ଅଦିନିଆ ବର୍ଷା-କୁହୁଡ଼ିରେ ଝଡ଼ିଗଲା ବଉଳ: ବଜାରରୁ ଦେଶୀ ଉଭାନ୍, ଆନ୍ଧ୍ର ଆମ୍ବର ରାଜୁତି

ଲକ୍ଷ୍ୟ ୪୦୦ କ୍ବିଣ୍ଟାଲ୍, ଓରମାସକୁ ମିଳିନି କେଜିଏ ବି ଆମ୍ବ

ରାୟଗଡ଼ା: ନଭେମ୍ବରର ବର୍ଷା, ଡିସେମ୍ବରର ଘନ କୁହୁଡ଼ି ପ୍ରଭାବରେ ଝଡ଼ିଗଲା ବଉଳ। ପ୍ରତିକୂଳ ପାଗ କାରଣରୁ ଗଛରେ ଫଳ ଧରିବା ବଦଳରେ ପତ୍ର କଅଁଳିଲା। ଫଳରେ ଚଳିତବର୍ଷ ରାୟଗଡ଼ାରେ ଆମ୍ବ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ଉତ୍ପାଦନ ନୈରାଶ୍ୟଜନକ ଥିବାରୁ ଏଯାବତ୍ ବଜାରକୁ ଆସିପାରିନି ରାୟଗଡ଼ାର ଦେଶୀ ଆମ୍ବ। ଯେଉଁଥି ପାଇଁ ବଜାର ଚାହିଦା ପୂରଣ କରୁଛି ଆନ୍ଧ୍ର ଆମ୍ବ। ଜାତୀୟ ବଜାରରେ ରାୟଗଡ଼ା ଆମ୍ବର ଚାହିଦା ବେଶ୍ ରହିଛି। ପ୍ରତି ବର୍ଷ ରାୟଗଡ଼ାରୁ ଉତ୍ପାଦିତ ଆମ୍ବ ଦିଲ୍ଲୀ, ରାଞ୍ଚି, ରାୟପୁର, ବିଶାଖାପାଟଣା, ବ୍ରହ୍ମପୁର, ଭୁବନେଶ୍ବର ସମେତ ଅନ୍ୟ ଅଞ୍ଚଳକୁ ପଠାଯାଇଥାଏ। ବଜାରୀକରଣ ଦାୟିତ୍ବ ଓରମାସ୍ ତୁଲାଉ ଥିବା ବେଳେ ବାର୍ଷିକ ୩୦୦ରୁ ୪୦୦ ଟନ୍ ଆମ୍ବ ରାୟଗଡ଼ାରୁ ବିଭିନ୍ନ ବଜାରରେ ପହଞ୍ଚିଥାଏ। କିନ୍ତୁ ଚଳିତବର୍ଷ ଉତ୍ପାଦନ ବାଧାପ୍ରାପ୍ତ କାରଣରୁ ଏଯାବତ୍ ଓରମାସ ଗ୍ରାମାଞ୍ଚଳର କୌଣସି ଚାଷୀଙ୍କ ଠାରୁ କେଜିଏ ବି ଆମ୍ବ କିଣିପାରିନି। ୨୦୧୯ରେ ଓରମାସ୍ ୨୮୩ ମେଟ୍ରିକ୍ ଟନ୍, ୨୦୨୦ରେ ୨୭୨ ମେଟ୍ରିକ୍ ଟନ୍ ଆମ୍ବ ଜାତୀୟ ବଜାରକୁ ପଠାଇଥିଲା। ୨୦୨୧ରେ ଆମ୍ବ ଉତ୍ପାଦନ ଭଲ ହୋଇଥିଲେ ମଧ୍ୟ କରୋନା ଯୋଗୁ ଆମ୍ବ ଜାତୀୟ ବଜାରରେ ପହଞ୍ଚିବା ସମ୍ଭବ ହୋଇ ପାରିନଥିଲା। କେବଳ ବିଶାଖାପାଟଣା, ରାୟପୁର ସମେତ ଓଡ଼ିଶା ମାର୍କେଟରେ ଆମ୍ବ ବିକ୍ରୟ ହୋଇଥିଲା।

ଚଳିତବର୍ଷ ଉତ୍ପାଦନ ନଥିବାରୁ ଓରମାସ୍ ହାତବାନ୍ଧି ବସିଥିବା ବେଳେ ଉଦ୍ୟାନ୍ ବିଭାଗ ଫାର୍ମ ମଧ୍ୟ ଚାହିଦା ପୂରଣ କରିବାରେ ବିଫଳ ହୋଇଛି। ଉଦ୍ୟାନ୍ ବିଭ‌ାଗ ତତ୍ତ୍ବାବଧାନରେ ବାଇଗଣପଲ୍ଲୀ, ଆମ୍ରପଲ୍ଲୀ, ଦଶେରୀ, ତତାପୁରୀ, ହେମସାଗର, ଲାଙ୍ଗରା ପ୍ରଜାତିର ଆମ୍ବ ଚାଷ ହୋଇଥାଏ। ଚଳିତବର୍ଷ ରାୟଗଡ଼ା ବ୍ଲକର ଭାକୁରଗୁଡ଼ା, ବିଷମକଟକ ବ୍ଲକର ଗୋତିଗୁଡ଼ା, କାଶୀପୁର ବ୍ଲକର ଚିଙ୍ଗୁଡ଼ିଝର ଫାର୍ମରୁ ଆମ୍ବ ଉତ୍ପାଦନ ହୋଇନଥିବାରୁ ବିଭାଗ ଟେଣ୍ଡର ଆହ୍ବାନ କରିନି। ଆମ୍ବ ଉତ୍ପାଦନ ପାଇଁ ବିଭାଗ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସେହି ଅନୁସାରେ ଉତ୍ପାଦନ ଆଖିଦୃଶିଆ ହୋଇପାରୁନି। ୨୦୨୦ ମସିହାରେ ଉଦ୍ୟାନ୍ ବିଭାଗ ଆମ୍ବ ବିକ୍ରି ପାଇଁ ଟେଣ୍ଡର ଡାକିଥିଲେ ମଧ୍ୟ ନିମ୍ନମାନର ଆମ୍ବ ଯୋଗୁ ଟେଣ୍ଡରଧାରୀ ଆମ୍ବ ନ କିଣି ଚାଲିଯାଇଥିଲେ।

ଫଳରେ ବିଭାଗ ଗେଟ୍ ସେଲ୍ କରି ଖର୍ଚ୍ଚ ଭରଣା କରିବାକୁ ଚେଷ୍ଟା କରିଥିଲା। ଆମ୍ବର ଓଜନ ଓ ମାନ ବଢ଼ାଇବା ପାଇଁ ରାଜ୍ୟ ସରକାର ବହୁ ଯୋଜନା କରି ବର୍ଷକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଚାରାରୋପଣ ପରେ ୩ ବର୍ଷ ପର୍ଯ୍ୟନ୍ତ ଗଛର ରକ୍ଷଣାବେକ୍ଷଣ ଉଦ୍ୟାନ୍ ବିଭାଗ ଦ୍ବାରା କରିବା ପରେ ଚାଷୀଙ୍କ ହାତରେ ଛଡ଼ାଯାଉଛି। ଏହାପରେ ମଧ୍ୟ ରାୟଗଡ଼ା ଆମ୍ବ ବଦଳରେ ବଜାରରେ ରାଜ୍ କରି ଚାଲିଛି ଆନ୍ଧ୍ର ଆମ୍ବ। ଦୈନିକ ରାୟଗଡ଼ା ବଜାରରେ ୨ରୁ ୩ ଟନ୍ ଆମ୍ବ ବିକ୍ରି ହେଉଥିବା ବେଳେ ୭୦ ପ୍ରତିଶତ ଆନ୍ଧ୍ରରୁ ଓ ୨୦ ପ୍ରତିଶତ ରାୟପୁରରୁ ଆସୁଥିବା ଜଣା ପଡୁଛି। ଅନ୍ୟପକ୍ଷରେ କାଶୀପୁର ବ୍ଲକରେ ବେସରକାରୀ ଭାବେ ଆମ୍ବ ଚାଷ ବହୁଳ ପରିମାଣରେ ହେଉଥିଲେ ମଧ୍ୟ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କଠୁ ଅଗ୍ରୀମ ନେଇ ଚାଷୀ ଆମ୍ବ ବାହାରକୁ ଚାଲାଣ କରୁଛନ୍ତି। ମାତ୍ର ୧୦ ପ୍ରତିଶତ କାଶୀପୁରର ଆମ୍ବ ରାୟଗଡ଼ା ବଜାରରେ ପହଞ୍ଚୁଛି। ତାହା ବି ମାର୍କେଟ୍ ଜରିଆରେ ନୁହେଁ। ବ୍ୟକ୍ତିଗତ ଭାବେ ଚାଷୀଙ୍କ ସହ ସଂପର୍କ ରଖିଥିବା ଲୋକ କାଶୀପୁରର
ଆମ୍ବର ସ୍ବାଦ ଚାଖି ପାରୁଛନ୍ତି।

ସମ୍ବନ୍ଧିତ ଖବର