କୋରାପୁଟ ଜିଲ୍ଲାରେ ମରୁଡିର ମୁକାବିଲା ପାଇଁ କେତେ ପ୍ରସ୍ତୁତ ପ୍ରଶାସନ? ୧୯୧ ଉଠା ଜଳସେଚନ, ୧୨୫ ଗଭୀର ନଳକୂପ ଅଚଳ

କୋରାପୁଟ: କୋରାପୁଟ ଜିଲ୍ଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଯେପରି ବର୍ଷା କରାଇବା କଥା କରିନାହିଁ, ଆଶାଠାରୁ କମ୍‌ ବର୍ଷା ହେଉଛି। ଯଦିଓ ଦୁଇଦିନ ହେଲା ଜିଲ୍ଲାରେ  ବର୍ଷା ଜାରି ରହିଛି ହେଲେ ବି ଏହା ସମୁଦ୍ରକୁ ଶଙ୍ଖେ ପରି। ଜିଲ୍ଲାରେ ଆସନ୍ତା ଦିନରେ ସମସ୍ୟା ଆଣିପାରେ ଏହି ନିଅଣ୍ଟିଆ ବର୍ଷା। କୋରାପୁଟ ଜିଲ୍ଲାରେ ଜୁନ୍‌, ଜୁଲାଇ, ଅଗଷ୍ଟରେ ଯେପରି ବର୍ଷା ହେବା କଥା ହୋଇ ପାରିବାରୁ ବିଦ୍ୟୁତ ଉତ୍ପାଦନ ଓ ଚାଷବାସରେ ସମସ୍ୟା ହେବା ଏକ ପ୍ରକାର ସ୍ପଷ୍ଟ ହୋଇ ସାରିଲାଣି। ଯେଉଁ ସମୟରେ ଗର୍ଭାଷୟରେ ଅକାତକାତ ପାଣି ରହିବା କଥା ଏବେ ଶୁଖିଲା ପଡିଛି ଜିଲ୍ଲାର ଏକାଧିକ ଜଳଭଣ୍ଡାର। ଯେଉଁ ସମୟରେ ଚାଷୀଙ୍କ ଜମିକୁ ପାଣି ଯିବା କଥା ସେହି ସମୟରେ ପାଣିର ଘୋର ଅଭାବ ଦେଖାଦେଇଛି। ଫଳରେ ଆସନ୍ତା ଋତୁ ପାଇଁ ଜଳ ମିଳିବ କି ନ‌ାହିଁ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କୋରାପୁଟ ଜିଲ୍ଲାରେ କୋଟିକୋଟି ଟଙ୍କା‌ ବିନିୟମରେ ତିଆରି ହୋଇଥିବା ବହୁ ପ୍ରତିକ୍ଷିତ ତେଲିଙ୍ଗୀର, ଉପର କୋଲାବ, ଜଲାପୁଟ ଓ ମୂରାନ ଡ୍ୟାମରେ ବର୍ଷା ଅଭାବରୁ ଜଳ ନ ଥିବାବେଳେ ଉଠା ଜଳସେଚନ ଓ ଗଭୀର ନଳକୂପ ଅଚଳ ହେବା ସମସ୍ୟାକୁ ଅଧିକ ଘନିଭୂତ କରିଛି। କୋରାପୁଟ ଜିଲ୍ଲାରେ ମୋଟ ୧୪୬୩ଟି ଉଠା ଜଳ ସେଚନ ପ୍ରକଳ୍ପ ରହିଛି।

ସେଥିମଧ୍ୟରୁ ୧୪ଟି ବ୍ଲକରେ ୧୨୭୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ରହିଥିବାବେଳେ ୧୯୧ଟି ପ୍ରକଳ୍ପ ଅଚଳ ରହିଛି। ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ବୋରିଗୁମ୍ମା, ଲକ୍ଷ୍ମୀପୁର, କୁନ୍ଦୁରା, ଜୟପୁର, ବୈପାରିଗୁଡା, କୋଟପାଡ, ପଟାଙ୍ଗୀ, ନନ୍ଦପୁର, ଲମତାପୁଟ ଅଞ୍ଚଳରେ ରହିଛି। ଦୀର୍ଘବର୍ଷ ଏହି ଏଲଆଇ ପଏଣ୍ଟ ଗୁଡିକ ଅଚଳ ରହିଥିବାରୁ ଜଳ ମାଡିବାରେ ନାହିଁ ନଥିବା ସମସ୍ୟା ହେଉଛି। ଗୋଟିଏ ଏଆଇ ପଏଣ୍ଟରୁ ପାଖାପାଖି ୫୦ ଏକର ଜମି ପାଣି ମାଡିବାକୁ ଯୋଜନା ରହିଥିବାବେଳେ ଏହାକୁ ମରାମତି କରାଯାଉନି। ଏନେଇ ବିଭାଗ ପକ୍ଷରୁ କେବଳ ଚିଠି ପରେ ଚିଠି ଦେଇ ଚାଲିଥିବାବେଳେ କାର୍ଯ୍ୟକ୍ଷମ ହୋଇ ପାରୁନ ଥିବା ଜଣାପଡିଛି।

