୧୦ ବର୍ଷ ହେଲା ଶଯ୍ୟାଶାୟୀ ବୀରା; ଚିକିତ୍ସା ପାଇଁ ଅର୍ଥ ଅଭାବ

ମାଲକାନଗିରି: ବୀରା ମାଛା। ବୟସ ପାଖାପାଖି ୬୫ ହେବ। ମାଲକାନଗିରି ଜିଲ୍ଲାର ଖଇରପୁଟ ବ୍ଲକ ଅନ୍ତର୍ଗତ ମାଛାଗୁଡା ଗ୍ରାମରେ ବାସ କରନ୍ତି ବୀରା ମାଛା। ଗତ ୧୦ ବର୍ଷ ହେଲା ବୀରା ରୋଗରେ ପଡି ଶଯ୍ୟାଶାୟୀ ହୋଇଛନ୍ତି। କେବଳ ଶଯ୍ୟାଶାୟୀ ହୋଇ ନାହାନ୍ତି ବରଂ ପ୍ରତିଦିନ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଆହା ବୋଲି ପଦେ ପଚାରିବାକୁ କେହି ନାହାନ୍ତି। ଅଭାବ ଅନାଟନ ଯୋଗୁଁ ତାଂକର ଚିକିତ୍ସା ହୋଇ ପାରୁନାହିଁ।ସ୍ତ୍ରୀ ଗୌରୀ(୬୦)ଙ୍କ ଉପରେ ପରିବାରର ବୋଝ ବାରୀଙ୍କ ବିଷୟରେ ସମସ୍ତେ ଅବଗତ ରହିଥିଲେ ମଧ୍ୟ ନା ଜିଲ୍ଲା ପ୍ରଶାସନ ନା ବ୍ଲକ ପ୍ରଶାସନ ସହଯୋଗର ହାତ ବଢାଇଛି। ବୀରାଙ୍କର ପରିବାର କହିଲେ ସ୍ତ୍ରୀ ଗୌରୀ ଓ ଚାରି ଝିଅ। ବୀରା ଭଲ ଥିବା ବେଳେ କାମଧନ୍ଦା କରି ପରିବାରର ପ୍ରତିପୋଷଣ କରୁଥିଲେ। କିନ୍ତୁ ହଠାତ୍ ତାଙ୍କ ଅଣ୍ଟାରେ ଯନ୍ତ୍ରଣା ବାହାରିବା ପରେ ସେ ଆଉ କାମଧନ୍ଦା କରିପାରିଲେ ନାହିଁ। ଦିନରାତି ଶଯ୍ୟାରେ ବିତୁଛି ଜୀବନ। ମୁଠାଏ ଦେଲେ ଖାଉଛନ୍ତି ନହେଲେ ସେଭଳି ପଡି ରହୁଛନ୍ତି ବୀରା।

ଗତ ଦଶବର୍ଷ ହେଲା ଠିଆ ହୋଇ ପାରୁନାହାଁନ୍ତି ବୀରା। ସ୍ବାସ୍ଥ୍ୟ ଖରାପ ହେବା ପରେ ବୀରାଙ୍କୁ ପ୍ରଥମେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରୁ ପୁଣି କୋରାପୁଟ ମେଡିକାଲକୁ ନିଆଯାଇଥିଲା। କିନ୍ତୁ କୋରାପୁଟରେ ଡାକ୍ତର ତୁରନ୍ତ ଅପରେସନ କରିବାକୁ ପଡିବ ବୋଲି କହିଥିଲେ। ତେବେ ଅପରେସନ ପାଇଁ ତାଙ୍କ ନିକଟରେ ଟଙ୍କାଟିଏ ବି ନାହିଁ। ତେଣୁ ସେ ସେବେ ଠାରୁ ଆଜି ପର୍ୟ୍ୟନ୍ତ ସେଭଳି ଶଯ୍ୟାରେ ହିଁ ପଡି ରହିଛନ୍ତି। ଦୁଇ ବେଳା ମୁଠାଏ ଦାନା ପାଇଁ ପରିବାର ଅହରହ ପରିଶ୍ରମ କରୁଥିବା ବେଳେ ଚିକିତ୍ସା ପାଇଁ ଟଙ୍କା କେଉଁଠୁ ଆଣିବେ ବୋଲି ପରିବାର ଲୋକେ କ୍ଷୋଭର ସହ ପ୍ରକାଶ କରିଥିଲେ।

ସରକାରଙ୍କ ତରଫରୁ ମାତ୍ର ଭତ୍ତା ୫ ଶହ ଟଙ୍କା ମିଳୁଥିବା ବେଳେ ୧୫ କିଲୋ ଚାଉଳ ମିଳୁଛି। ତେବେ ଏହି ଟଙ୍କା ମାତ୍ର କିଛି ଦିନ ହିଁ ଯାଉଛି। ତା’ପରେ ପୁଣି ପରିବାରକୁ ଖାଦ୍ୟ ଅନ୍ବେଷଣ କରିବା ପାଇଁ କାମ କରିବାକୁ ପଡୁଛି। ତେବେ ସ୍ତ୍ରୀ ଗୌରୀ ପ୍ରଶାସନ ଏବଂ ସରକାରଙ୍କ ନିକଟରେ ଫେରାଦ ହୋଇଛି। ସ୍ବାମୀଙ୍କୁ ବଞ୍ଚାଇବା ପାଇଁ ସେ ନେହୁରା ହୋଇଛି। ଜିଲ୍ଲା ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯୋଗି ବୀରାଙ୍କୁ ସହଯୋଗର ହାତ ବଢାନ୍ତା ତେବେ ତାଙ୍କର ସୁଖ ଜୀବନ ପୁଣି ଫେରି ଆସନ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର