ଟାର୍ଗେଟ କମ୍‌ ଯୋଗୁଁ ଉଠିପାରୁନି ଧାନ

ଅତାବିରା: ଅତାବିରା ନିୟନ୍ତ୍ରିତ ବଜାର କମିଟି ଅଧୀନସ୍ଥ ମଣ୍ଡିଗୁଡ଼ିକରେ କମ୍‌ ଟାର୍ଗେଟ୍ ଦିଆଯାଉଥିବାରୁ ଚାଷୀଙ୍କ ଧାନ ଉଠିପାରୁ ନାହିଁ। ପ୍ରତି ମଣ୍ଡିକୁ ଆବଶ୍ୟକତା ଅନୁଯାୟୀ ଟାର୍ଗେଟ୍‌ ଦାବିରେ ମଙ୍ଗଳବାର ଅତାବିରା ମାର୍କେଟ୍ ୟାର୍ଡରେ ଚାଷୀମାନେ ଏସିଏସ୍‌ଓ ଦିବ୍ୟସିଂ ବଡ଼ମାଳୀ ଓ ବ୍ୟୋମକେଶ ମାଝିଙ୍କୁ ଘେରିଥିଲେ। ଆବଶ୍ୟକତା ଅନୁଯାୟୀ ଟାର୍ଗେଟ୍‌ ଆସୁ ନଥିବାରୁ ମାର୍କେଟ୍ ୟାର୍ଡ, ପିସିଗୁଡ଼ିକରେ ହଜାର ହଜାର ବସ୍ତ‌ା ଧାନ ପଡ଼ି ରହିଛି। କିଛି ଦିନ ହେଲା କମ୍ ଟାର୍ଗେଟ୍‌ ଆ‌ସୁଥିବାରୁ ମଣ୍ଡିଗୁଡ଼ିକରେ ଧାନ ସବୁ ଗଦାହୋଇ ରହୁଛି। ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

ଧାନ ବିକିବାକୁ ମଣ୍ଡିଗୁଡ଼ିକରେ ବହୁ ଚାଷୀ ରୁଣ୍ଡ ହେଉଥିବା ସ୍ଥଳେ କମ୍ ଟାର୍ଗେଟ ଆସୁଥିବାରୁ ଧାନ ବସ୍ତା ଖୋଲା ଆକାଶ ତଳେ ପାହାଡ଼ ଭଳି ଗଦା ହୋଇଛି। ପ୍ରତ୍ୟହ ମଣ୍ଡିରେ ଯେତିକି ଧାନ ପଡ଼ୁଛି, ତା’ଠୁ କମ୍ ପରିମାଣର ଟାର୍ଗେଟ୍‌ ଆସୁଛି। ଫଳରେ ଅଚଳାବସ୍ଥା ଭଳି ପରିସ୍ଥିତି ଆଡ଼କୁ ମୁହାଁଉଛି। ଓଡ଼ିଶା ରାଜ୍ୟ କୃଷକ ସଂଗଠନର ନେତୃବୃନ୍ଦ ଓ ଚାଷୀମାନେ ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ। ତୁରନ୍ତ ପ୍ରତି ମଣ୍ଡିକୁ ଆବଶ୍ୟକତା ଅନୁଯାୟୀ ଟାର୍ଗେଟ୍‌ ଦିଆଯିବ ବୋଲି ଯୋଗାଣ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ। ଚାଷୀନେତା ବୀରେନ୍ଦ୍ର କର, ଟିକେଲାଲ ମିଶ୍ର, ସୁରେନ୍ଦ୍ର କର, ବକୁଲ ବାରିକ, ଦଶରଥ ଭୋଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର