ଚିକିତ୍ସାରେ ଅର୍ଥ ବାଧକ; କିଡ୍‌ନି ରୋଗରେ ଆକ୍ରାନ୍ତ ଦିଲ୍ଲୀପଙ୍କୁ ସରକାରୀ ସହାୟତା ଦାବି

ପଟ୍ଟାମୁଣ୍ତାଇ: ମୁଣ୍ତରେ ପରିବାରର ବୋଝ, ସ୍ତ୍ରୀ ଏବ˚ ପାଠ ପଢୁଥିବା ପୁଅଝିଅଙ୍କ ଚିନ୍ତାରେ ମ୍ରିୟମାଣ ହୋଇପଡିଛନ୍ତି ଦିଲ୍ଲୀପ। ୨ଟି ଯାକ କିଡ୍‌ନି ଖରାପ ହୋଇଯାଇଥିବାରୁ ରୋଗରୁ ଭଲ ହେବା ପାଇଁ ମୋଟାଅଙ୍କର ଅର୍ଥର ଆବଶ୍ୟକତା ରହିଛି। ହୋଟେଲରେ ଖାଦ୍ୟ ପରଷିବା କାମ କରୁଥିବା ଦିଲ୍ଲୀପଙ୍କ ପାଇଁ ଏହା ବେଡ଼ି ଉପରେ କୋରଡ଼ା ସଦୃଶ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଟ୍ଟାମୁଣ୍ତାଇ ବ୍ଲକ ଅଧୀନ ଖଣତା ପଞ୍ଚାୟତର କୁନ୍ଦୁପୁର ଗ୍ରାମରେ।

ଏହି ଗ୍ରାମର ଦିଲ୍ଲୀପ କୁମାର ଦାଶ (୪୮) ପଟ୍ଟାମୁଣ୍ତାଇର ଏକ ହୋଟେଲରେ ଖାଦ୍ୟ ପରଷିବା କାମ କରି ନିଜ ପରିବାରର ପ୍ରତିପୋଷଣ କରନ୍ତି। ଘରେ ଦିଲ୍ଲୀପଙ୍କ ପତ୍ନୀ ସୁଜାତା, +୨ ରେ ପଢୁଥିବା ଝିଅ ଓ ୧୦ମ ଶ୍ରେଣୀରେ ପଢୁଥିବା ପୁଅକୁ ନେଇ ଦିଲ୍ଲୀପଙ୍କ ତେଲଲୁଣ ସ˚ସାର ଦୁଃଖେକଷ୍ଟେ ଚଳି ଆସୁଥିଲା। ହଠାତ୍‌ ଦିଲ୍ଲୀପଙ୍କ ଦେହ ଖରାପ ହେବାରୁ ସେ ଡାକ୍ତରଖାନାକୁ ଯାଇ ଚିକିତ୍ସିତ ହୋଇଥିଲେ। କିନ୍ତୁ ଦେହ ଅଧିକ ଖରାପ ହେବାକୁ ଲାଗିଥିଲା। ପରୀକ୍ଷା ନିରୀକ୍ଷାରେ ତାଙ୍କର ୨ଟି ଯାକ କିଡ୍‌ନି ଖରାପ ହୋଇଯାଇଥିବା ଜଣାପଡିଥିଲା। ରୋଗରୁ ଭଲ ହେବା  ପାଇଁ ଦିଲ୍ଲୀପ ଭୁବନେଶ୍ବରର ଦୁଇ ଦୁଇଟି ଘରୋଇ ହସ୍ପିଟାଲରେ ଚିକିତ୍ସିତ ହୋଇଥିଲେ ମଧ୍ୟ ସ˚ପୂର୍ଣ୍ଣ ଭାବେ ସୁସ୍ଥ ହୋଇ ନଥିବା ଜଣାପଡ଼ିଛି। ତେବେ ସପ୍ତାହରେ ୨ଥର ଚେକ୍‌ଅପ୍‌ ପାଇଁ ତାଙ୍କୁ ଭୁବନେଶ୍ବର ଯିବାକୁ ପଡ଼ୁଛି।

ଆର୍ଥିକ ସ୍ଥିତି ଭଲ ନଥିବାରୁ ବାରମ୍ବାର ଘରୋଇ ହସ୍ପିଟାଲକୁ ଯାଇ ଚିକିତ୍ସିତ ହେବା ଦିଲ୍ଲୀପଙ୍କ ପକ୍ଷେ ସମ୍ଭବ ହେଉ ନାହିଁ। ଅର୍ଥାଭାବରୁ ଘରଛପର କରି ନପାରି ପାଲ ଟାଣି ସପରିବାର ମୁଣ୍ତ ଗୁଞ୍ଜିଛନ୍ତି। ଗ୍ରାମବାସୀମାନଙ୍କ ପକ୍ଷରୁ ଦିଲ୍ଲୀପଙ୍କୁ ଯୋଗାଇ ଦିଆଯାଇଥିବା ଯତ୍‌କିଞ୍ଚିତ୍‌ ସହଯୋଗରେ କିଛିଦିନ ହେବ ସେ ଓୗଷଧ ଖର୍ଚ୍ଚ ତୁଲାଉଛନ୍ତି। ଦିଲ୍ଲୀପଙ୍କ ଚିକିତ୍ସା ପାଇଁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ରାଜ୍ୟ ସରକାରଙ୍କୁ ଗ୍ରାମବାସୀମାନେ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର