା ଟିକାକରଣ ପାଇଁ ଜିଲ୍ଲାରେ ପ୍ରାଥମିକ ପର୍ଯ୍ୟାୟରେ ୭୫୫୬ଜଣ କୋଭିଡ୍ ଯୋଦ୍ଧା ପଂଜୀକରଣ କରିଛନ୍ତି । ଜିଲ୍ଲାରେ ୬୦ଟି କେନ୍ଦ୍ରରେ ଏହି ଟିକାକରଣ କରାଯିବ । ଏଥିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୪୭ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ୪୭ ଓ ୧୨ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ।
ଟିକାକରଣର ପ୍ରାଥମିକ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ିକର୍ମୀଙ୍କୁ ଟିକା ଦିଆଯିବ । ନିର୍ଦ୍ଧାରିତ କେନ୍ଦ୍ରଗୁଡ଼ିକରେ ସକାଳ ୮ଟାରୁ ୪ଟା ମଧ୍ୟରେ ଏହା ଦିଆଯିବ । ଘଂଟାକୁ ୨୫ଜଣଙ୍କୁ ଟିକା ଦିଆଯିବ । ପୂର୍ବରୁ ଅନଲାଇନରେ ଆବେଦନ କରିଥିବା ବ୍ୟକ୍ତି ଆଧାରକାର୍ଡ଼ ସହ ନିର୍ଦ୍ଧାରିତ କେନ୍ଦ୍ରରେ ପହଂଚିବେ । ସେଠାରେ ଥିବା ରେଜିଷ୍ଟାର୍ରେ ପଂଜୀକୃତ କରିବା ପରେ ଥର୍ମାଲ୍ ସ୍କାନିଂ ଓ ସାନିଟାଇଜ୍ କରାଯିବ । ଏହାପରେ ପ୍ରତୀକ୍ଷା କେନ୍ଦ୍ରରେ ଅପେକ୍ଷା କରିବେ । ଟିକା ଦେବା ପରେ ସେମାନଙ୍କୁ ସ୍ୱତନ୍ତ୍ର ନିରୀକ୍ଷଣ କେନ୍ଦ୍ରରେ ୩୦ ମିନିଟ୍ ରଖାଯିବ । ଯେଉଁମାନଙ୍କ ଠାରେ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ ସେମାନଙ୍କୁ ପରବର୍ତୀ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯିବ ।

ତେବେ ଟିକାକରଣ ପାଇଁ ସେ ସରକାରୀ କର୍ମଚାରୀ ହୁଅନ୍ତୁ କିମ୍ବା ସାଧାରଣ ନାଗରିକ ଆଧାରକାର୍ଡ଼ ନଥିଲେ ଟିକା ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ମହାନ୍ତି ସ୍ପଷ୍ଟ କରିଛନ୍ତି ।

ସମ୍ବନ୍ଧିତ ଖବର