ଧର୍ମମାସ କାର୍ତ୍ତିକର ପହିଲି ସୋମବାର, କଟକଣା ଯୋଗୁଁ ଧବଳେଶ୍ବର ପୀଠ ଖାଁଖାଁ

ଆଠଗଡ଼/ଖୁଣ୍ଟୁଣୀ: କୋଭିଡ୍‌ କଟକଣା ଯୋଗୁଁ ମହାକାର୍ତ୍ତିକ ମାସର ପବିତ୍ର ପହିଲି ସୋମବାରରେ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରର ପରିବେଶ ଭକ୍ତଶୂନ୍ୟ ହୋଇ ଯାଇଥିଲା। ବିନା ଶ୍ରଦ୍ଧାଳୁରେ ଠାକୁରଙ୍କ ପାଳିଆ ସେବକ ଓ ପୂଜକ ସମାଜ ସମସ୍ତ ନୀତିକାନ୍ତି ସମ୍ପନ୍ନ କରିଥିଲେ। ପ୍ରତିବର୍ଷ କାର୍ତ୍ତିକ ମାସର ପହିଲି ସୋମବାରରେ ବାବା ଧବଳେଶ୍ୱରଙ୍କ ଦର୍ଶନ ପାଇଁ ହଜାରହଜାର ଶ୍ରଦ୍ଧାଳୁଙ୍କ ଆଗମନ ହେଉଥିଲା। ମାତ୍ର କରୋନା କଟକଣା ଓ କୋଭିଡ୍‌ ସଂକ୍ରମଣ ଦୃଷ୍ଟିରୁ ଆଠଗଡ଼ ପ୍ରଶାସନ ପୀଠରେ ୧୪୪ ଧାରା ଜାରି କରିଥି‌ଲା। ସୋମବାର ଭୋର ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିଥିଲା। ଫଳରେ ଭକ୍ତମାନେ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲା ବେଳେ ପୀଠ ପରିସର ସମ୍ପୂର୍ଣ୍ଣ ଖାଁଖାଁ ହୋଇଯାଇଥିଲା। ପୂଜକ ସମିତି ତରଫରୁ ଆଜିର ନୀତି ପାଳିଆସେବକ ପଙ୍କଜ ପଣ୍ଡା ବାବା ଧବଳେଶ୍ୱରଙ୍କ ନୀତିକାନ୍ତି ସମ୍ପାଦନ କରିଥିଲେ। ଭୋର୍‌ ୪ଟାରେ ଠାକୁରଙ୍କ ପହୁଡ଼ ଖୋଲାଯାଇ ଆଳତି, ମଙ୍ଗଳ ଆଳତି ପରେ ସୁବାସିତ ଦ୍ରବ୍ୟ ମିଶ୍ରିତ ୧୦୮ଗରା ନଦୀ ଜଳରେ ପ୍ରଭୁ ଧବଳେଶ୍ୱରଙ୍କୁ ସ୍ନାନ କରାଯାଇଥିଲା।

ମାର୍ଜନା କାର୍ଯ୍ୟ ଶେଷ ହେବା ପରେ ବାବାଙ୍କୁ  ବଡ଼ସିଙ୍ଗାର ବେଶରେ ସଜ୍ଜିତ କରାଯାଇ ବାଳଭୋଗ ରୂପେ ଖଇ, ଉଖୁଡ଼ା‌, କୋରା, ବିଭିନ୍ନ ଫଳ ଠାକୁରଙ୍କୁ ଅର୍ପଣ କରାଯାଇଥିଲା। ସକାଳ ୭ଟାରେ ଦୈନିକ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ଦିନ ୧୨ଟାରେ ମଧ୍ୟାହ୍ନ ଧୂପରେ ଶଙ୍କୁଡ଼ି ଭୋଗ ନୀତି ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ୫ଟାରେ ପୁନଃ ସ୍ନାନ, ଫୁଲଚନ୍ଦନ ଅର୍ପଣ, ସନ୍ଧ୍ୟାଧୂପ ଆଳତି, ରାତି ୮ଟାରେ ଦହିବାଟୁଳା ଭୋଗ ଲାଗି ହୋଇ ଠାକୁରଙ୍କ ପହଡ଼ ପକାଯାଇଥିଲା ବୋଲି ପୂଜକ ଅଜୟ ପତ୍ରୀ ସୂଚନା ଦେଇଛନ୍ତି। ଅପରପକ୍ଷରେ ୧୪୪ ଧାରା ଜାରି ପରେ ପୀଠ ସଂଲଗ୍ନ ସମସ୍ତ ପ୍ରବେଶ ପଥ ସିଲ୍‌ କରାଯାଇ ଗୁରୁଡ଼ିଝାଟିଆ ଥାନା ପୁଲିସ ସହ ୧ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ତହସିଲଦାର ପ୍ରିୟବ୍ରତ ଦାସ ମାଜିଷ୍ଟ୍ରେଟ ଭାବେ ପୀଠରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର