କରୋନା କଷଣ : ରୋଜଗାର ନଥିବାରୁ ହୋଇପାରୁନି ଭିନ୍ନକ୍ଷମ ଦୁଇପୁଅଙ୍କ ଚିକିତ୍ସା, ମିଳିନି ସହାୟତା

ତିଗିରିଆ: ଦୁଇପୁଅ ଭିନ୍ନକ୍ଷମ। ଶତପ୍ରତିଶତ ଭିନ୍ନକ୍ଷମ ସାନପୁଅ ଶଯ୍ୟାଶାୟୀ। ତାଙ୍କର ଚିକିତ୍ସା ବାବଦରେ ମାସକୁ ଖର୍ଚ୍ଚ ହୁଏ ଅଢ଼େଇ ହଜାର ଟଙ୍କା। କରୋନାରେ ରୋଜଗାର ହରାଇବା ପରେ ପୁଅର ଚିକିତ୍ସା କରିବାକୁ ଅସମର୍ଥ ହୋଇପଡ଼ିଛନ୍ତି ପରିବାର। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ବ୍ଲକ୍‌ ଅନ୍ତର୍ଗତ ହାଟମାଳ ପଞ୍ଚାୟତରେ। ଏହି ପଞ୍ଚାୟତ ଅଧୀନ ଶୁଣ୍ଠିପାଳ ସାମିଲ ଚଇତିପୁରର କୈଳାସ ପଣ୍ଡା (୫୨)ଙ୍କର ବୁଢ଼ୀ ମା’, ପତ୍ନୀ, ଦୁଇ ଭିନ୍ନକ୍ଷମ ପୁଅଙ୍କୁ ନେଇ ପରିବାର। ପୂର୍ବରୁ ଏକମାତ୍ର ଝିଅର ବିବାହ ଶେଷ ହୋଇଯାଇଛି। ବଡ଼ପୁଅ ପୂର୍ଣ୍ଣଚନ୍ଦ୍ର ପଣ୍ଡା (୨୮) ୮୦ ପ୍ରତିଶତ ଭିନ୍ନକ୍ଷମ ଥିଲା ବେଳେ ସାନପୁଅ ସମୀର ପଣ୍ଡା (୨୫) ଶତପ୍ରତିଶତ ଭିନ୍ନକ୍ଷମ। ସମୀର ୨୫ବର୍ଷ ଧରି ଶଯ୍ୟାଶାୟୀ ହୋଇ ଅନେକ କଷ୍ଟ ଭୋଗୁଛନ୍ତି। ବାପା କୈଳାସ ଭୁବନେଶ୍ୱରର ଜଣେ ଠିକାଦାରଙ୍କ ପାଖରେ ସୁପର୍‌ଭାଇଜର୍‌ ଭା‌ବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ସାନପୁଅର ଚିକିତ୍ସା ପାଇଁ ସେ ଅନେକ ଅର୍ଥ ଖର୍ଚ୍ଚ କରି ଧାରକରଜରେ ବୁଡ଼ି ରହିଛନ୍ତି। ଜନ୍ମରୁ ଅଳ୍ପ କିଛିମାସ ସମୀର ଠିକ୍‌ ରହିବା ପରେ ଶଯ୍ୟାଶାୟୀ ହୋଇପଡ଼ିଥିଲେ। ପୁଅର ଏପରି ଅବସ୍ଥା ଦେଖି ବିଚଳିତ କୈଳାସ ବିଭିନ୍ନ ସ୍ଥାନରେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ।

ତାଙ୍କର ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥିଲା। ପରେ ସମୀରଙ୍କୁ ଠିକ୍‌ କରିବା ପାଇଁ ୫ ଲକ୍ଷ ଟଙ୍କା ଆବଶ୍ୟକ ବୋଲି ଡାକ୍ତର କହିବାରୁ କୈଳାସ ନିରାଶ ହୋଇ ଫେରି ଆସିଥିଲେ। ପୂର୍ବରୁ ଦୁଇ ପୁଅଙ୍କ ଚିକିତ୍ସା ପାଇଁ ସ୍ତ୍ରୀଙ୍କ ଅଳଙ୍କାର, ନିଜେ କରିଥିବା ଦୁଇଟି ଅଟୋକୁ ବିକ୍ରି କରିଦେଇଥିଲେ କୈଳାସ। ବର୍ତ୍ତମାନ କରୋନା ସମୟରେ କାମ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ପୁଅର ଔଷଧ ବାବଦରେ ମାସକୁ ୨ ହଜାର ୫୦୦ ଟଙ୍କା ଯୋଗାଡ଼ କରିବା ଦୂର କଥା ପରିବାରକୁ ଦୁଇଓଳି ଖାଇବାକୁ ଦେବା କଷ୍ଟକର ହୋଇପଡ଼ୁଛି। ବଖୁରାଏ ଘରେ ଅତ୍ୟନ୍ତ କଷ୍ଟରେ ରହୁଥିବା ଏହି ଅସହାୟ ପରିବାର ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ଅନେକ ଥର ଆବେଦନ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିବା କହିଛନ୍ତି। ବିଶେଷ କରି, ସାନପୁଅ ସମୀରର ଚିକିତ୍ସା ପାଇଁ ସ୍ଥାନୀୟ ଲୋକପ୍ରତିନିଧିଙ୍କୁ ନିବେଦନ କରିଥିଲେ ମଧ୍ୟ ସହାୟତା ପାଇ ନ ଥିବା କୁହନ୍ତି ‌କୈଳାସ। ପୁଅଙ୍କ ଚିକିତ୍ସା ନିମନ୍ତେ ସରକାରୀସ୍ତରରେ ସହାୟତା ପ୍ରଦାନ ପାଇଁ କୈଳାସ ଓ ତାଙ୍କ ପତ୍ନୀ ବାସନ୍ତୀ ପଣ୍ଡା ଆକୁଳ ନିବେଦନ କରିଛନ୍ତି। ନଚେତ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦେବାକୁ ଦମ୍ପତି ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର