ରାୟଗଡା: ରାୟଗଡା ବ୍ଲକର ନାକିଟି ପଞ୍ଚାୟତର ବଡଚେକା ଗ୍ରାମରେ ବାସ କରନ୍ତି ମୁସୁରି ମେଲେକା। ମୁସୁରିଙ୍କ ପରିବାର କହିଲେ ପତ୍ନୀ ଏବଂ ଦୁଇ ପିଲା। ଶ୍ରମିକ ଭାବେ କାମ କରନ୍ତି ମୁସୁରି। ଦିନଯାକ କାମ କରି ଯାହା ମିଳେ ସେତିକିରେ ପରିବାର ଚଳେ। ତେବେ କାମ କରିବା ପାଇଁ ତାଙ୍କୁ ଆଉ ବଳ ମିଳୁ ନାହିଁ। କାରଣ ତାଙ୍କ ବେକରେ ଏକ ବିରାଟ ଟ୍ୟୁମର ହୋଇଥିବାରୁ ସେ ପୂର୍ବଭଳି ଆଉ କାମ କରି ପାରୁ ନାହାନ୍ତି। ଧୀରେ ଧୀରେ ଟ୍ୟୁମରଟି ବଢିବାକୁ ଲାଗୁଛି। ଆଗରୁ ଛୋଟ ଥିବାରୁ କାମ ଠିକଠାକ ହୋଇ ପାରୁଥିଲା। କିନ୍ତୁ ଏବେ ଆଉ ସେ ପାରୁ ନଥିବା କହନ୍ତି ମୁସୁରି। ପରିବାର ପାଇଁ ସେ ଦାନା ଯୋଗାଡ କରିବେ ନା ନିଜର ଚିକିତ୍ସା ପାଇଁ ଅର୍ଥ ଯୋଗାଡ କରିବେ କିଛି ବୁଝି ପାରୁ ନାହାନ୍ତି। ପରିବାର ଲୋକେ ତାଙ୍କର ଚିକିତ୍ସା ପାଇଁ ଭୁବନେଶ୍ବର ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ କଟକରେ ହିଁ ତାଙ୍କର ଚିକିତ୍ସା ହୋଇ ପାରିବ ବୋଲି ଡାକ୍ତରମାନେ କହିବା ପରେ ସେମାନେ ପୁଣି ଫେରି ଆସିଲେ।
ପାଖରେ ଟଙ୍କା ନ ଥିବାରୁ ଏତେ ଦୂର ଯାଇ ହଇରାଣ ହେବେ ବୋଲି କ୍ଷୋଭର ସହ ପ୍ରକାଶ କରିଛନ୍ତି। ସରକାରଙ୍କ ତରଫରୁ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ତାଙ୍କର ଏହି ଅସ୍ତ୍ରପ୍ରଚାରରେ ସହଯୋଗ କରନ୍ତେ ତେବେ ସେ ପୁଣି ସୁସ୍ଥ ହୋଇ କାମ କରି ପାରନ୍ତେ ବୋଲି କହିଥିଲେ। ରାୟଗଡା ଠାରୁ ଆରମ୍ଭ କରି ବଡ ଡାକ୍ତରଖାନା ପର୍ଯ୍ୟନ୍ତ ଯାଇଥିଲେ ମଧ୍ୟ ସବୁଠାରେ ତାଙ୍କୁ ଅର୍ଥ ଯୋଗୁ ହଇରାଣ ହେବାକୁ ପଡିଛି। ଦିନକୁ ଦିନ ଟ୍ୟୁମର ବଢୁଥିବାରୁ ତୁରନ୍ତ ଅସ୍ତ୍ରୋପଚାର କରାନଗଲେ ଆଗକୁ ବିପଦ ରହିଥିବା ମଧ୍ୟ ଡାକ୍ତର ପ୍ରକାଶ କରିଥିବା ସେ କହିଥିଲେ। ତୁରନ୍ତ ପ୍ରଶାସନ ତରଫରୁ ତାଙ୍କୁ ସହଯୋଗର ହାତ ବଢାଇବା ପାଇଁ ସ୍ଥାନୀୟ ବାସିନ୍ଦା ମଧ୍ୟ ଦାବି କରିଛନ୍ତି।