ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଗ୍ରାମରେ ଶୁକ୍ରବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ହାଏ ଭୋଲ୍ଟେଜ ବିଜୁଳି ସରବରାହ ଯୋଗୁଁ ଗ୍ରାମର ଶତାଧିକ ବ୍ୟକ୍ତିଙ୍କ ଟିଭି, ଏଲଇଡି, ଇନ୍ଭର୍ଟର ଏଲଇଡ଼ି, ଫ୍ରିଜ, ପାଣି ମଟର, କୁଲର, ଗ୍ରାଇଣ୍ଡର, ଏସି ଆଦି ସମ୍ପୂର୍ଣ ଜଳି ନଷ୍ଟ ହୋଇଛି। ଏଥିରେ ଶତାଧିକ ବିଜୁଳି ଗ୍ରାହକଙ୍କ ଯାବତୀୟ ଇଲେକଟ୍ରାନିକ ଜିନିଷ ନଷ୍ଟ ହୋଇଛି। ତେବେ ଗ୍ରାମର କେତେ ଜଣଙ୍କ ଏବଂ କେତେ ପରିମାଣର ଜିନିଷ ନଷ୍ଟ ହୋଇଛି ତାହାର ସଠିକ ଆକଳନ ହୋଇନଥିଲେ ହେଁ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ଇଲେକ୍ଟ୍ରୋନିକ ନଷ୍ଟ ହୋଇଥିବା କୁହାଯାଉଛି।
ମିଳିଥିବା ସୂଚନା ଅନୁଯାୟୀ, ଅଞ୍ଚଳଗୁମ୍ମା ଗ୍ରାମ ଉଚ୍ଛ ପ୍ରାଥମିକ ବିଦ୍ୟାଳୟ ନିକଟରେ ଏକ ବିଦ୍ୟୁତ ଟ୍ରାନଫର୍ମର ରହିଛି। ଉକ୍ତ ଟ୍ରାନ୍ସଫର୍ମର ଠାରୁ ଶହେ ମିଟର ଦୂରରେ ଥିବା ଏକ ବିଦ୍ୟୁତ ଖୁଣ୍ଟକୁ ବିଦ୍ୟୁତ ସରବରାହ ହୋଇ ଅଞ୍ଚଳଗୁମ୍ମା ବାସିନ୍ଦାଙ୍କୁ ବିଦ୍ୟୁତ ଯୋଗାଣ ହେଉଛି। ତେବେ ଗତକାଲି ରାତ୍ର ସାଢ଼େ ୭ ଘଣ୍ଟା ସମୟରେ ଉକ୍ତ ବିଦ୍ୟୁତ ଖୁଣ୍ଟରୁ ନିଆଁ ବାହାରି ଥିଲା। ଏହାପରେ ଗ୍ରାମରେ ହାଏ ଭୋଲ୍ଟେଜ ବିଦ୍ୟୁତ ସରବରାହ ହୋଇ ଶତାଧିକ ବିଦ୍ୟୁତ ଗ୍ରାହକଙ୍କ ଲେଇଡି ବଳ୍ପ ଗୁଡାକ ଫାଟିବାକୁ ଲାଗିଲା। ସେହିପରି ହାଏ ଭୋଲ୍ଟେଜ ଯୋଗୁଁ ଗ୍ରାମର ବହୁ ଜଣଙ୍କ ଟିଭି, ଏଲଇଡ଼ି, ଇନ୍ଭର୍ଟର, ଫ୍ରିଜ ଆଦି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ ହାଏ ଭୋଲ୍ଟେଜ ଯୋଗୁଁ ଗ୍ରାମର ସରୋଜ ପଟ୍ଟନାୟକଙ୍କ ତିନିଗୋଟି ଏଲଇଡି ଟିଭି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି।