ମାହାଙ୍ଗା: ମାହାଙ୍ଗା ବ୍ଲକ୍‌ ସମସରପୁର ପଞ୍ଚାୟତ ଅନ୍ତର୍ଗତ ଯଶରାଜପୁର ଗ୍ରାମର ରମେଶ ଚନ୍ଦ୍ର ସ୍ବାଇଁ (୪୬)ଙ୍କ ଚକ୍ଷୁ ଅସ୍ତ୍ରୋପଚାରରେ ଅର୍ଥ ବାଧକ ସାଜିଥିବା ଜଣାପଡ଼ିଛି। ରମେଶ ଦୁଇଟି ଆଖି ହରାଇ ଥିବାରୁ ତାଙ୍କ ପତ୍ନୀ, ୩ ଓ ୧୨ ବର୍ଷର ଦୁଇ ଝିଅ ଓ ୫ବର୍ଷର ପୁଅ ଦୁର୍ଦ୍ଦଶାରେ କାଳାତିପାତ କରୁଛନ୍ତି। ସୂଚନା ମୁତାବକ, ବ୍ୟାଙ୍କରୁ ଋଣ କରି ରମେଶ ଏକ ଅଟୋ କିରିଥିଲେ। ଏହାକୁ ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ। ହଠାତ୍ ତାଙ୍କ ପରିବାର ଉପରେ ବିପଦ ମାଡ଼ି ଆସିଥିଲା। ଦୁଇବର୍ଷ ତଳେ ସେ ଉଚ୍ଚରକ୍ତଚାପ ଓ ମଧୁମେହ ରୋଗର ପୀଡ଼ିତ ହୋଇଥିଲେ। ଧୀରେ ଧୀରେ ତାଙ୍କର ଦୃଷ୍ଟିଶକ୍ତି କମି ଯାଇଥିଲା। ଅର୍ଥାଭାବରୁ ଉପଯୁକ୍ତ ଚିକିତ୍ସା ନ ହେବାରୁ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ରୂପେ ଦୃଷ୍ଟିହୀନ ହୋଇପଡ଼ିଛନ୍ତି। ଏପରି କି, ପରିବାରକୁ ପ୍ରତିଦିନ ଦୁଇମୁଠା ଖାଇବା ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି।

Advertisment

publive-image Sambad

ଏଥିସହ ଋଣ ମାସିକ କିସ୍ତି ଦେଇ ନ ପାରିବାରୁ ଇତିମଧ୍ୟରେ ଅଟୋରିକ୍ସାଟିକୁ ବ୍ୟାଙ୍କ ନେଇଯାଇଥିବାରୁ ତାଙ୍କ ଉପରେ ନିର୍ଭର କରୁଥିବା ପତ୍ନୀ ଓ ତିନି ନାବାଳକ ସନ୍ତାନଙ୍କ ଭବିଷ୍ୟତ ଚିନ୍ତା କରି ରମେଶ ଭାଙ୍ଗି ପଡ଼ିଛନ୍ତି। ତାଙ୍କର ଚିକିତ୍ସା ଓ ପରିବାର ପ୍ରତିପୋଷଣ ନିମନ୍ତେ ସରକାରୀ ଓ ବେସରକାରୀ ସାହାଯ୍ୟ ପାଇଁ ରମେଶ ଆକୁଳ ନିବେଦନ କରିଛନ୍ତି। ଏଥିପାଇଁ ‌ବଦାନ୍ୟ ବ୍ୟକ୍ତି ସହାୟତା (ବ୍ୟାଙ୍କ ଆକାଉଣ୍ଟ ନମ୍ବର ୫୨୦୭୧୦୧୧୦୦୦୦୧୭୫, ଆଇଏଫସି କୋର୍ଡ ବିକେଆଇଡି ୦୦୦୫୧୭୫ ଓ ମୋବାଇଲ ନଂ-୮୮୯୫୩୨୭୪୬୧) କରିବାକୁ ସେ ଅନୁରୋଧ କରିଛନ୍ତି।