ସେହିପରି କୋରାପୁଟ ଜିଲ୍ଲାରେ ୧୮୪୦ଟି ଗଭୀର ନଳକୂପ ରହିଛି। ସେଥି ମଧ୍ୟରୁ ୧୭୧୫ଟି ନଳକୂପ ସଚଳ ରହିଥିବାବେଳେ ୧୨୫ଟି ଦୀର୍ଘଦିନ ହେବ ଅଚଳ ରହିଛି। ଅଚଳ ରହିଥିବା ପ୍ରକଳ୍ପରୁ ମେସିନ, ପାଇପ ସହ ଅନ୍ୟ ସରଞ୍ଜାମ ଚୋରି ହୋଇଯାଇ ଥିବାବେଳେ ଏହାକୁ ମରାମତି କରାଯାଉ ନଥିବା ଜଣାପଡିଛି। ଏହି ପରିପ୍ରେକ୍ଷୀରେ କିପରି ସମ୍ଭାବ୍ୟ ମରୁଡି ସ୍ଥିତିକୁ ଟାଳି ହେବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏବେ ଜିଲ୍ଲାର ୧୪ଟି ବ୍ଲକରେ ଧାନ ଚାଷ ପାଇଁ ୯୭୪୦୦ ହେକ୍ଟରରେ ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇ ଥିବାବେଳେ ୯୫ ହଜାର୮୯୭ ହେକ୍ଟର ଜମିରେ ଚାଷ କରାଯାଉଛି। ସେହିପରି ଅଣଧାନ ଚାଷ ପାଇଁ ୧ଲକ୍ଷ ୯୮ହଜାର ୩୦୦ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇ ଥିବାବେଳେ ଏକ ଲକ୍ଷ ୭୨ ହଜାର ୭୬୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ ଜାରି ରହିଛି। ତେବେ ଆସନ୍ତା ଋତୁରେ କିପରି ଚାଷ କରାଯିବ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। କୋରାପୁଟ ଜିଲ୍ଲା ଜୟପୁର ଓ ବୋରିଗୁମ୍ମା ବ୍ଲକରେ ବହୁ ପ୍ରତିକ୍ଷୀତ ତେଲିଙ୍ଗୀରି ଜଳଭଣ୍ଡାରରେ ଜଳ ନାହିଁ। ଗତବର୍ଷ ଆଜିର ତାରିଖରେ ୬୨୬.୯ମିଟର ଜଳ ରହିଥିବାବେଳେ ଆଜି ୬୨୦.୯୫ ମିଟର ଜଳ ରହିଛି। ସେହିପରି କୋଲାବ ଡ୍ୟାମରେ ଗତବର୍ଷ ଆଜିର ଦିନରେ ୮୫୦.୪ ମିଟର ଜଳ ରହିଥିବାବେଳେ ଆଜି ୮୪୭ ମିଟର ରହିଛି।

ଦିନକୁ ଦିନ ହ୍ରାସ ପାଉଛି ଜଳସ୍ତର। ବିଦ୍ୟୁତ ଉତ୍ପାଦନ ସହ ଉଭୟ ଖରିଫ ଓ ରବି ଋତୁ ପାଇଁ ଜଳ ପ୍ରଦାନ କରାଯାଉଛି। ହେଲେ ଦୁଇବର୍ଷ ହେବ ନିଅଣ୍ଟିଆ ବର୍ଷା ହେତୁ ଜଳ ଭଣ୍ଡାର ଶୁଖିଲା ପଡିଥିଲା। ସେହିପରି ଜଲାପୁଟ ଜଳଭଣ୍ଡାର ଓ ମୂରାନ ଜଳ ଭଣ୍ଡାରରେ ସମାନ ସ୍ଥିତି ଦେଖିବାକୁ ମିଳିଛି। ଜିଲ୍ଲାରେ ଏପ୍ରିଲ ମାସରେ ୫୫.୩୨ ମିଲି ମିଟର ବର୍ଷା ହୋଇଥିବାବେଳେ ମେ’ ମାସରେ ୯୦.୨୯ ମିଲିମିଟର ବର୍ଷା ‌ରେକର୍ଡ କରାଯାଇଥିଲା। ସେହିପରି ଜୁନରେ ୨୬୩.୯୪ ମିମି, ଜୁଲାଇରେ ୨୩୮.୪୪ ମିମି ଓ ଅଗଷ୍ଟ‌ରେ ୨୨୨.୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏନେଇ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରିପାଠୀ କହିଛନ୍ତି ଯେ, ଜୁନ୍‌, ଜୁଲାଇ ମାସରେ ଯେପରି ଭାବେ ବର୍ଷା ହେବା କଥା ହୋଇନି। ଅଗଷ୍ଟ ମାସରେ ଭଲ ବର୍ଷା ହେବା ଆଶା କରିଥିଲେ ବି ସେପରି ହୋଇନି। ଯଦି ଆଶାନୁରୁପ ବଷା ନ ହୁଏ ତେବେ ସମସ୍ୟା ହୋଇପାରେ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର