ରାୟଗଡା: ସହରାଞ୍ଚଳର ଉନ୍ନତି ପାଇଁ ପୌର ପରିଷଦ ଏବଂ ବିଜ୍ଞାପିତ ଅଂଚଳକୁ ସରକାର କୋଟି କୋଟି ଟଂକା ଅନୁଦାନ ଅଜାଡି ଦେଉଛନ୍ତି। କିନ୍ତୁ ଏହି ଉନ୍ନତି କାମଗୁଡିକର ସଠିକ ତଦାରଖ ହେଉଛି କି ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠିଛି। କାରଣ ସହରାଞ୍ଚଳର ବିକାଶମୂଳକ କାର୍ଯ୍ୟଗୁଡିକକୁ ତଦାରଖ କରିବା ପାଇଁ ଜଣେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ଏଜେନ୍ସି(ଡୁଡା)ରେ ପ୍ରକଳ୍ପ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ରାୟଗଡା ଜିଲ୍ଲା ପାଇଁ ଯେଉଁ ଡୁଡା ଅଧିକାରୀ ରହିଛନ୍ତି ସେ ଗଜପତି ଜିଲ୍ଲା ପାଇଁ ମଧ୍ୟ ଦାୟିତ୍ୱରେ ରହିଛନ୍ତି। ଦୁଇଟି ଜିଲ୍ଲାରେ ଗୋଟିଏ ଅଧିକାରୀ କିପରି କାମ ହେବ ତାହା ସହଜରେ ଅନୁମେୟ। ରାୟଗଡା ଜିଲ୍ଲାରେ ଦୁଇଟି ମ୍ୟୁନିସପାଲଟି ଏବଂ ଗୋଟିଏ ଏନଏସି ରହିଥିବା ବେଳେ ଗଜପତି ଜିଲ୍ଲାରେ ଗୋଟିଏ ମ୍ୟୁନିସପାଲଟି ଏବଂ ଗୋଟିଏ ଏନଏସି ରହିଛି। ମ୍ୟୁନିସପାଲଟିଗୁଡିକରେ ପ୍ରାୟ ୨୫ କୋଟି ଟଂକାର କାମ ବିଭିନ୍ନ ପାଣ୍ଟିରୁ ଖର୍ଚ୍ଚ ହେଉଥିବା ବେଳେ ଏନଏସିଗୁଡିକରେ ୧୫ କୋଟିରୁ ଉର୍ଦ୍ଧ୍ବ ଟଂକାର କାମ ଚାଲିଛି। ଏତେଗୁଡିକ କାମକୁ ମାତ୍ର ଜଣେ ଅଧିକାରୀ ଦେଖିବା ସମ୍ଭବପର ନୁହେଁ।ଗତ ଅଗଷ୍ଟ ମାସରେ ଜଣେ ଅବସରପ୍ରାପ୍ତ ଅଧିକାରୀଙ୍କୁ ରାୟଗଡାର ଡୁଡା ଅଧିକାରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।କିନ୍ତୁ ସେହି ଅଧିକାରୀ ଜଣକ କେତେ ବେଳେ ଅଫିସ ଖୋଲୁଛନ୍ତି ଆଉ କେତେବେଳେ ବନ୍ଦ କରୁଛନ୍ତି କାହାରିକୁ ଜଣା ନାହିଁ।ସବୁବେଳେ ଡୁଡା ଅଧିକାରୀଙ୍କ କାର୍ଯ୍ୟାଳୟ ବନ୍ଦ ରହୁଛି।

Advertisment

ଏନେଇ ବିଭାଗର କିଛି ଅଧିକାରୀଙ୍କୁ ପଚାରିବାରୁ ସେ ମ୍ୟୁନିସପାଲଟିକୁ ଯାଇଥିବା କହିଥିଲେ। କିନ୍ତୁ ଏହାର ତଦନ୍ତ କରିବା ପରେ ଜଣାପଡିଥିଲା ଯେ ସେ ଦୁଇଟି ଜିଲ୍ଲାର ଦାୟିତ୍ୱ ନେଇଥିବାରୁ କେବେ ଆସୁଛନ୍ତି କାହାରିକୁ ଜଣାନାହିଁ। ପ୍ରାୟତଃ କାର୍ଯ୍ୟାଳୟ ବନ୍ଦ ରହିଥାଏ। ବହୁ ସଂଗୀନ ଅଭିଯୋଗଗୁଡିକ ଆସୁଥିବା ବେଳେ ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ସେସବୁ ଅଭିଯୋଗଗୁଡିକ ଥାକ ଥାକ ହୋଇ ପଡି ରହୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ତେବେ କାର୍ଯ୍ୟାଳୟ ବନ୍ଦ ଦେଖି ହୁଏତ ସେ ଗଜପତି ଜିଲ୍ଲାରେ ଥିବେ ବୋଲି ଅନୁମାନ କରାଯାଉଛି।କିନ୍ତୁ ସେଠାରେ ମଧ୍ୟ କାର୍ଯ୍ୟାଳୟ ବନ୍ଦ ରହିଥିଲେ ସେଠାର ଲୋକେ ହୁଏତ ରାୟଗଡା ଅଧିକାରୀ ଜଣକ ଯାଇଥିବା ଭାବି ଚୁପ ରହିଯାଉଛନ୍ତି। ଗତ ୫ ମାସରୁ ଉର୍ଦ୍ଧ୍ବ ସମୟ ହୋଇଗଲାଣି ଲୋକେ ଡୁଡାର ପ୍ରକଳ୍ପ ଅଧିକାରୀଙ୍କୁ ଖୋଜିଲେ ପାଉନଥିବା ଅଭିଯୋଗ କରିଛନ୍ତି।ମ୍ୟୁନିସପାଲଟିଗୁଡିକରେ ୧୫ଏଫସି,୫ମ ଏସଏଫସି,ମୁକ୍ତା ଯୋଜନାରେ ପ୍ରାୟତଃ କୋଟି କୋଟି ଟଂକାର ଉନ୍ନୟନ କାର୍ଯ୍ୟ ଚାଲିଛି।ତେବେ ସେ ପ୍ର୍ରାୟତଃ ୧୫ତମ ଏଫସି ଓ ୫ମ ଏସଏଫସିର କାମଗୁଡିକ ତଦାରଖ କରିଥାନ୍ତି,ସେହି କାମଗୁଡିକ ତଦାରଖ ନହୋଇ ପଡିରହିଛି।ତଦାରଖ ନକରି କାଗଜ କଲମରେ ସବୁ ଚାଲିଥିବା ଅଭିଯୋଗ ହେଉଛି। ବିନା ତଦାରଖରେ କିପରି ଏତେ ଟଂକାର କାମଗୁଡିକ ସଠିକ ହେଉଥିବ ତାହା ସହଜରେ ଅନୁମେୟ। ରାୟଗଡା ଜିଲ୍ଲା ବଡ ଜିଲ୍ଲା ହୋଇଥିବା ବେଳେ ଦୁଇଟି ମ୍ୟୁନିସପାଲଟି ଏବଂ ଗୋଟିଏ ଏନଏସି ରହିଥିବାରୁ ଏହି ଜିଲ୍ଲା ପାଇଁ ଗୋଟିଏ ସ୍ଥାୟୀ ଡୁଡା ଅଧିକାରୀ ନିଯୁକ୍ତି କରିବା ପାଇଁ ଦାବି ହୋଇଛି।